Unknown

 

 

 

 

 

 

 

 

 

 

 

ସାତ ତିରିକି ସତର

ବିକ୍ରମ ଦାସ

 

ମୁଖବନ୍ଧ

 

ପ୍ରଫେସର ଡାକ୍ତର ବିକ୍ରମ ଦାଶ ପଣ୍ଡିତ ନିଳକଣ୍ଠ ଦାଶଙ୍କର କନିଷ୍ଠ ପୁତ୍ର, ଆଶିଂକଭାବେ ତାଙ୍କ ସାଂସ୍କୃତିକ ଉତ୍ତରାଧିକାରୀ । ‘ସାତ ତିରିକି ସତର’ ଗଳ୍ପ ସଞ୍ଚୟନର ସେ ପ୍ରମାଣ ଦେଇଛନ୍ତି । ବୃତ୍ତି ପ୍ରତିକୂଳ । କିନ୍ତୁ ପ୍ରତିଭା ବାଧା ବିଘ୍ନ ବା ପ୍ରତିକୂଳ ପରିସ୍ଥିତି ପ୍ରତି ଭ୍ରୂକ୍ଷେପ ନକରି ଫୁଟି ଉଠେ । ବଙ୍ଗଳାରେ ‘ବନଫୁଲ’ ଓଡ଼ିଆରେ କୁନ୍ତଳା କୁମାରୀ ତା’ର ଦୃଷ୍ଟାନ୍ତ ।

 

ଛାତ୍ର ଜୀବନରେ ଶ୍ରୀ ବିକ୍ରମ ଦାଶଙ୍କ ରଚନା ମଧ୍ୟେ ମଧ୍ୟେ ମାସିକ ‘ନବ ଭାରତ’ ପତ୍ରିକାରେ ପ୍ରକାଶ ପାଉଥିଲା । ଏହା ସାମୟିକ ସ୍ଫୁରଣ ମାତ୍ର ଥିଲା । ଏଥିରେ ନଥିଲା ଆନ୍ତରିକତା, ନିଷ୍ଠା ବା ଆତ୍ମପ୍ରତ୍ୟୟ । ପ୍ରତିଭା କେଉଁ ଧାରାରେ ବୋହିବ, ପ୍ରତିଷ୍ଠା ପାଇବ, ସେତେବେଳେ କଳନାରେ ଆଣି ହେଉ ନଥିଲା । ‘ସାତ ତିରିକି ସତର’ ଗଳ୍ପଗୁଚ୍ଛ ଏବେ ସବୁ ସ୍ପଷ୍ଟ କରି ଦେଇଛି ।

 

ଜୀବନର ଆଲେଖ୍ୟ ଅଙ୍କନରେ ଏହି ସଞ୍ଚୟକ ଏକ ଦୃଢ଼ ପଦକ୍ଷେପ, ସ୍ୱାତନ୍ତ୍ର୍ୟ ଚିହ୍ନିତ । ଏହା ଅନୁଭୂତିରେ ଯେପରି ଜୀବନ, ହାସ୍ୟରସରେ ସେହିପରି ଉଜ୍ଜ୍ୱଳ ଓ ବ୍ୟଙ୍ଗରେ ସେହିପରି ଶାଣିତ । ବିକ୍ରମ ଯେ ସୁରସିକ, ଏହାର ପ୍ରମାଣ ପଦେ ପଦେ ।

 

ଏହି ପୁସ୍ତିକାଟି ମାତ୍ର ଆଠଗୋଟି ସତ୍ୟମୂଳକ କ୍ଷୁଦ୍ର ଗଳ୍ପର ସମାହାର ଲେଖକଙ୍କର ପ୍ରଥମ ପ୍ରୟାସ ହେଲେହେଁ ସାଧନା ପଛେ ପଛେ ସିଦ୍ଧି ଗତି କରି ଚାଲିଛି ।

 

କ୍ଲିନିକ୍‌ରେ ସେଗୁଡ଼ିକର ଜନ୍ମ, ରୋଗୀ ଚିକିତ୍ସାର ମଧ୍ୟେ ମଧ୍ୟେ ବିକ୍ରମଙ୍କର ବାଣୀ ପୂଜା-। ନାଡ଼ି ଚିପୁ ଚିପୁ ଛାତି ପରଖୁ ପରଖୁ ସେ ଜୀବନ ନାଟୀ ପରଖିଥାନ୍ତି, ମଣିଷର ମର୍ମ ଭିତରେ ପଶିଥାନ୍ତି । ପଲ୍ଲୀ ଜୀବନର ଚିତ୍ରଣରେ ସ୍ମୃତିହିଁ ତାଙ୍କର ସମ୍ବଳ । ସେ ତାଙ୍କର ବିବିଧ ପ୍ରୟାସରେ ରସୋତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କ ଭବିଷ୍ୟତ ଯେ ଉଜ୍ଜ୍ୱଳ ବର୍ତ୍ତମାନ ରଚନା ସେହି ଭରସା ଦେଇଥାଏ-

 

ତା ୨୯-୧୨-୭୩

ଅଧ୍ୟାପକ

 

ଡକ୍ଟର କୁଞ୍ଜବିହାରୀ ଦାସ, ପି.ଏଚ୍‌.ଡ଼ି

 

ସଭାପତି, ଉତ୍କଳ ସାହିତ୍ୟ ସମାଜ

Image

 

ସୂଚୀପତ୍ର

 

୧.

ସାତ ତିରିକି ସତର

୨.

ହୁକୁମ୍‌ରେ ବିଶ୍ୱାସ

୩.

ଗାଁ ମଜଲିସ୍‌

୪.

ଆପର୍ତ୍ତିର ଅପ୍ରୀତି

୫.

ଆମେରିକାରେ ମାଙ୍କଡ଼ାମୀ

୬.

‘ଭାଇବୋହୂ’ଟି ବେକରେ ବନ୍ଧା

୭.

ବଖ୍ୟାତ ଆନନ୍ଦ ଗୁଣ୍ଡି

୮.

ଅଦ୍ଭୁତ ବାବା

Image

 

ସାତ ତିରିକି ସତର

 

ପିଲାଟିର ବୟସ ହେବ ଦଶ କି ଏଗାର । ନାଆଁଟି ତା’ର ଘୁଂଗା । ବାପ ମା ଗେଲରେ ଡାକୁଥିଲେ ଘୁଂଗୁ । ତା’ର ଭଲ ନାଁ ଆଉ ଦିଆ ହୋଇଚି କି ନାହିଁ କେହି ଜାଣନ୍ତିନାହିଁ କି, ଶୁଣିବାକୁ ମଧ୍ୟ ଇଚ୍ଛା କରନ୍ତିନାହିଁ । ବହୁକାଳ ଯାଏଁ ତା’ର ବାପ ମା ଆଣ୍ଠୁକୁଡ଼ା ଥିଲେ । ଲୋକେ ତାଙ୍କ ପଛରେ ଟାପରା କରନ୍ତି । ସେ ବହୁ ବାର-ବ୍ରତ କରି ମଧ୍ୟ ପିଲାଟିଏ ପାଉ ନଥିଲେ । ଶେଷରେ ମହାଦେବ ତାଙ୍କ ଗୁହାରି ଶୁଣିଲେ । ବୁଢ଼ାଲିଙ୍ଗଙ୍କ ଠାରେ ମୌନବ୍ରତ କରି ବହୁତ ଦିନ ଅଧିଆ ପଡ଼ିବା ପରେ ମଉନମୁହାଁ ପୁଅଟିଏ ପାଇଲେ ।

 

ପିଲାଟି ଦେଖିବାକୁ ବଡ଼ ଡଉଲ ଡାଉଲ । ମୁହଁଟି ଆଙ୍କିଦେଲା ପରି ଗୋଲ, କେବଳ କପାଳରେ ଫାଳିକିଆ କଜଳପାତି ଫରୁଆ ଭଳି ନାକ ମୂଳରୁ କେଶ ପର୍ଯ୍ୟନ୍ତ ଗହରିଆ ଦାଗଟିଏ ଅଛି । ତାକୁ ଦୁଇବର୍ଷ ବୟସବେଳେ ଅଚେତା ରୋଗ ଧରିଥିଲା । ଗୁଣିଆ ଫୁଙ୍କାଫୁଙ୍କି କରିସାରି କପାଳଟିକ ସିଧା ଦୁଇଫାଳ କରି ଚିରିଦେଲା । କପାଳ ରକ୍ତ ଓ ବେଙ୍ଗରକ୍ତ ମିଶାଇ ତାକୁ ଖୁଆଇ ଦେବାରୁ ସେଇ ଦିନଠୁ ଆଉ ସେ ରୋଗ ଦେଖାନାଇଁ । ତା’ର ବର୍ଣ୍ଣ ଟିକିଏ ଖସୁରିଆ କଳା ଓ ମୁଣ୍ଡର କେଶଗୁଡ଼ିକ ଟାଆଁସା ଟାଆଁସ ହୋଇ ଛୁଞ୍ଚି ପରି ଠିଆ ହୋଇଥାଏ ।

 

ସେ ବହୁତ କମ୍ କଥାବାର୍ତ୍ତା କରେ । ସେ ଏଡ଼େ ଶାନ୍ତଶିଷ୍ଟ ଭାବ ଦେଖାଏ ଯେ, ଯେହେଲେ ଭାବିବ ସେ ବୋକାଟାଏ । ତା’ର ଆଖି ଦୁଇଟା ସବୁବେଳେ ତଳକୁ । ଟିକିଏ ଭଲକରି ତା’ର ଚାହାଣି ଓ ଅଙ୍ଗଭଙ୍ଗୀକୁ ଲକ୍ଷ୍ୟ କଲେ ତା’ ମୁଣ୍ଡରେ ଯେ ମୁଣ୍ଡେ ଦୁଷ୍ଟାମି ଓ ଅମାନିଆ ବୁଦ୍ଧି ଭରି ରହିଛି ତା’ ସହଜରେ ଅନୁମାନ କରିହୁଏ ।

 

ବାପ, ମାଆଙ୍କର ଅଳିଅଳ ପୁଅ ହୋଇଥିବାରୁ ଭଲ ବାର ଦେଖି ଖଡ଼ି ଛୁଆଉଁ ଛୁଆଉଁ ତାକୁ ପ୍ରାୟ ଆଠବର୍ଷ ହୋଇଗଲା । ପୁଅ ପାଠପଢ଼ି ବଡ଼ ମଣିଷ ହେବ ବୋଲି ବାପା ମାଆ ଦୁହିଁଙ୍କର ବହୁତ ଆଶା, କିନ୍ତୁ ସ୍କୁଲରେ ନାଆଁଟି ଲେଖା ହେଲେ ମଧ୍ୟ ପୁଅ ସ୍କୁଲକୁ ଯିବାକୁ ଏକାବେଳକେ ନାରାଜ । ମାଆ, ପିଠା-ପଣା, ମୁଆଁ-ଭୁଜା ନାନାପ୍ରକାର ଦେଇ ଯେତେ ଖୁସାମତ କଲେ ମଧ୍ୟ ସେ ସ୍କୁଲ ଆଡ଼କୁ ମୁହାଏଁନାହିଁ । ବାପାଙ୍କ ବଟୁଆରୁ ପାନ ଖାଇବାକୁ ତାକୁ ବଡ଼ ଭଲଲାଗେ । ଏପରିକି, ଗୁଣ୍ଡି ମଧ୍ୟ ସେ ଅମଳ କରି ପକାଇଲାଣି । ବାପା ପାନପେଡ଼ି, ବଟୁଆ ସବୁ ଲୁଚାଇ ଦିଅନ୍ତି । ସେ ମା ଆଗରେ ଆସି କାନ୍ଦି ଗଡ଼େ, ପାନ ଖାଇଲେ ସ୍କୁଲକୁ ଯିବ ବୋଲି କହେ । ପୁଅକୁ ସ୍କୁଲକୁ ପଠାଇବାରେ କୃତକାର୍ଯ୍ୟ ହେବା ଆଶାରେ, ମାଆ ବଟୁଆଟିକୁ ଆଣି ତାକୁ ଗେଲ କରି କହନ୍ତି, ‘ମୋ ବାପ, ମୋ ଧନ, ଆରେ ଘୁଂଗୁ ପାନ ଖା, ଚୁନ ଖା, ଖଇର ଖା, ଗୁଆ ଖା, ଗୁଣ୍ଡିବି ଖା କିନ୍ତୁ ତୁ ସ୍କୁଲକୁ ଯା । ଘୁଂଗୁ ସବୁ ଖାଏ କିନ୍ତୁ ଇସ୍କୁଲକୁ ଯିବା କାର୍ଯ୍ୟଟି ଛଡ଼ା ଆଉ ସବୁ କାମ କେର ।

 

ପିଲାକୁ ପଣ୍ଡିତ କରାଇବା ଆଶା ଘେନି ଦିନେ ଦିନେ ଘୁଂଗାର ବାପାଙ୍କୁ ଗାଁ ଇସ୍କୁଲ ଆଡ଼କୁ ଏକୁଟିଆ ଗତି କରୁଥିବାର ଦେଖାଯାଏ । ତାଙ୍କ ପିଠିରେ କିନ୍ତୁ ଲଦା ହୋଇଥାଏ ଗୋଟିଏ ଅଖା ବୁଜୁଳା ଓ ବୁଜୁଳା ଭିତରୁ ଉପରକୁ ବାହାରିଥାଏ ପଇସିକିଆ ଆଟିକା ଭଳି ଗୋଟିଏ କାଳିଆ ମୁଣ୍ଡ । ସେ ମୁଣ୍ଡ ଭିତରୁ ଦଣ୍ଡକିରି ମାଛ ପରି ଯୋଡ଼ିଏ ଆଖି ଖାଲି ଏପଟସେପଟ ହେଉଥାଆନ୍ତି । ସେ ବୁଜୁଳାଟି ସ୍କୁଲରେ ମାଷ୍ଟ୍ରଙ୍କ ପାଖରେ ଝଡ଼ା ହୁଏ, ସେଥିରୁ ବାହାରିବା ବାଳକଟିକୁ ମାଷ୍ଟ୍ରଙ୍କ ଜିମା କରିଦେଇ ବାପା ଘରକୁ ଫେରନ୍ତି । ମାଷ୍ଟ୍ର ତାକୁ ବହୁତ ବୁଝାନ୍ତି, ତାଗିଦ୍ କରନ୍ତି । କେଉଁ ଆଡ଼କୁ ନ ଚାହିଁ, ଆଉ କେଉଁଥିରେ ମନ ନ ଦେଇ ପାଠ ଘୋଷିବାକୁ କହନ୍ତି । ଘୁଂଗାବି ସୁନାପିଲା ପରି ମନଦେଇ ଘୋଷିଲା ପରି ପ୍ରାୟ ଚାରି ପାଞ୍ଚ ମିନିଟ୍ ପାଠ ଘୋଷେ ।

 

ପାଠ ଘୋଷୁ ଘୋଷୁ ହଠାତ୍ ଉଠିକରି ପେଟକୁ ଜାକିଧରି ମାଷ୍ଟ୍ରଙ୍କୁ କହେ ‘‘ମାଷ୍ଟ୍ରେ ଦୁଇ, ଦୁଇ’’ । ମାଷ୍ଟ୍ରେ ପ୍ରଥମେ ଟିକିଏ ଗାଲେଇ ଦିଅନ୍ତି କିନ୍ତୁ ଲୁଗା ପଟା ଖରାପ ହୋଇ ଆସିବା ଦର୍ଶାଇ ସେ ଏପରି ଚିତ୍କାର ଉପରେ ଚିତ୍କାର ଛାଡ଼େ ଯେ ଶେଷରେ ସ୍କୁଲ ଘର ମାରା ହୋଇଯିବା ଆଶଙ୍କା କରି ଶୀଘ୍ର ସେ କାମ ଶେଷ କରି ପାଣିସାରି ଆସିବାକୁ ଘୁଂଗାକୁ ନିର୍ଦ୍ଦେଶ ଦେଇ ସେ ଛାଡ଼ି ଦିଅନ୍ତି-। ଘୁଂଗାର ବାପା ଗାଁ ଦାଣ୍ଡ ବାଟେ ୟା ତା’ ସଙ୍ଗେ କଥାବାର୍ତ୍ତା କରି କରି ଧୀରେ ଧୀରେ ଆସି ଦାଣ୍ଡ କବାଟ ଖୋଲି ଭିତର ଅଗଣାକୁ ପଶିବାବେଳକୁ, ଅଗଣା ଆତ ଗଛ ଉପରୁ ଘୁଂଗା ଡାକ ମାରେ ‘ଉ-ଉ’ ।

 

ଏହିଭଳି ଗତିରେ ଘୁଂଗୁର ପାଠ ପଛେଇ ଚାଲିଲା । ପାଠ ପଛେଇଲାବେଳକୁ ଶାଠ ଆଗେଇ ଚାଲିଲା । ମାଛଧରା, ଗଛ ଚଢ଼ା, ଚାଲନ୍ତା ଶଗଡ଼ରୁ କଳେଇ ଭିଡ଼ା ପ୍ରଭୃତି ବିଦ୍ୟାରେ ପୂରା ପାଶ ହୋଇଗଲା । ଏତିକିବେଳକୁ ଦୟାକରି ମା ବସନ୍ତେଇ ଠାକୁରାଣୀ ସେ ଗାଁରେ ପ୍ରବେଶ କରି ତାଙ୍କ ଘରକୁ ବିଜେ କଲେ । ଘୁଂଗୁ ଦେହରେ ପ୍ରବେଶ କରି ସ୍ପୁଟିନିକ ଫଟୋର ଚନ୍ଦ୍ର ଛବିରେ ଥିବା ଗାତ ଭଳି ତା’ର ମୁହଁ କାହିଁକି ସାରା ଶରୀରରେ ମଧ୍ୟ ଟିପିଟିପି ଦାଗ ରଖିଦେଇ ଗଲେ । କିନ୍ତୁ ଠାକୁରାଣୀ ପ୍ରେବଶଦ୍ୱାରା ସେ ସମ୍ପୂର୍ଣ୍ଣ ସ୍ୱାଧୀନ ହୋଇଗଲା । ତାକୁ ପାଠପଢ଼ିବାକୁ କହିବାକୁ ଆଉ କେହି ରହିଲେ ନାହିଁ । ମା ବସନ୍ତେଇ ବାପା, ମା ଦୁଇଟିଙ୍କୁ ସାଙ୍ଗରେ ଧରି ଚାଲିଗଲେ ।

 

ଭଉଣୀ ଭିଣୋଇଙ୍କ ବିୟୋଗରେ କାତର ହୋଇ ଘୁଂଗାର ଏକମାତ୍ର ମାମୁଁ, ମା, ବାପ ଛେଉଣ୍ଡ ପିଲାଟିକୁ ଜବରଦସ୍ତି ସାଙ୍ଗରେ ଘେନି ନିଜ ଗାଁକୁ ବାହୁଡ଼ି ଗଲେ । ମାମୁଁ ବାହାହୋଇ ନାହାନ୍ତି । ଘରେ ଗୋଟିଏ ମାତ୍ର ବୁଢ଼ା ଚାକର ରାମା ସେ ଦୁହିଁଙ୍କପାଇଁ ଗଣ୍ଡେ ଫୁଟେଇ ଦିଏ । ମାମୁଁ ଗାଁ ପଞ୍ଚାୟତ ଅଫିସରେ କାମ କରନ୍ତି । ସେ ବଡ଼ ଦୟାଳୁ ଓ ଧର୍ମଭୀରୁ । ତାଙ୍କର ଏକମାତ୍ର ଚିନ୍ତା ହେଲା ଘୁଂଗାକୁ ମଣିଷ କରିବା । ସେ ଦୁଇ କୁଳକୁ ଆଲୁଅ କରିବାକୁ ଗୋଟିଏ ମାତ୍ର ସରୁ ବଳିତା । ଘୁଂଗୁର ପଢ଼ାପଢ଼ି, ଖାଇବା ପିଇବା, ଚାଲିଚଳଣ ସବୁଥିରେ ତାଙ୍କର ଆଖି । ତାକୁ ଉପଯୁକ୍ତ ମଣିଷ କରି ଗଢ଼ିବାପାଇଁ ତାଙ୍କର ଏକାନ୍ତ ଇଚ୍ଛା । ଏ ସବୁ କିନ୍ତୁ ଘୁଂଗାକୁ ଯେ କେତେ ଅଡ଼ୁଆ ଲାଗିଲା ତା’ ବର୍ଣ୍ଣନା କରିବା ମୁସ୍କିଲ । ଏ ପରାଧୀନତା ଓ ବନ୍ଦୀ ଜୀବନରୁ ସେ କିପରି ମୁକ୍ତ ହେବ ତା’ର କେବଳ ଦିନରାତି ସେଇ ଚିନ୍ତା ।

 

ମାମୁଁ ଅଫିସରୁ ଫେରିଲାକ୍ଷଣି ଖାଲି ପାଠ ପଚାରିବେ, ସବୁବେଳେ ଖାଲି କହିବେ ପଢ଼, ପଢ଼ । ସେ ନଥିଲାବେଳେବି କ’ଣ ଉଦ୍ଧାର ଅଛି, ରାମା ତ ଗୋଡ଼େ ଗୋଡ଼େ ଜଗି ରହିଛି । ଘୁଂଗା କ’ଣ କରିଛି ନ କରୁଛି ସବୁଥିରେ ତା’ର ଆଖି । ସେ ସବୁ ମନେରଖି ଶୁଆ ପୋଷିଲା ପରି ମାମୁଁ ଆସିଲେ ତାଙ୍କ ଆଗରେ ବୟାନ କରିବ ।

 

ମାମୁଁ ମନ୍ଦିରକୁ ଗଲେ ସବୁବେଳେ ଘୁଂଗାକୁ ସାଥିରେ ଧରି ଯାଆନ୍ତି । ମହାଦେବ ମନ୍ଦିରରେ ଭୋଗ ଦେଇ ସାଷ୍ଟାଙ୍ଗ ପ୍ରଣାମ କରି ଘୁଂଗାର ସୁବୁଦ୍ଧିପାଇଁ ପ୍ରାର୍ଥନା କରନ୍ତି । ଘୁଂଗା ସେତେବେଳେ କଳା ଲିଙ୍ଗ ମୂର୍ତ୍ତିଟି ଉପରେ ଥିବା ତମ୍ଭା ନାଗ ସାପଟିକୁ ଟେରେଇ ଚାହୁଁଥାଏ । ସେ ଭାବେ ସେଇ ସାପଟାରହିଁ ସବୁ କରାମତି, ସେଇ ମାମୁଁଙ୍କ ମନ କାମନା ପୂର୍ଣ୍ଣ କରି ତାକୁ ଆଣି ମାମୁଁଙ୍କ ଘରେ ବନ୍ଦି କରି ରଖିଚି ।

 

ଦିନେ ଖରାବେଳେ ମାମୁଁ ଅଫିସ ଯାଇଛନ୍ତି, ରାମା ଘୁଙ୍ଗୁଡ଼ିମାରି ଶୋଇଚି ଘୁଂଗା ଉଠି ଚାଲିଲା ବାଉରି ସାଇକୁ । ସେତିକିବେଳକୁ ଗୋଟେ ବଡ଼ ମାଠିଆ ଚାରିପଟେ, ବାଉରି ପିଲାଏ ଘେରି ରହିଛନ୍ତି । ମାଠିଆଟିର ମୁହଁ ସରା ଚାରିପଟେ ପଙ୍କ ଦିଆ ହୋଇ ବନ୍ଦ କରାହୋଇଛି । ମାଠିଆ ଓ ସରା ଦେହରେ କେତୋଟି ମାତ୍ର ଛୋଟ ଛୋଟ କଣା କରାହୋଇଛି । ମାଠିଆ ଭିତରୁ ଗୋଟିଏ ନାଗ ସାପର ସୁଉ ସୁଉ ଶବ୍ଦ ଶୁଭୁଛି । ଘୁଂଗା ମନେ ମନେ ବଡ଼ ଖୁସି ହୋଇ ଭାବିଲା ତମ୍ୱା ସାପଟି ମାମୁଁଙ୍କ କଥା ଶୁଣିଚି, ସେ ବା ମାମୁଁ ଦଉଥିବା ଭୋଗ କେଉଁଠି ଖାଉଛି । ଏ ତ ଜିଅନ୍ତା ନାଗ ସାପ ମୋ ଭୋଗ ନିଶ୍ଚୟ ଖାଇବ, ମୋ କଥା ନିଶ୍ଚୟ ଶୁଣିବ । ଘୁଂଗା ମାଠିଆଟି ନେବାକୁ ଜିଦ୍ ଧରିଲା । ବାଉରିମାନେ ପ୍ରଥମେ ମନା କଲେ କିନ୍ତୁ ଘୁଂଗୁ ଯେତେବେଳେ ଜାମା ପକେଟର ରେଜା ପଇସାକୁ ଝମ୍ ଝମ୍ କଲା ସେମାନେ ଆଉ ଲୋଭ ସମ୍ଭାଳିପାରିଲେନାହିଁ । ଚାରିଅଣା ପଇସା ନେଇ ସାପ ମାଠିଆଟି ତାକୁ ଦେଇଦେଲେ । ସେ ଗାମୁଛା ଘୋଡ଼ାଇ ମାଠିଆଟିକୁ ଆଣି ମାମୁଁଙ୍କ ଗୁହାଳ ଘର ଭାଡ଼ି ଉପରେ ଥିବା ପାଳଗୋଛା ପଛପଟେ ଲୁଚାଇ ରଖିଲା ।

 

ଘୁଂଗାର ମନ ବଡ଼ ଖୁସି, ମାମୁଁ ଅଫିସକୁ ଗଲାକ୍ଷଣି ସେ ଗୁହାଳ ଘରେ ପଶି ଭିତରୁ ଦୁଆର କିଳିଦିଏ । କାନା, ଆଇଁଷ କାତି, ପୋକସୁଙ୍ଘା ପ୍ରଭୃତି ଯେଉଁ ଫୁଲ ଆଣିଥାଏ ତାକୁ ଦେଇ ପୂଜା ଆରମ୍ଭ କରେ । କେବେ କୁଲିବେଙ୍ଗ ନ ହେଲେ ଶିଶିରେ ଆଣିଥିବା ଦୁଧ କି ଗୁଡ଼ ପାଣି ଟିକିଏ ମାଠିଆ କଣାବାଟେ ଭୋଗ ଦିଏ । ନାଗ ଦେବତାକୁ ସନ୍ତୁଷ୍ଟ କରିବାକୁ ମାମୁଁଙ୍କ ପରି ଲମ୍ବହୋଇ ଶୋଇ ପ୍ରାର୍ଥନା କରେ । ସେ କ’ଣ ପ୍ରାର୍ଥନା କରେ ଭଗବାନ ଜାଣନ୍ତି । ନାଗ ଦେବତା ଆଉ ଗର୍ଜନ ତର୍ଜନ ନକରି ସନ୍ତୁଷ୍ଟ ହେଲାପରି ତୁନି ହୋଇ ମାଠିଆ ଭିତରେ ଥାଆନ୍ତି ।

 

ମାମୁଁ ଦେଇଥିବା ବହି ପଢ଼ା ଓ ଘରୋଇ ମାଷ୍ଟ୍ରେ ଦେଇଥିବା ପାଠ, ଘୁଂଗୁ ଯେଉଁଠି ଆରମ୍ଭ କରିଥାଏ, ସେଇଠି ଶେଷ କରେ । ସବୁବେଳେ ତା’ର ମନ ନାଗ ଦେବତାଙ୍କ ପାଖରେ ତେଣୁ ପାଠ ଆଦୌ ଆଗେଇ ପାରେନାହିଁ । ରାମା ତା’ର ଗୁହାଳ ଘରକୁ ଯିବାକଥା ଜାଣିପାରି ମାମୁଁଙ୍କ କାନରେ ପକାଇ ଦେଲା । ଗୁହାଳ ଘରେ ଗୋଟିଏ ସୁନ୍ଦର ଛେଳି ପିଲା ଥାଏ । ଖରାବେଳେ ଗାଈ, ଗୋରୁ ସବୁ ଗୋଠକୁ ଯାଆନ୍ତି କିନ୍ତୁ ଛେଳି ଛୁଆଟି ଗୁହାଳ ଘରେ ଥାଏ । ମାମୁଁ ବହୁତ ଭାବି ଭାବି ଠିକ୍ କଲେ ଘୁଂଗା ପାଠରେ ମନ ନ ଦେଇ ଦୁଆର କିଳି ବୋଧହୁଏ ସେ ଛେଳି ଛୁଆ ସଙ୍ଗେ ଖେଳୁଛି ।

 

ତା’ ପରଦିନ ମାମୁଁ ଘୁଂଗାକୁ ଡାକି କହିଲେ ସେ ଛେଳି ଛୁଆଟି କ’ଣ ତତେ ମୂର୍ଖ କରିବ-? ତୁ ପାଠରେ ମନ ନ ଦେଇ ତା’ ସାଙ୍ଗେ କ’ଣ ଖେଳୁଚୁ, ମୁଁ ସବୁ ଜାଣିପାରିଚି । ଆଜି ସକାଳେ ତାକୁ ରୟତ ଘରକୁ ପଠାଇ ଦେଇଛି । ତୁ ମନ ଖରାପ କରିବୁ ନାହିଁ । ପାଠ ଆଗ, ଆଉ ସବୁ ପଛ-। ତୁ ଘରୋଇ ପରୀକ୍ଷା ଦେଇ ପାଶ୍ କଲେ ମୁଁ ଛୁଟିବେଳକୁ ତାକୁ ଘେନି ଆସିବି, ତୁ ପୁଣି ଖେଳିବୁ-। ବର୍ତ୍ତମାନ ପାଠ ପଢ଼ିବାବେଳ, ତୁ ବହୁତ ପଛରେ ପଡ଼ିଛୁ, ମନଦେଇ ପାଠପଢ଼ ।’’ ମାମୁଁ ଭାବିଥିଲେ, ଛେଳିଛୁଆ ଚାଲିଯିବା କଥା ଶୁଣି ସେ କାନ୍ଦିବ, ତା’ର ମୁହଁ ଶୁଖିଯିବ, କିନ୍ତୁ ତା’ ମୁହଁ ଶୁଖିବ କାହିଁକି ? ସେ ଗୁମ୍‌ ହୋଇ ବସି ରହିଲା ଓ ତା’ର ଆଖି ଦୁଇଟା ଖାଲି କନ୍‌କନ୍‌ ହୋଇ ଗୁହାଳ ଘର ଆଡ଼କୁ ଲକ୍ଷ୍ୟ କରିବାର ଦେଖାଗଲା ।

 

ଛେଳି ଛୁଆ ସିନା ଗଲା, ଘୁଂଗାର ଗୁହାଳ ଘରକୁ ଯିବା ବନ୍ଦହେଲା ନାହିଁ କି ପାଠପଢ଼ା ମଧ୍ୟ ଆଗେଇଲାନାହିଁ । ମାମୁଁ ଏହାର କାରଣ କିଛି ବୁଝି ନପାରି ବିବ୍ରତ ହୋଇପଡ଼ିଲେ । ରବିବାର ଦିନ ଭଣଜାକୁ କୋଠା ଉପରେ ପଣକିଆ ଖନ୍ଦା ଘୋଷିବାକୁ କହି, ଗୁହାଳ ଘରେ ଆଉ କ’ଣ ଆକର୍ଷଣ ଶକ୍ତି ଅଛି, ଭଲକରି ଖୋଜି ବାହାର କରିବାକୁ ବାହାରି ପଡ଼ିଲେ । ମାମୁଁ ଗୁହାଳ ଘରେ ପଶିବା ଘୁଂଗାକୁ ଝରକାବାଟେ ଦିଶୁଥାଏ । ସେ ମନେ ମନେ ଜୀଅନ୍ତା ନାଗ ଦେବତାଙ୍କୁ ସ୍ମରଣ କରୁଥାଏ, କିନ୍ତୁ ମାମୁଁଙ୍କୁ ଶୁଭିଲା ଭଳି ବଡ଼ ପାଟିରେ ସାତ ତିରିକି ଏକୋଇଶି ଘୋଷୁଥାଏ । ଅନ୍ୟମନସ୍କ ହୋଇ ଘୋଷୁ ଘୋଷୁ ସାତ ତିରିକି ଏକୋଇଶିରୁ ପନ୍ଦର, ସତର କେତେବେଳେ କ’ଣ ହୋଇ ଯାଉଥାଏ ତା’ର ଠିକ୍‌ ନଥାଏ ।

 

କିଛି ସମୟ ପରେ ଗୁହାଳ ଘରୁ ହଠାତ୍‌ ଗୋଟିଏ ଚିତ୍କାର ଶୁଭିଲା ଓ ତା’ପରେ ଭାଡ଼ି ଉପରୁ ତଳକୁ ପଡ଼ିଲାପରି ଭୁଷ୍‌କରି ଗୋଟାଏ ଶବ୍ଦ ହେଲେ । କିଛିକ୍ଷଣ ପରେ ଘୁଂଗା ଦେଖିଲା ତା’ର ନାଗ ଦେବତା ଗୁହାଳ ଆସ୍ଥାନ ଛାଡ଼ି ଗୁହାଳ ଦୁଆର ବାଟେ ବାହାରି ଯାଇ ବାଡ଼ି ଗାଡ଼ିଆ-କୂଳ ହୁଙ୍କା ଭିତରକୁ ବିଜେ କଲେ । ଚିତ୍କାର ଶୁଣି ରାମା ଗୁହାଳକୁ ଦଉଡ଼ିଲା । ସାଇବାଲାବି ଆସି ପହଞ୍ଚି ଗଲେ, କାନ୍ଦ ବୋବାଳି ଶୁଭିଲା । କୋକୁଆ ବନ୍ଧାର ଯୋଗାଡ଼ ଚାଲିଲା । ସମସ୍ତେ ହାୟ, ହାୟ କଲେ, କେହି କେହି କହିଲେ ଆହା, ମାଆ ବାପ ଛେଉଣ୍ଡ ଘୁଂଗାଟିର ସବୁ ସରିଗଲା । କେହି ଭରସିକରି ଏ ଦାରୁଣ ସମ୍ବାଦ ଶୁଣାଇବାକୁ କୋଠା ଉପରକୁ ଯିବାକୁ ସାହସ କଲେ ନାହିଁ । କିନ୍ତୁ ଉପରୁ ନିରବଚ୍ଛିନ୍ନ ଭାବରେ ଖନ୍ଦା ଘୋଷାର ଶବ୍ଦ ଆସୁଥାଏ, ‘‘ସାତ ତିରିକି ସତର,’’ ‘‘ସାତ ତିରିକି ସତର ।’’

Image

 

ହୁକୁମ୍‌ରେ ବିଶ୍ୱାସ

 

ବିଶ୍ୱାସ ଆଉ ଅନ୍ଧ-ବିଶ୍ୱାସ ଏ ଦୁହିଁଙ୍କ ଭିତରେ ତାରତମ୍ୟ କ’ଣ ବୁଝିବା ବଡ଼ ମୁସ୍କିଲ । ପୁରାଣରେ ଅଛି ‘‘ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର ।’’ ‘ଗୀତା’ର ଭଗବାନ ମଧ୍ୟ କହୁଛନ୍ତି ‘‘ସବୁକଥା ଛାଡ଼ି ମୋ ଉପରେ ବିଶ୍ୱାସ ରଖ, ମୋତେହିଁ ନିର୍ଭର କର ।’’ ସବୁ ଦେଶରେ ସବୁ ଧର୍ମରେ ଲୋକେ କିଛି ନା କିଛି ବିଶ୍ୱାସ କରନ୍ତି । ଅନେକଙ୍କର ଏଇ ବିଶ୍ୱାସ ସବୁ ଏତେ ଦୂର ଆଗେଇ ଯାଏଁ ଯେ ସେମାନେ ବିଶ୍ୱାସରେ, ନକଲା କଥା ମଧ୍ୟ କରି ବସନ୍ତି, ଏପରିକି ନିଜ ପୁଅକୁ ମଧ୍ୟ ନରବଳି ଦେଇ ଦିଅନ୍ତି । ଯେଉଁମାନେ ଦିଅଁଦେବତାଙ୍କୁ ଭକ୍ତିକରି ହେଉ ବା ଡାହାଣୀ ଚିରଗୁଣୀକୁ ଡରିକରି ହେଉ ବିଶ୍ୱାସରେ ଏପରି ଅମାନୁଷିକ ବା ହାସ୍ୟାଷ୍ପଦ କାର୍ଯ୍ୟ କରନ୍ତି ତାଙ୍କୁ କେହି କେହି କହନ୍ତି ଅନ୍ଧ-ବିଶ୍ୱାସୀ । ସଂସ୍କାରକମାନଙ୍କର, ସରକାରଙ୍କର ଓ ତଥାକଥିତ ସଭ୍ୟ ସମାଜର ସମସ୍ତ କୋଡ଼ମାଡ଼ ସେମାନଙ୍କ ଉପରେହିଁ ପଡ଼େ । ବିଜ୍ଞାନର ପ୍ରସାର ଓ ପ୍ରଚାର ସଙ୍ଗେ ସଙ୍ଗେ କେତେକ ସାଧାରଣ ବିଶ୍ୱାସ ସଙ୍କୁଚିତ ହୋଇ ଆସୁଚି । ଭୂତ–ଡାହାଣୀ, ଚିରଗୁଣୀ ବସନ୍ତ, ବାଡ଼ି, ମେଲେରିଆ ପ୍ରଭୃତିର ଠାକୁରାଣୀମାନେ ଇଲକ୍‍ଟ୍ରିକ୍‌ ଆଲୁଅ, ଇଂଜେକ୍‌ସନ ଛୁଞ୍ଚି ପ୍ରଭୃତିଙ୍କ ଦାଉରୁ ଥରହର ହେଲେଣି, ଅନେକ ହୁଏତ ଦୂର ବନ ପର୍ବତର ଉହାଡ଼ରେ କେଉଁଠି ଲୁଚିଲେଣି । ଏସବୁ ସତ୍ତ୍ୱେ ଅଦ୍ଭୁତକର୍ମାମାନଙ୍କ ଉପରେ ବିଶ୍ୱାସ ଓ ନିର୍ଭରଶୀଳତା ଏବେ ମଧ୍ୟ କମିନାହିଁ, ଭୂତ ଡାହାଣୀ କମୁଛନ୍ତି କିନ୍ତୁ ଦିଅଁଦେବତା ଓ ଗୁରୁଙ୍କ ସଂଖ୍ୟା ବଢ଼ି ଚାଲିଛି । ଧର୍ମ ବିଶ୍ୱାସ ଉପରେ ଭିତ୍ତିକରି ଦେଶ ଦେଶ ଭିତରେ ଲଢ଼େଇ ଚାଲିଛି । ଧର୍ମ ଯୁଦ୍ଧର ଡାକରାକୁ ଆମେ ଧର୍ମାନ୍ଧତା ବା ଅନ୍ଧ ଧର୍ମ ବିଶ୍ୱାସ ବୋଲି ନିନ୍ଦାକରି କହୁଚୁ କିନ୍ତୁ ନିଜେ ସେଇ ପ୍ରକାର ନାନାବିଶ୍ୱାସରେ ଲିପ୍ତ ରହିବାକୁ ଓ ଗୁରୁବାଣୀ ଶୁଣିବାକୁ ବାଧ୍ୟ ହେଉଛୁ । ଏ ସବୁର କାରଣ ହେଉଛି ମାନବ ଜ୍ଞାନର କ୍ଷୁଦ୍ର ପରିସର ଓ ସହାୟହୀନ ଅପାରଗତା । ଏ ଜଗତରେ ପ୍ରତି ମୁହୂର୍ତ୍ତରେ ଆମର ଚାରିପଟେ ଏତେ ଅଦ୍ଭୁତ ଘଟଣା ଘଟୁଛି ଯେ ସେସବୁର କାରଣ ଅନୁସନ୍ଧାନ କରିବା ଆମର ଜ୍ଞାନର ବହିର୍ଭୂତ । ମନୁଷ୍ୟ ମସ୍ତିଷ୍କରେ ଶକ୍ତି ସୀମିତ ହୋଇଥିବାରୁ ତା’ର ଜ୍ଞାନର ପରିସର ମଧ୍ୟ ସୀମିତ । ମନୁଷ୍ୟ ଜୀବଦ୍ଦଶା ଭିତରେ ଯେତେ ଜ୍ଞାନ ସଂଗ୍ରହ କଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ପଣାପରି, ତେଣୁ ବହୁତ ଜିନିଷ ତା’ର ଅଜଣା ରହିଯିବ । ସେଥିରୁ କେତେକ ଅଜଣା ପଦାର୍ଥକୁ କିଛି ନଜାଣି ମଧ୍ୟ ତାକୁ ବିଶ୍ୱାସ କରିବାକୁ ପଡ଼ିବ, ତେଣୁ ଆଦିମ ମାନମ ପୃଥିବୀର ଆରମ୍ଭରେ ଯେଉଁପରି ବିଶ୍ୱାସ କରୁଥିଲା, ଏ ଆଧୁନିକ ଯୁଗରେ ତଥାକଥିତ ପ୍ରଗତିଶୀଳ ମାନବ ମଧ୍ୟ ସେହିପରି କେତେକ ବିଶ୍ୱାସ ଉପରେ ନିର୍ଭର କରି ଜୀବନଯାପନ କରୁଚି ।

 

ମଣିଷର ଅଗାଧ ବିଶ୍ୱାସରେ ଅଦ୍ଭୁତ କର୍ମମାନ ଏବେ ମଧ୍ୟ ଚାଲିଛି । ଆମ ଦେଶରେ ଆଗେ ଝଡ଼ାଝଡ଼ି ଫୁଙ୍କାଫୁଙ୍କି ଓ କାଳେଶୀ ହୁକୁମ ପ୍ରଭୃତିର ବହୁତ ପ୍ରଚାର ଥିଲା । ଏବେ ସେସବୁ ଅନେକ କମି ଆସିଲାଣି । କେହି କେହି ମନେରଖିଥିବେ ‘ତାଉରଙ୍ଗ ସାହି’ କାଳେଶୀ କାହା ଦାନ୍ତ ପୋକ କାଟିଲେ ତା’ର କାନରେ କେତେଗୁଡ଼ିଏ ମନ୍ତୁରା ହୋଇଥିବା ପତ୍ର ଚିପୁଡ଼ି ରସ ପକାଇ ଦିଅନ୍ତୁ । ଦାନ୍ତର ପୋକଗୁଡ଼ାକ ଅଧଇଞ୍ଚେ ବା ଇଞ୍ଚେ ଲମ୍ବର ଲାଙ୍ଗୁଡ଼ିଆ ପୋକଭଳି ଦାନ୍ତ ମୂଳରୁ କାନବାଟେ ଆସି କାନ ଉପରେ ସାଲୁବାଲୁ ହୋଇ ଜମା ହୋଇଯାଆନ୍ତି । ଡାକ୍ତରମାନେ କହନ୍ତି କାନ ଓ ପାଟି ଭିତରେ ବାଟନାହିଁ, ମଝିରେ ନିବୁଜ ପରଦାଟିଏ ରହିଛି, ତେଣୁ ପୋକ କିପରି ଓ କେଉଁଠାରୁ ଆସେ ତାହା ବୁଝିବା କାଠିକର ପାଠ । ବସନ୍ତ, ବାଡ଼ି କି ମେଲେରିଆ ଲାଗିଲା ସଙ୍ଗେ ସଙ୍ଗେ ଗାଁଠାକୁରାଣୀ ତାଙ୍କର ଜଣେ ସେବକ ବା ପାଖଲୋକ ଦେହରେ ପ୍ରବେଶ କରି କାଳେଶୀ ଭାବରେ ବହୁଳ କିଛି ‘ହୁକୁମ’ ବା ଆଦେଶ ଦେଉଥିଲେ । ମେଲେରିଆବେଳେ ଏଗାଁରୁ ସେ କେତେ ମୁଣ୍ଡ ଖାଇବେ ଆଗରୁ ଜଣାଇ ଦେଉଥିଲେ । ଲୋକେ ଡରିଥରି ପଣା ପଇଡ଼ ଆଣି ତାଙ୍କ ପାଖରେ ଜମା କରୁଥିଲେ । କାଳପତ୍ର କେତେକ କାଳେଶୀ ସଂସ୍କାରମାନଙ୍କ ହାତରୁ ଉତ୍ତମ ମଧ୍ୟମ ଖାଇ ‘ମୁଣ୍ଡ ଖାଇବାକୁ’ ନକହି ଦଳ ଖାଇବାକୁ କହିବାକୁ କେତେକ ଗାଁରୁ ସବୁ ଗାଡ଼ିଆ ପୋଖରୀର ଦଳ ଆସି ଠାକୁରାଣୀ ମନ୍ଦିର ଆଗରେ ଜମା ହୋଇ ଖତ ହେବାର ଆମକୁ ଜଣାଅଛି । ସଂସ୍କାରମାନଙ୍କ ଉପଦ୍ରବରେ କାଳେଶୀମାନଙ୍କ ସଂଖ୍ୟା ବହୁତ କମିଥିଲେ ମଧ୍ୟ ଏବେ ମଧ୍ୟ ଅନେକ ସ୍ଥାନରେ ସେମାନେ ଉଭା ହେଉଛନ୍ତି । କାଳେଶୀଙ୍କ ହୁକୁମରେ ପଣା ସଂକ୍ରାନ୍ତି ଦିନ ଦାସ ବିଦ୍ୟାଧରପୁର, ଥାନା ସତ୍ୟବାଦୀ ଓ ଅନ୍ୟ କେତେକ ସ୍ଥାନରେ ‘ପାଟଫୋଡ଼ା’ର ଦୃଶ୍ୟ ଏବେବି ଦେଖିବାକୁ ମିଳିବ-। ସେଠାର ହରିଜନମାନେ ସେମାନଙ୍କ ବିପଦ ସମୟରେ ଠାକୁରାଣୀଙ୍କ ନିକଟରେ ପାଟ ଫୋଡ଼ାପାଇଁ ମାନସିକ କରିଥାଆନ୍ତି । କାଳେଶୀଙ୍କ ହୁକୁମରେ ପଣାସଂକ୍ରାନ୍ତି ଦିନ ମାନସିକ କରିଥିବା ବ୍ୟକ୍ତି ଶୁଦ୍ଧପୂତ ଭାବରେ ଗାଧୋଇ, ବେକରେ ଦିଅଁଙ୍କ ଭଗୁରା ଫୁଲମାଳଟିଏ ପକାଇ ମୁହଁମାଡ଼ି ଶୋଇ ରହେ । ତା’ର ମଝି ପିଠିରେ ବନିଶି କଣ୍ଟାଭଳି ବଙ୍କା ହୋଇଥିବା ଆଙ୍ଗୁଳେ ମୋଟର ଲୁହା କଣ୍ଟାଟିଏ ଚମଡ଼ାକୁ ଗଭୀର ଭାବରେ ଫୁଟାଇ ଫୋଡ଼ି ଛାଡ଼ି ଦିଆଯାଏ । ବନିଶି ସୂତୀ ଲାଗିଲାପରି ତା’ର ଗୋଟିଏ ମୁଣ୍ଡରେ ୫ । ୬ ଫୁଟ ଲମ୍ବର ଟାଣୁଆ ଡୋରଟିଏ ଲାଗିଥାଏ । ସେ ଡୋରଟି ଗୋଟିଏ ଲମ୍ବା ବାଉଁଶର ଅଗରେ ବନ୍ଧା ହୁଏ । ବାଉଁସଟିର ଠିକ୍‌ ମଝିରେ ଗାତ ଥାଏ, ମଝି ଗାତଦ୍ୱାରା ବାଉଁଶଟି ଗୋଟିଏ ୧୫,୨୦ ଫୁଟିଆ କାଠ ଖମ୍ବର ଉପରେ ଥିବା କଣ୍ଟା ଉପରେ ରଖା ହୋଇଥାଏ । ବାଉଁଶର ଅନ୍ୟ ମୁଣ୍ଡରେ ଗୋଟିଏ ଲମ୍ବା ଦଉଡ଼ି ଲଗାଯାଇଥାଏ । ତେଣୁ ତରାଜୁର ଦଣ୍ଡ ପରି ବାଉଁଶଟି ସମାନ୍ତରାଳ ଭାବରେ ୧୫, ୨୦ ଫୁଟ ଉପରେ ରହିଲାବେଳକୁ କଣ୍ଟା ଫୋଡ଼ା ମଣିଷଟି ପ୍ରାୟ ୧୦, ୧୫ ଫୁଟ ଉପରେ ତା’ର ପିଠି କଣ୍ଟା ସାହାଯ୍ୟରେ ଓହଳି ରହେ । ଦିଅଁଙ୍କଠାରେ ଯଚା ହୋଇଥିବା ଦୁଇଟା ରୋଗଣା ପିଲାଙ୍କୁ ମଧ୍ୟ ସେ ଦୁଇ କାଖରେ ଜାକି ଧରେ । ତା’ପରେ କାଳେଶୀଙ୍କ ଆଦେଶ ଅନୁସାରେ ଯେତେ ଘେରା ବୁଲାଇବା କଥା ସେ ବାଉଁଶଟିକୁ ସେତିକି ଘେରା ବୁଲାଯାଏଁ । ‘ବୁଲା‘ ସରିବା ପରେ ‘ପାଟ ଫୋଡ଼ା’ ମଣିଷକୁ ଲୁଆଇଁ ଦିଆଯାଏ । ପରେ ତା’ର କ୍ଷତରେ ମନ୍ତ୍ର ପାଉଁଶ ପକାଇ ତାକୁ ଗାଁକୁ ଛାଡ଼ି ଦିଆଯାଏ । ଉପରୁ ଏପରି ଭାବରେ ଓହଳି ଘିରି ଘିରି ବୁଲୁଥିଲା ତିନି ତିନିଟା ମୁଣ୍ଡ ଯେ ଦେଖିବ ତା’ର ଦେହ ଶୀତେଇ ଉଠିବ କିନ୍ତୁ ବୁଲୁଥିବା ଲୋକଟିର ମୁଖକୁ ଲକ୍ଷ୍ୟ କଲେ ତା’ର ମୁଖମଣ୍ଡଳ ଶାନ୍ତ ଓ ସେ କଷ୍ଟକୁ କଷ୍ଟ ବୋଲି ମନେକରୁଥିଲା ପରି ଜଣାପଡ଼େନାହିଁ । ତା’ର ଠାକୁରାଣୀଙ୍କଠାରେ ବିଶ୍ୱାସ ଏପରି ଅଟଳ ଯେ ସେ ଏପରି ଏକ ଅସାଧ୍ୟ ସାଧନ କରି ମଧ୍ୟ କୌଣସି କଷ୍ଟ ଅନୁଭବ କରିବା କାହାକୁ ଜଣାଇଦିଏ ନାହିଁ ।

 

ଏହିପରି ଆଉ ଗୋଟାଏ ଘଟଣା ଦିନେ ଚାରିଆଡ଼େ ଚାଞ୍ଚଲ୍ୟ ପକାଇ ଦେଉଥିଲା । ମନ୍ଦିରର ପଣ୍ଡା ଓ ସେବକମାନଙ୍କର ଠାକୁରାଣୀଙ୍କ ପାଖରେ ଅଟଳ ବିଶ୍ୱାସ ରହିବା ସ୍ୱାଭାବିକ । ସେମାନଙ୍କ ଭିତରେ ଅନେକ ଅତିନୈଷ୍ଠିକ ସନାତନବାଦୀ ଲୋକ ରହିଛନ୍ତି । ଏହିପରି ଜଣେ ଠାକୁରାଣୀ ପୁଜକ ପୁରୀର ଜଣେ ବଡ଼ ଡାକ୍ତରଙ୍କର ପ୍ରଶସ୍ତି ଶୁଣି, ଗୋଟିଏ ଶଗଡ଼ରେ ନିଜ ପିଲାପିଲିଙ୍କୁ ଧରି ଡାକ୍ତରଖାନାରେ ପହଞ୍ଚିଲେ । ତାଙ୍କର ବୟୟ ୫୦ ପାଖାପାଖି । ମୁଣ୍ଡରେ ବେଙ୍କାଏ ଚୁଟି, କପାଳରେ ଏକ ବିରାଟ ସିନ୍ଦୂର ଟୋପା, ବାତଜ୍ୱର ଜନିତ କୋଷବୃଦ୍ଧି ଯୋଗୁଁ ଚାଲିବାରେ ବିଶେଷ ଅସୁବିଧା, ତଥାପି ସେ ବହୁ କଷ୍ଟରେ ଶଗଡ଼ରୁ ଓହ୍ଲାଇ ସ୍ତ୍ରୀଙ୍କୁ ଧରି ଡାକ୍ତରବାବୁଙ୍କ ପାଖେ ପହଞ୍ଚିଲେ । ତାଙ୍କ ସ୍ତ୍ରୀଙ୍କର ଦେହ ଗୋଳମାଳ ଲାଗି ରହିଚି, ତେଣୁ ସେ ପ୍ରଥମେ ତାଙ୍କ ସ୍ତ୍ରୀଙ୍କ ବିଷୟ ଡାକ୍ତରବାବୁଙ୍କୁ ଜଣାଇଲେ । ଡାକ୍ତରବାବୁ ପଣ୍ଡିଆଣୀଙ୍କୁ ପରୀକ୍ଷା କରିସାରି, ତାଙ୍କର ମଳ ଓ ପରିସ୍ରା ଆଣି ପରୀକ୍ଷା କରିବାକୁ ପରାମର୍ଶ ଦେଲେ । ମଳ ପରିସ୍ରା ନାଁ ପଡ଼ିବାକ୍ଷଣି ପଣ୍ଡାଏ ବିଗିଡ଼ି ଗଲେ । ସେ ଡାକ୍ତରବାବୁଙ୍କୁ କହିଲେ ‘‘ବାବୁ, ଏତେଗୁଡ଼ାଏ ପାଠ ପଢ଼ିଚ, ସେମିତିକା ରୋଗ ଜାଣିପାରୁ ନାହଁ ଯେ ଏପରି ଅସଣା, ପାପ କଥାଗୁଡ଼ାଏ ତୁଣ୍ଡରେ ଧରୁଚ, ଆଜ୍ଞା, ସେସବୁ କିପରି ଆସିବ, ଆମେ କ’ଣ ମେହେନ୍ତର ହୋଇଛୁ ଯେ ସେସବୁ ଘେନିକରି ଆସିବୁ ?’’ ଡାକ୍ତରବାବୁ ଏହା ଶୁଣି ବୁଝାଇ କରି କହିଲେ, ‘‘ତୁମ ପୁଅ ଥାଉ ଥାଉ ତୁମେ କାହିଁକି ଆଣିବ, ତୁମକୁ ଅସୁଖ ଲାଗିଲେ ସ୍ତ୍ରୀଙ୍କି କହିବ କାଗଜରେ ଭଲକରି ଗୁଡ଼ାଇ ପୁଅ ହାତରେ ପଠାଇ ଦେବେ ।’’ ସେଥିରେ ପଣ୍ଡାଙ୍କ ରାଗ ପଞ୍ଚମକୁ ଉଠିଗଲା, ସେ କହିଲେ ‘‘କିଓ କି ବିଧର୍ମୀ ପାଠ ପଢ଼ିକରି ଆସିଚ, ଆମର କ’ଣ ଜାତି ନବ ? ମୋ ପୁଅ ଠାକୁରାଣୀଙ୍କ ବଡ଼ପଣ୍ଡାଙ୍କ ପୁଅ, ସେ ମଳ ଧରି ସାତପୁରୁଷକୁ ନର୍କରେ ପକାଇ ନିଜର କାୟା ଭ୍ରଷ୍ଟ କରିବ ? ନ ହେଲା ନାଇଁ । ତୁମ କଥା ଜଣାପଡ଼ିଲା, କଣାସ ଗୋସେଇଁ ଯାହା କହୁଥିଲେ ତାହା ପୂରା ଠିକ୍‌ । ମୁଁ ତାଙ୍କ କଥା ନ ଶୁଣି ବୃଥାରେ ଏଠିକି ଆସିଲି । ମୋର ଭାଗ୍ୟ ଖରାପ, ମୋର ଏ ତୃତୀୟ ସ୍ତ୍ରୀ, ଯଦି ଏବି ଚାଲିଯିବି ବଡ଼ପଣ୍ଡାଙ୍କୁ କ’ଣ କନ୍ୟା ମିଳିବନି । ଏହା ବୋଲି କାୟା ନଷ୍ଟ ହେବ ।’’ ବିଶେଷରେ ସେ ନିଜର କୋଷ ଅପରେସନ ବିଷୟରେ ପରାମର୍ଶ କରିବାକୁ ଆସିଥିଲେ; କୋଷ ଅପରେସନ ବିଷୟରେ ସେତେବେଳେ କଲିକତା ପାଶ କରା ସେଇ ନୂଆ ଡାକ୍ତର ଆନନ୍ଦିଲାଲ ବୋଷଙ୍କ ନାଁ ଓଡ଼ିଶାର ଚାରିଆଡ଼େ ବ୍ୟାପି ଯାଇଥିଲା । ସେ ଓଡ଼ିଶାର ପ୍ରଥମ ଦେଶୀ ସର୍ଜନ । ତାଙ୍କ ନାମ ଖୁବ୍‌ ଜଣାଶୁଣା ହେଲେ ମଧ୍ୟ ହୁକୁମ ଔଷଧରେ ରୋଗ ଭଲ କରୁଥିବା କେତେକ ଗୋସେଇଁ ଓ କାଳେଶୀ ତାଙ୍କୁ ସହି ନପାରି ପଛରେ ନାନାବଦନାମ କରୁଥିଲେ । ଯାହାହେଉ ପଣ୍ଡାଏ ଡାକ୍ତରବାବୁଙ୍କ କଥାରେ ଖପା ହୋଇ ନିଜ ବିଷୟ କିଛି ନ କହି ନିଜର ବିରାଟ କୋଷଟିକୁ ପୁଣି ଶଗଡ଼ରେ ଲଦି ଗାଁକୁ ଲେଉଟିଲେ ।

 

ଦିନୁ ଦିନ କୋଷ ଯନ୍ତ୍ରଣା ବଢ଼ିବାରୁ ଆଉ ପୁରୀ ଆଡ଼କୁ ମନ ନ କରି କଣାସ ଠାକୁରାଣୀଙ୍କ ଆଡ଼େ ଶଗଡ଼ ଯୋଚିଲେ । କଣାସ ଠାକୁରାଣୀଙ୍କ ମହିମା ସେତେବେଳକୁ ଜିଲ୍ଲାସାରା ପ୍ରଚାର ହୋଇ ସାରିଥିଲା । ପଣ୍ଡାଏ ପ୍ରଥମରୁ ଥରେ ଆସି ପରାମର୍ଶ କରି ମଧ୍ୟ ଦୋ ଦୋ ପାଞ୍ଚ ହୋଇ ଫେରିଥିଲେ । ସେଠି ଜଣେ ବାବାଜିଙ୍କୁ କାଳେଶୀ ଲାଗେ । ତାଙ୍କ ହୁକୁମରେ ବହୁତ ଅସାଧ୍ୟ, ଅସାଧ୍ୟ ରୋଗ ସବୁ ସମ୍ପୂର୍ଣ୍ଣ ଭଲ ହୋଇଯିବାର ଶୁଣା ଅଛି । ପଣ୍ଡେ ତାଙ୍କ ପାଖରେ ପହଞ୍ଚି ସବୁ କଥା ଫିଟାଇ କହିଲେ । କାଳେଶୀ ମଧ୍ୟ ସବୁ ମନ ଦେଇ ଶୁଣିଲେ । କଣାସ ଆଡ଼ୁ କେତେ ଏପରି ରୋଗୀ ପୁରୀରେ ବୋଷ ସାଇବ ପାଖରେ ଅପରେସନ ହୋଇ ୮, ୧୦ ଦିନ ଭିତରେ ସମ୍ପୂର୍ଣ୍ଣ ସଫା ହୋଇ ଆସିବା ସେ ଦେଖିଛନ୍ତି । ସେ ଅବଶ୍ୟ ଏ ପର୍ଯ୍ୟନ୍ତ ଏପରି ରୋଗୀ ହାତକୁ ନେଇନାହାନ୍ତି, କିନ୍ତୁ ଏଥିରେ କ’ଣ କଷ୍ଟ କଥା ଅଛି । ଖାଲି କାଟି ସଫା କରିଦେଲେ ହେଲା-। କେତେ ବଡ଼ ବଡ଼ ଘା ଠାକୁରାଣୀଙ୍କ ଭସ୍ମ ଲାଗି ଶୁଖିଯାଉଚି, ଏ ଘା ବା ଶୁଖିବାକୁ କେତେ ଦିନ ଲାଗିବ । କାଳେଶୀ ପଣ୍ଡାଙ୍କୁ ବୋଧ ଦେବାକୁ କହିଲେ, ହଇଓ, ମା ଠାକୁରାଣୀ କେତେ କେତେ ଅସାଧ୍ୟ ରୋଗ ସବୁ ଭଲ କରୁଚି, ତା’ ଦୟା ହେଲେ ଏ ସାମାନ୍ୟ ରୋଗ କ’ଣ ଆରୋଗ୍ୟ ନ ହୋଇ ରହିବ । ବୋଷ ସାଇବ କରୁଚି, ମା ଠାକୁରାଣୀଙ୍କ ହୁକୁମରେ ଏ କ’ଣ ଆମକୁ ବଳେଇବ-। କାଳେଶୀଙ୍କ ପାଖ ଲୋକମାନେ ମଧ୍ୟ ଏ କାର୍ଯ୍ୟରେ ଖୁବ୍‌ ଉତ୍ସାହିତ ହେଲାପରି ମୁଣ୍ଡ ଟୁଙ୍ଗାରିଲେ-। ଏଥିପାଇଁ କାଳେଶୀ ଠାକୁରାଣୀଙ୍କ ପାଖେ ଦୁଇଦିନ ଅଧିଆ ପଡ଼ି ହୁକୁମ ଆଣିଲେ । ଦିନେ ବ୍ରାହ୍ମମୁହୂର୍ତ୍ତ ଦେଖି କାର୍ଯ୍ୟ ଆରମ୍ଭ ହେଲା । ଠାକୁରାଣୀଙ୍କ ମନ୍ଦିର ସାମନାଟି ସଫା କରାଗଲା-। ରୋଗୀକୁ ଗାଧୋଇ ପାଧୋଇ ପରିଷ୍କାର କରି ଗୋଟିଏ ନୂଆ ଖଜୁରି ପଟି ଉପରେ ଶୁଆଇ ଦିଆଗଲା । ପାଖରେ ବଡ଼ ବଡ଼ କାଠ ଆଣି ମସ୍ତବଡ଼ ଧୂନିଟିଏ ଜଳାଗଲା । ସେ ନିଆଁରେ ଷ୍ଟେରିଲାଇକ କରିବାପାଇଁ ୪, ୬ଟି ଦାଆ ପକାଇ ଦିଆଗଲା । ୪ ଜଣ ମଜଭୁତ୍ ଲୋକ ରୋଗୀର ଗୋଡ଼ହାତ ମାଡ଼ି ବସିଲେ । ଆଉ ଦୁଇଜଣ କୋଷଟିକୁ ଟେକି ଧରିଲେ । କାଳେଶୀ ଠାକୁରାଣୀଙ୍କ ନାମ ନେଇ ଗୋଟାକ ପରେ ଗୋଟାଏ ତାତିଲା ଦାଆ ନେଇ କୋଷଟିକୁ ମୂଳରୁ କାଟି ବାହାର କରିଦେଲେ । ଘା ଉପରେ ଦି ଟୋକେଇ ମନ୍ତୁରା ପାଉଁଶ ଗଦାଇ ରକ୍ତସ୍ରାବ ବନ୍ଦ କରାଗଲା ଓ ୪, ୬ଟା ନୂଆ ଗାମୁଛା ଗୁଡ଼ାଇ କ୍ଷତକୁ ବାନ୍ଧି ଦିଆଗଲା । ଆଶ୍ଚର୍ଯ୍ୟର କଥା କୌଣସି ନିଶା ଦିଆ ହୋଇ ନଥିଲେ ମଧ୍ୟ ରୋଗୀ ଉଁ କି, ଚୁଁ କଲାନାହିଁ । ପ୍ରଥମରୁ ଯାହା ଟିକିଏ ଛଟପଟ ହୋଇଥିଲା-। ତା’ପରେ ଆଉ ଛଟପଟବି ହେଲାନାହିଁ, ସୁନାପିଲାପରି କାଳେଶୀଙ୍କ ଆଦେଶ ମାନି ନିଶ୍ୱାସ ବନ୍ଦ କରି ଚିରଦିନ ପାଇଁ ବିଶ୍ୱାସରେ ଶୋଇ ପଡ଼ିଲେ । ଏ ବିଷୟ ଖବର ପାଇ ପୁଲିସ ଆସି ଦରଣ୍ଡାଦରଣ୍ଡି କଲେ । ପରେ ହାକିମମାନେ ସେତେବେଳେର ସତ୍ୟବାଦୀ ସ୍କୁଲର ଜଣେ ଶିକ୍ଷକଙ୍କୁ ଜୁରୀ ଭାବରେ ସଙ୍ଗରେ ଆଣି ଇନ୍‍ୱାରୀ କରିବାକୁ ଆସିଲେ । କିନ୍ତୁ ଠାକୁରାଣୀଙ୍କ ବିରୁଦ୍ଧରେ ସାକ୍ଷୀ ଦେବାକୁ କିଏ ସାହସ କରିବ । ଠାକୁରାଣୀ ରାଗିଲେ ହୁଏତ ସାକ୍ଷୀ ଦବା ଲୋକକୁ ଜୀଅନ୍ତା ଖାଇଯିବେ, ଗାଁରେ ବହୁତ ବିପଦ ପଡ଼ିବ । ରୋଗୀର ଆୟୁଷ ପୂରିଥିଲା ସେ ଅପରେସନ ସମ୍ଭାଳି ନ ପାରି ଚାଲିଗଲା । ହଜାର, ହଜାର ଲୋକତ ପୁଣି ଭଳ ହୋଇଯାଇଥିଲେ-। ଏହା ଅସଲ ବିଶ୍ୱାସ ଉପର କଥା । ଏଥିରେ ଦୋଷ କାହାର ? ତେଣୁ ଶେଷରେ କାଳେଶୀ ସାକ୍ଷୀ ଅଭାବରେ ନିର୍ଦ୍ଦୋଶରେ ଖଲାସ ହେଲେ ।

Image

 

ଗାଁ ମଜଲିସ୍‌

 

‘ଗାଁ ମଜଲିସ୍‌’ ଏହି ଶବ୍ଦ ଦୁଇଟି ଶୁଣୁ ଶୁଣୁ କାହାର ମନ ହୁଏତ ପ୍ରଜାତନ୍ତ୍ର କାଗଜର ଗାଁ ମଜଲିସ ଲେଖା ଦିଗକୁ ଚାଲିଯିବ, କିନ୍ତୁ ଏ ମଜଲିସ୍‌ ଓ ସେ ମଜଲିସ ଭିତରେ ଆକାଶ ପାତାଳ ତଫାତ୍‌ । ଆମର ଏଥିରେ ରାଜନୀତିର ନାଁ ଗନ୍ଧନାହିଁ । ଏହା ନିରୁତା ଗାଉଁଲି ଘଟଣା । ଏପରି ଘଟଣା ସବୁବେଳେ ଗାଁରେବି ଘଟିବା ଅସମ୍ଭବ । ଗାଁ ଗଣ୍ଡାର ଯେଉଁ ଅବସ୍ଥା, ସେଥିରେ ମଜଲିସ୍‌ କରିବ କିଏ ? ଅନ୍ନ ଚିନ୍ତା ଚମତ୍କାରୀ, ଅଧିକାଂଶ ଲୋକ ଦୂର ସହରରେ କାମ କରନ୍ତି । ଯେ କେତୁଟା ମଳିମୁଣ୍ଡିଆ ଗାଁରେ ଥାଆନ୍ତି ସେମାନଙ୍କ ଅବସ୍ଥା କହିଲେ ନ ସରେ । ସେଥିରୁ ଅଧିକାଂଶ ‘‘ସକାଳୁ ଉଠି ଲଙ୍ଗଳେ ଯାଆନ୍ତି, ତୋଡ଼ାଣି ହେମକାକର’’ ସନ୍ଧ୍ୟା ବୁଡ଼ୁ ବୁଡ଼ୁ ଦୀପ ଲିଭାଇ ଘୁଙ୍ଗୁଡ଼ି ମାରିଲେ ଦିନକର କାମ ସରିଲା । ଦାଣ୍ଡରେ ଘାଟରେ, ଭୋଜିରେ ଭାତରେ ଖାଲି ଦେଖିବ ଗୁଡ଼ାଏ ଉତିଆଣି ପିଲା । ଅତି ବେଶି କାମ ପଡ଼ିଲେ ସହରରେ କାମ କରୁଥିବା ବାବୁମାନେ ଦିନେଅଧେ ପାଇଁ ଗାଁକୁ ଆସନ୍ତି, ନ ହେଲେ ସମସ୍ତେ ଛୁଟିରେ ଆସି ଜୁଟିବା କଥା ।

 

ଦୋଳ ଛୁଟି, ଗ୍ରୀଷ୍ମ ଛୁଟି ଏପରି ଲମ୍ବା ଛୁଟିରେ ସହର ସ୍କୁଲ କଲେଜରେ ପଢ଼ୁଥିବା ପିଲାଏ, ଦୂର କମ୍ପାନୀରେ କାମ କରୁଥିବା ବାବୁମାନେ ଓ କୋଟ କଚେରିର ଧୋବା ଧାଉଳିଆ ଭଦ୍ରଲୋକେ ବହୁ ସଂଖ୍ୟାରେ ଆସି ଗାଆଁରେ ରୁଣ୍ଡ ହୁଅନ୍ତି । ଏତେଗୁଡ଼ିଏ କର୍ମୀପୁରୁଷ ଗାଁକୁ ଆସି ଏକାବେଳକେ ଅକର୍ମା ହୋଇ ପଡ଼ିଲେ ସେମାନଙ୍କ ମୁଣ୍ଡରୁ ବହୁତଗୁଡ଼ିଏ ଗ୍ରାମ ହିତକର ଓ ପ୍ରୀତିକର ଯୋଜନା ବାହାରି ପଡ଼େ । ଏହିପରି ଗୋଟିଏ ଗୋଟିଏ ଯୋଜନାରୁ ଗ୍ରାମ ପାଠଗାର, ପୋଷ୍ଟ ଅଫିସ୍‌, ମାଇନର ସ୍କୁଲ ପ୍ରଭୃତିର ଶୁଭ ଦିଆହୁଏ । କଳା ବିକାଶ, ସାଂସ୍କୃତିକ କାର୍ଯ୍ୟକ୍ରମ, ଥିଏଟିର ଓ ବଣଭୋଜି ପ୍ରଭୃତିର ଆୟୋଜନ ମଧ୍ୟ ଜୋର୍‍ସୋର୍‍ରେ ଚାଲେ । ଏସବୁ ଯୋଜନା ଯେ ସବୁବେଳେ ସଫଳ ହୁଏ ତାହା ନୁହେଁ, କାରଣ ସେମାନଙ୍କ ଭିତରେ ଉତ୍ସାହି ବ୍ୟକ୍ତିଙ୍କ ସହିତ ପରନିନ୍ଦୁକ ଖଳ ବ୍ୟକ୍ତି ମଧ୍ୟ ଥାଆନ୍ତି । ଏହି ଖଳ ପ୍ରକୃତିର ଲୋକମାନେ ସବୁ କଥାରେ କେଁ ବାହାର କରି ଦଳାଦଳିର ସୃଷ୍ଟି କଲେ ଆପେ ଆପେ ଯୋଜନା ସବୁ ବନ୍ଦ ହୋଇଯାଏ ।

 

ଗୋଟିଏ ବଡ଼ ଶିକ୍ଷିତ ଗାଆଁରେ ବଡ଼ ବଡ଼ ଛୁଟିମାନଙ୍କରେ ଏପରି ବହୁତ ଯୋଜନା କାର୍ଯ୍ୟକାରୀ ହେଉଥିଲା । ବାର୍ଷିକ ନାଟକୋତ୍ସବରେ ସେ ଗାଁ ପାଖଆଖ ଗାଁମାନଙ୍କ ଭିତରେ ସବୁଠାରୁ ବେଶି ସୁନାମ ଅର୍ଜନ କରିଥିଲା । କିନ୍ତୁ କେତେକ ଖଳ ପ୍ରକୃତିର ଲୋକଙ୍କ ଯୋଗୁଁ ବାଦବିବାଦ ଘନେଇ ଉଠିଲା । ସବୁ ଲୋକ ହିତକର କାର୍ଯ୍ୟତ ବନ୍ଦ ହେଲା ତା’ ସଙ୍ଗେ ସଙ୍ଗେ ବର୍ଷ ବର୍ଷ ଧରି ଥିଏଟରଟିଏ ମଧ୍ୟ ହୋଇପାରିଲାନାହିଁ ।

 

ସାମାଜିକ ଏକତାରେ ବାଧା ପଡ଼ିଲେ ଅସାମାଜିକ କାର୍ଯ୍ୟମାନ ମୁଣ୍ଡଟେକି ଉଠନ୍ତି । ଯୋଜନାବଦ୍ଧ ଦାୟିତ୍ୱରୁ ମୁକ୍ତ ହେବାରୁ ବୟସ୍କମାନେ ପଶା, ଗଞ୍ଜାପା ଖେଳ, ଭେଣ୍ଡିଆମାନେ ତାସ ଖେଳ ଓ ବାଳକମାନେ ପୋଖରୀ ହୁଡ଼ାରେ ମାଙ୍କଡ଼ମାନଙ୍କ ସଙ୍ଗେ ଯୁଦ୍ଧକରି, ପାଚିଲା କେନ୍ଦୁ, କ୍ଷୀରୀକୋଳି, ଭଇଁଚ କୋଳି, ବେତକୋଳି, ଖଜୁରି କୋଳି ପ୍ରଭୃତି ସଂଗ୍ରହରେ ଲାଗି ପଡ଼ିଲେ । ବିଶେଷତଃ ଖରା ଛୁଟିରେ ଗାଁମାନଙ୍କରେ ଯେଉଁ ଗରମ ତାହା ସହରର ଇଲେକ୍‍ଟ୍ରିକ ପଙ୍ଖା ତଳିଆ ବାବୁମାନଙ୍କ ପକ୍ଷରେ ସହିବା ବଡ଼ କଷ୍ଟ । ଗାଁରେ ଇଲେକ୍‍ଟ୍ରିକ୍‌ତ ନାହିଁ ତେଣୁ ଗରମ ସାଙ୍ଗକୁ ଅନ୍ଧାରି ବିଜେ କରୁଥିବା ମଶାମାନଙ୍କର ଉପଦ୍ରବ ଆଉରି ଅସହ୍ୟ ହୋଇ ଉଠେ । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟକ ପ୍ରଭୃତି ଥିଲେ, ସେଥିରେ ବ୍ୟସ୍ତ ରହି ଲୋକେ ଗରମ ଓ ମଶା ଅତ୍ୟାଚାର ଭୁଲି ଯାଆନ୍ତି । ସେ ସବୁର ଅଭାବରେ କେହି କେହି ସନ୍ଧ୍ୟାରେ ‘ପାଚକ ପାଣି’ ପିଇ ସ୍ୱର୍ଗସୁଖ ଅନୁଭବ କରିବାକୁ ଲାଗିଲେ । ସମୟ କ୍ରମେ ଏହି ଲଘୁନିଶା ସେବନ ଖୁବ୍‌ ପ୍ରସାର ଲାଭ କଲା । ଯିଏ ଯେଉଁ ନିଶା ସେବନ କରେ ତା’ର ଗୁଣଗାନ କରି ଅନ୍ୟ କେତେଜଣକୁ ସେଇ ନିଶାର ଅଭ୍ୟାସ କରାଇବାକୁ ଲାଗିପଡ଼େ । ଅଫିମ ଖାଉଥିବା ଲୋକ ଯେ କୌଣସି ରୋଗୀ ଦେଖିଲେ ତାକୁ ଅଫିମ ଖାଇ ଯନ୍ତ୍ରଣାରୁ ଉଦ୍ଧାର ପାଇବାପାଇଁ ପରାମର୍ଶ ଦିଏ । ଭାଙ୍ଗ ଖାଇଲେ ମନ ଉତ୍‌ଫୁଲ୍ଲ ରହେ ଓ ପୋଖରୀ ସଫା ହୁଏ ବୋଲି ଭାଙ୍ଗୁଆମାନେ କହନ୍ତି । ବିଭିନ୍ନ ନିଶାର ଗୁଣ ସମ୍ବନ୍ଧରେ ପ୍ରବଚନମାନ ରହିଚି ଯଥା–:ଆୟ ଧାୟ କରେ, ଗଞ୍ଜାମତ୍‌ କରେ, ସୁରା ତାକଧୀନ ଧୀନ ନାଚ କରେ । ଅଫିମ ଖାଇବା ଲୋକର ଆଖି ମୁଦି ଯାଉଥିବ ପୁଣି ହଠାତ୍‌ ଧପ୍‌କରି ‘ବାର ଲାଇଟ’ ଜଳିଲା ପରି ମେଲା ହୋଇ ଉଠିବ । ଭାଙ୍ଗ ଖାଇବା ଲୋକ ଦୁନିଆର ସବୁକଥା ଭୁଲି ନିଜକୁ ବାଦଶାହା ପରି ମନେକରି କେବଳ ହସରେ ଫାଟି ପଡ଼ୁଥିବ । ମଦ୍ୟପୀ ନିଜର ପଦ ଚାଳନାରେ କୃତକାର୍ଯ୍ୟ ନ ହୋଇପାରି ନାଚିଲା ଭଳି ଢଳି ଢଳି ଚାଲୁଥିବ ।

 

ଭାଙ୍ଗ, ପଶାଖେଳ ପ୍ରଭୃତିର ପ୍ରସାର ହେଲେ ମଧ୍ୟ ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ସମସ୍ତଙ୍କର ଇଚ୍ଛା ଥାଏ । ଅନ୍ତତଃ ନାଟକଟିଏ ହେବା ଉଚିତ ବୋଲି ସମସ୍ତେ ଉପଲବ୍‌ଧି କରୁଥାଆନ୍ତି । ସେଥିପାଇଁ ବହୁତ ଆଲୋଚନା ଓ ତର୍କ ବିତର୍କ ମଧ୍ୟ ଚାଲେ । କିନ୍ତୁ ପରସ୍ପର ପରସ୍ପର ମୁଣ୍ଡରେ ଦୋଷ ବୋଳିବାକୁ ଚେଷ୍ଟା କରନ୍ତି । କାହା ଯୋଗୁଁ ଏସବୁ ବନ୍ଦ ହୋଇଚି ତା’ ସ୍ଥିର ହୋଇପାରେନାହିଁ । କିବା କିଏ ପୁଣି ଦାୟିତ୍ୱ ନେଇ ତାହା ଆରମ୍ଭ କରିବ ସେ ବିଷୟରେ କିଛି ସିଦ୍ଧାନ୍ତ ହୋଇପାରେନାହିଁ । ତେଣୁ ପ୍ରସ୍ତାବ ଯେପରି ଆସିଥାଏ, ସେହିପରି ବାକ୍‌ବିତଣ୍ଡ ଭିତରେହିଁ ଲୀନ ହୋଇଯାଏ ।

 

ଏତ ବଡ଼ବଡ଼ମାନଙ୍କ ଭିତରେ ଆଲୋଚନା କଥା, ପିଲାମାନେ ମଧ୍ୟ ତାଙ୍କ ଭିତରେ ନାଟକ ସମ୍ବନ୍ଧରେ ଆଲୋଚନା କରିବାରୁ ବିରତ ହୁଅନ୍ତିନାହିଁ । ବହୁବାର ଆଲୋଚନା ନିଷ୍ଫଳ ହେବାପରେ ଓ ବଡ଼ମାନଙ୍କ ଠାରୁ ନାଟକ ଆରମ୍ଭ ହେବାର କୌଣସି ଆଶା ନଦେଖି ସେମାନେ ନିଜେ ଗୋଟିଏ ନାଟକ କରିବାପାଇଁ ପ୍ରସ୍ତାବ କଲେ । ସେମାନଙ୍କ ଭିତରୁ ଜଣେ କଟକ ସ୍କୁଲରେ ପଢ଼ୁଥିବା ପିଲା ଆଉ ଜଣେ ଗାଁ ପାଖ ସ୍କୁଲରେ ଏକା କ୍ଲାସର ପାଠକୁ ୩, ୪ ବର୍ଷରେ ଅଧ୍ୟୟନ କରୁଥିବା ପିଲାକୁ ଧରି ଗୋଟିଏ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତି କଲେ । ଥିଏଟର ପାଇଁ ବଡ଼ମାନଙ୍କ ଉପରେ ନିର୍ଭର ନରଖି ନିଜ ନିଜ ଭିତରେ ଅଣାଏ ଲେଖାଏଁ ଚାନ୍ଦାକରି, ଯେତିକି ହେବ ସେତିକିରେ ନାଟକ ଆରମ୍ଭ କରିବାର ସ୍ଥିର ହେଲା । ଥିଏଟର ପାଇଁ ଅନ୍ୟ ଗ୍ରାମମାନଙ୍କୁ ସିନ୍‌ ଓ ଡ୍ରେସ୍‌ ଅଣାଯିବାର ବ୍ୟବସ୍ଥା ହେଲା । ନାଟକପାଇଁ ‘ବୀରବାଳା’ ନାମକ ଗୋଟିଏ ଛୋଟିଆ ରାଜପୁତ ନାଟକ ବଛାଗଲା । ପିଲାମାନଙ୍କୁ ଅଧିକାଂଶ ପାର୍ଟ ଦିଆଗଲା । କେବଳ ରାଜା ଟୋଡ଼ରମଲ୍ଲ ପ୍ରଭୃତି ୨, ୩ଟି ପାର୍ଟ କେତେକ ପ୍ରାଥମିକ ସ୍କୁଲ ଶିକ୍ଷକ ଓ ହୋମିଓପ୍ୟାଥିକ ଡାକ୍ତରଙ୍କୁ ଦିଆଗଲା । ବଡ଼ ପୋଖରୀହୁଡ଼ାର ମର୍କଟମାରିଣୀ ସଂଘର ସ୍ୱୟଂଚାଳକ ଓ ଅନ୍ୟ ଅଭିନେତାମାନଙ୍କ ଧରି ଖରାବେଳେ ୟା, ତା’ ପିଣ୍ଡାରେ ନାଟକ ଅଭିନୟର ଆବୃତ୍ତି (ରିଅରସାଲ୍‌) ଆରମ୍ଭ କରାଗଲା ।

 

ପିଲାମାନଙ୍କଠାରୁ ସମୁଦାୟ ଚାନ୍ଦା ଉଠିଲା ତିନିଟଙ୍କା ତେରଅଣା, ବଡ଼ଙ୍କ ଭିତରୁ କେହି କେହି ପୃଷ୍ଠପୋଷକ ବା ଅଭିନେତା ଭାବରେ ଚାରି ଆଠଅଣା ଚାନ୍ଦା ଦେଲେ । ଜଣେ ସ୍ୱନାମଧନ୍ୟ ମଉଜି ଜମିଦାରବାବୁ ପିଲାଙ୍କୁ ଉତ୍ସାହିତ କରିବାକୁ ସ୍ୱେଚ୍ଛାପ୍ରଣୋଦିତ ହୋଇ ଏକାବେଳକେ ଏକଟଙ୍କା ଚାନ୍ଦା ଦେଇଦେଲେ । କେବଳ ଚାନ୍ଦା ଦେବାର ସନ୍ତୁଷ୍ଟ ନହୋଇ ଜମିଦାରବାବୁ ମଝିରେ ମଝିରେ ଆସି ଅଭିନେତାଙ୍କ ଆବୃତ୍ତି ଦେଖି ନିର୍ଦ୍ଦେଶନା ମଧ୍ୟ ପରିଚାଳନା କଲେ ଓ ନିଜେ ସୂତ୍ରଧର ହୋଇ ନାଟକ ଆରମ୍ଭ ପୂର୍ବରୁ ଦର୍ଶକ ମଣ୍ଡଳିକୁ ସମସ୍ତ କଥା ବୁଝାଇ ଦେବାକୁ ପ୍ରତିଶ୍ରୁତି ଦେଲେ । ଉଦ୍ୟେକ୍ତାମାନେ ତାଙ୍କ ସହାନୁଭୂତିରେ ଦୁଇଗୁଣ ଉତ୍ସାହିତ ହୋଇ ନାଟକ କାର୍ଯ୍ୟରେ ଲାଗି ପଡ଼ିଲେ ।

 

ଦୋଳପୂର୍ଣ୍ଣମୀ ଦିନଟି ନାଟକର ଶୁଭାରମ୍ଭ ଦିବସରୂପେ ସ୍ଥିର କରାଗଲା । ସ୍ଥାନଟି ପୁଣି ଠିକ୍‌ ଦୋଳବେଦୀ ନିକଟରେ ବଛାଗଲା । ଏପରି ନାଟକପାଇଁ ସମୟ ଓ ସ୍ଥାନର ଗୁରୁତ୍ୱ ବହୁତ ବେଶି, କାରଣ ଦୋଳପୂର୍ଣ୍ଣମୀ ଦିନ ଠାକୁର ଦୋଳବେଦୀ ଉପରେ ଥିବାରୁ ସେଠାରେ ବହୁତ ଲୋକ ଜମିବାର ସମ୍ଭାବନା ତେଶୁ ନାଟକ ଯାହାହେଉ ଦର୍ଶକର ଅଭାବ ରହିବନାହିଁ, ଓ ଦର୍ଶକ ସଂଖ୍ୟା ବେଶି ହେଲେ ଅଭିନେତାମାନେ ନିଶ୍ଚୟ ଅଧିକ ଉତ୍ସାହିତ ହେବେ ।

 

ନାଟକଟି ପାଇଁ ଉଦ୍ୟୋକ୍ତାମାନଙ୍କୁ ବହୁ ଯତ୍ନ କରିବାକୁ ପଡ଼ିଲା । ୪ ମାଇଲ ଦୂରବର୍ତ୍ତୀ ଗୋଟିଏ ଗ୍ରାମରେ ନାଟକ କ୍ଲବ୍‍ଟିଏ ଭାଙ୍ଗି ଯାଇଥିଲା । ସେଥିରେ କାଳକ୍ରମେ ନଷ୍ଟ ହୋଇ ହୋଇ କେତେକ ସିନ୍‌ ଓ ଡ୍ରପ ପ୍ରଭୃତି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିଲା । ସିନ୍‌ମାନଙ୍କରୁ ରଙ୍ଗ ପ୍ରାୟ ଛାଡ଼ି ଯାଇଥିଲା । ମୂଷାଙ୍କ ଉପଦ୍ରବରୁ ସିନ୍‌ମାନଙ୍କ ଦେହରେ ନାନାଆକାରର କଣାମାନ ବିରାଜମାନ କରୁଥିଲା । ସେତକପାଇଁ ମଧ୍ୟ ବହୁତ ଥର ଦଉଡ଼ିବାକୁ ପଡ଼ିଲା । ଶେଷରେ ଗାଁବାଲାମାନଙ୍କୁ ବହୁ କଷ୍ଟରେ ରାଜିକରି ସେତକ ସାଇକେଲ ପଛରେ ବନ୍ଧୁ ଦୁଇଚାରି ଥରରେ ରଙ୍ଗମଞ୍ଚକୁ ଅଣାଗଲା । ଆଉ ଗୋଟିଏ ଗ୍ରାମରେ ଆଗେ ଯାତ୍ରା ଦଳଟିଏ ଥିଲା । ସେଇଟିବି ଭାଙ୍ଗି ଯାଇ ତାହାର ଅବଶିଷ୍ଟାଂଶ କେତେକ ରାଜା ମନ୍ତ୍ରୀ ପୋଷାକ କୋଚଟ ମଳିଆ ଓ ଦୁର୍ଗନ୍ଧମୟ ଅବସ୍ଥାରେ ସେ ଗ୍ରାମ ମଝିରେ ଥିବା ଆଖେଡ଼ା ଘରର ଗୋଟିଏ କଣରେ ପଡ଼ିଥିଲା, ସେଗୁଡ଼ାକ ମଧ୍ୟ ଯତ୍ନ ସହକାରେ ସଂଗ୍ରହ କରାଗଲା । ପିଲାମାନେ ଅତି ଉତ୍ସାହରେ ରଙ୍ଗମଞ୍ଚଟିଏ ତିଆରି କରିଥିଲେ, ତାକୁ ଉପରୋକ୍ତ ସିନ୍ ଓ ଗ୍ରାମରୁ ପାଖିଆ ସିନ୍‌ କରିବାକୁ ମାଗିଯାଚି ଆଣିଥିବା ଶାଢ଼ିମାନ ଦେଇ ରଙ୍ଗମଞ୍ଚଟିକୁ ସଜାଇ ଦେଲେ ।

 

ବେଶପାଇଁ ଆଉ ଯାହା ପୋଷାକପତ୍ର ଦରକାର ସେସବୁ ମଧ୍ୟ ଗାଁରୁ ସଂଗ୍ରହ କରାଗଲା । ପେଣ୍ଟିଙ୍ଗପାଇଁ ରାମ-ରଜ ସିନ୍ଦୂର, କଜ୍ଜଳ ପ୍ରଭୃତି କିଣା ହୋଇ ଆସିଲା । କଳାଧଳା ରେଶମୀ ନିଶ ଓ ସେଥିପାଇଁ ଅଠା ମଧ୍ୟ ଅଣାଗଲା । ଗାଁରେ ଜଣେ ଚିତ୍ରକର ମୂର୍ତ୍ତିସବୁ ଚିତ୍ରକରି ବିକ୍ରି କରନ୍ତି । ସେ ଆସି ଅଭିନେତାମାନଙ୍କୁ ବେଶ କରିବାରେ ଲାଗି ପଡ଼ିଲେ । ଉଦ୍ୟୋକ୍ତାମାନେ ରଙ୍ଗମଞ୍ଚ ସାମନାରେ ଦର୍ଶକମାନେ ବସିବାପାଇଁ ନଡ଼ିଆ ପତ୍ର ଚାଞ୍ଚ ସବୁ ବିଛାଇ ଦେଲେ । ଦୋଳବେଦୀ ସାମନାରେ ଜମିଥିବା ଲୋକମାନେ କୌତୁହଳ ବଶତଃ ସେ ନାଟକ ଦେଖିବାକୁ ଆସି ଚାଞ୍ଚ ଉପରେ ବସିଲେ । ଅବଶ୍ୟ ବୟସ୍କମାନଙ୍କ ଅପେକ୍ଷା ଛୋଟ ପିଲାମାନେ ବେଶି ସଂଖ୍ୟାରେ ବସିଥିବାର ଦେଖାଗଲା ।

 

ଘଣ୍ଟ ବାଜିଲା, ଡ୍ରପ ଉଠିଲା, ଜମିଦାରବାବୁ ସୂତ୍ରଧର ଭୂମିକାରେ ପ୍ରଥମେ ରଙ୍ଗ ମଞ୍ଚରେ ଉଭା ହେଲେ । ପିଲାମାନଙ୍କର ଉଦ୍ୟମକୁ ପ୍ରଶଂସା କରି ଏହି ଉଦ୍ୟମଟି କେବଳ ସେହି କରୁଣାମୟ ଅନ୍ତର୍ଯ୍ୟାମୀ ଅନନ୍ତ ମହାପ୍ରଭୁଙ୍କ ଅପାର କରୁଣା ଯୋଗୁଁ ସଫଳକାମ ହୋଇପାରେ ବୋଲି, ମହାପ୍ରଭୁଙ୍କର ସ୍ତୁତି ଗାନ କରିବା ଉଦ୍ଦେଶ୍ୟରେ ଭକ୍ତକବି ମଧୁସୂଦନଙ୍କର ‘‘ହେ ଅନନ୍ତ ମହାପ୍ରଭୁ କେ ପାରିବ ବର୍ଣ୍ଣି ଅପାର ମହିମା ତବ’’ ଗୀତ ପଦକର ଆବୃତ୍ତି ଆରମ୍ଭ କରିଦେଲେ । ରଙ୍ଗମଞ୍ଚକୁ ଆସିବା ପୂର୍ବରୁ ହୁଏତ ସେ ଯୋଗୀଜନ ଆବୃତ ସୋମରସ ଭଳି କୌଣସି ପାନୀୟ ପାନକରି ଆସିଥିଲେ । ନିଶାରେ ଏକାଗ୍ରତା ବଢ଼େ ଓ ଯୋଗୀ ସମ୍ପୂର୍ଣ୍ଣ ଭାବରେ ଯୋଗସ୍ଥ ହୋଇପାରେ ବୋଲି ଆଜିକାଲିର ହିପ୍‌ପିମାନଙ୍କ ପରି ତାଙ୍କର ଦୃଢ଼ ଧାରଣା ଥିଲା । ସତକୁ ସତ ସେ ଭଗବତ ପ୍ରାର୍ଥନା ଆରମ୍ଭ କଲାବେଳକୁ ତାଙ୍କର ମନ ଦେବତା ସ୍ୱର୍ଗର ଦିବ୍ୟ ସନ୍ଦେଶପାଇଁ ଉପରକୁ ଉପର ଉଠିବାକୁ ଲାଗିଲେ ! ସେ ଭାବ ବିଭୋର ହୋଇ ପଡ଼ି ବନ୍ଦନା ପଦଟି ନାନାରସ ଓ ଭଙ୍ଗୀରେ ଆବୃତ୍ତି କରିବାକୁ ଲାଗିଲେ । ହାରମନିଅମ ଓ ଅନ୍ୟ ବାଦ୍ୟଯନ୍ତ୍ରମାନଙ୍କର ସପ୍ତସ୍ୱର ଡେଇଁ ତାଙ୍କର ସ୍ୱର, ଗର୍ଦ୍ଧଭ, ଭେକ ଓ ବୃଷଭ ସ୍ୱରମାନଙ୍କୁ ମଧ୍ୟ ବଳିଗଲା । ଆବୃତ୍ତିବେଳେ ସେ ପାରିପାର୍ଶ୍ୱିକ ପରିସ୍ଥିତି କଥା ଏକାବେଳକେ ପାଶୋରି ପକାଇଲେ । କେତେବେଳେ ‘‘ହେ, ଏ, ଏ, ମହାପ୍ର-ଅ-ଭୁ’’ ବୋଲି କରୁଣ ରସରେ ବୋଲୁ ବୋଲୁ କାନ୍ଦରେ ଅଧିର ହୋଇ ପଡ଼ନ୍ତି ତ ପୁଣି ସଙ୍ଗେ ସଙ୍ଗେ ବୀର ରସରେ ଗୋଡ଼ହାତ କଚାଡ଼ି ରଙ୍ଗମଞ୍ଚକୁ ଦୋହଲାଇ ଦିଅନ୍ତି କେତେବେଳେ ପୁଣି ହାସ୍ୟରସରେ ‘‘ହେ ଅନନ୍ତ ମହାପ୍ରଭୁ କହି ହସି, ହସି ହସରେ ଫାଟି ପଡ଼ନ୍ତି । ଏହିପରି ଅନନ୍ତ ମହାପ୍ରଭୁଙ୍କ ଉପରେ, ରାଗ, ରୋଷ ଅଭିମାନ, ବିରକ୍ତି, ଦେଖାଇ ଷଡ଼ରସରେ ପଦ୍ୟଟି ଆବୃତ୍ତି କରୁ କରୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ହୋଇଗଲା, କିନ୍ତୁ ଆବୃତ୍ତି ଶେଷ ହେବାର କୌଣସି ଲକ୍ଷଣ ଦେଖାଗଲା ନାହିଁ । ଦର୍ଶକ ମଣ୍ଡଳି ପ୍ରଥମେ ଖୁବ୍‌ ଆଗ୍ରହ ସହକାରେ ଶୁଣିବାକୁ ଚେଷ୍ଟା କଲେ ମଧ୍ୟ ଆଉ ସ୍ଥିର ହୋଇ ବସି ନପାରି ଆସ୍ତେ ଆସ୍ତେ ସ୍ୱସ୍ଥାନ ତ୍ୟାଗକରି ସେଠାରୁ ଉଠି ଚାଲିଗଲେ । ଦର୍ଶକମଣ୍ଡଳିରେ ଥିବା ଛୋଟଛୋଟ ପିଲାମାନେ ପ୍ରାର୍ଥନାରେ ତନ୍ମୟ ହୋଇ ସ୍ୱସ୍ଥାନରେ ଆଖି ମୁଦି ନିଦ୍ରାଗଲେ, ତେଣୁ ସେ ସ୍ଥାନରେ ଭଗବତ ଚିନ୍ତାର ନୀରବତା ରାଜତ୍ୱ କଲା-। ଉଦ୍ୟୋକ୍ତାମାନେ ବ୍ୟତିବ୍ୟସ୍ତ ହୋଇ ପ୍ରାର୍ଥନା ବନ୍ଦ କରିବାପାଇଁ ନାନାଇସାରା ଦେଇ ଯେତେ ପ୍ରାର୍ଥନା କଲେ ସେସବୁ କିଛି ଫଳବତୀ ହେଲାନାହିଁ । ସୂତ୍ରଧର ବାହାରର କୌଣସି ଶବ୍ଦ ପ୍ରତି କର୍ଣ୍ଣପାତ ନକରି ଢଳି ଢଳି ପ୍ରାର୍ଥନାରେ ତନ୍ମୟ ହୋଇ ଆହୁରି ଉତ୍ସାହରେ ଆବୃତ୍ତି କରିବାକୁ ଲାଗିଲେ । ଏ ଘଟଣାରେ ଅନ୍ୟ ଅଭିନେତାମାନେ ସମସ୍ତ ଉତ୍ସାହ ହରାଇ, ପୂର୍ଣ୍ଣ ଭାବରେ ନିରୁତ୍ସାହ ହୋଇ ଉଠିଲେ । ଛୋଟ ଛୋଟ ଅଭିନେତାମାନଙ୍କ ଭିତରୁ ଅଧିକାଂଶକୁ ନିଦ୍ରାଦେବୀ ନିଜ କୋଳକୁ ଟାଣି ନେଲେ । ଉଦ୍ୟୋକ୍ତାମାନଙ୍କ ଭିତରେ ବଡ଼ ଭାଳେଣି ପଡ଼ିଗଲା । ସେମାନଙ୍କ ଭିତରୁ ପୂର୍ବୋକ୍ତ ମର୍କଟମାରିଣୀ ସଂଘର ସ୍ୱୟଂଚାଳକ ଗୋଟିଏ ଉପାୟ ସ୍ଥିର କରି ଆଗକୁ ବାହାରି ପଡ଼ିଲେ । ସେ ନାଟକପାଇଁ ସବୁଠାରୁ ବେଶି ପରିଶ୍ରମ କରିଛନ୍ତି । ତାଙ୍କର ଅତି ଦୁବୃତ୍ତ ମର୍କଟମାନଙ୍କୁ ଘଉଡ଼ାଇବାର ଅଭିଜ୍ଞତା ମଧ୍ୟ ଅଛି ତେଣୁ ସେ ଗୋଟିଏ ବଙ୍କୁଲି ବାଡ଼ି ଖୋଜିବାରେ ଲାଗିପଡ଼ିଲେ-। ବଙ୍କୁଲି ବାଡ଼ି ନପାଇ ଗୋଟିଏ ବଙ୍କାବେଣ୍ଟିଆ ଛତା ଯୋଗାଡ଼ କଲେ । ସେ ଛତାଟିକୁ ଧରି ରଙ୍ଗମଞ୍ଚ ସାମନକୁ ଆଗେଇ ଗଲେ । ସୂତ୍ରଧର ଦର୍ଶକମାନଙ୍କ ଆଡ଼କୁ ଚାହିଁ ଆବୃତ୍ତି କରିଥିଲାବେଳେ ଅତି ସାବଧାନତା ସହକାରେ ତାଙ୍କର କଛା ଭିତରେ ଛତାବେଣ୍ଟର ବଙ୍କୁଲି ଅଂଶଟିକୁ ଗଳାଇ ଦେଇ ଆସ୍ତେ ଆସ୍ତେ ପଛକୁ ଟାଣିଲେ ଏହିପରି ଭାବରେ ଟଣାହୋଇ ସୂତ୍ରଧର ଭିତରକୁ ନିଆଗଲେ । ବିଭୁ ବନ୍ଦନାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ।

 

ନିଦ୍ରିତ ଅଭିନେତାମାନଙ୍କୁ ଉଠାଇ ନାଟକ ଅଭିନୟ ଆରମ୍ଭ କରିବାରେ ଯୋଗାଡ଼ ଚାଲିଲା । ଅଭିନେତାମାନଙ୍କ ଭିତରୁ ଅନେକେ ସେତେବେଳକୁ ପ୍ରକୃତିସ୍ଥ ନଥିବାର ଦେଖାଗଲା । ନିଦ୍ରିତ ଅଭିନେତାମାନଙ୍କ ନିଦ୍ରା ସୁସ୍ଥ ଲୋକର ନିଦ୍ରାପରି ମନେହେଲାନାହିଁ, ବୁଝାବୁଝି କରିବା ପରେ ତାହା ଭାଙ୍ଗ ନିଶାର ନିଦ୍ରା ବୋଲି ଜଣାପଡ଼ିଲା । ଉଦ୍ୟୋକ୍ତାମାନେ କାର୍ଯ୍ୟବ୍ୟସ୍ତ ଥିବାବେଳେ, କେତେକ ବୟସ ଅଭିନେତାଙ୍କଦ୍ୱାରା ପାଚକ ପାଣିର ବ୍ୟବସ୍ଥା ହୋଇଯାଇଥିଲା ଓ ଅଧିକାଂଶ ଅଭିନେତା ସେ ପ୍ରସାଦ ସେବନ କରି ସାରିଥିଲେ ।

 

ଅଭିନୟ ଆରମ୍ଭ ହେଲା ଜଣେ ପ୍ରାଥମିକ ଶିକ୍ଷକ ‘‘ରାଜା ଟୋଡ଼ର୍‌ମଲ୍ଲ’’ ହୋଇ ରଙ୍ଗମଞ୍ଚକୁ ଆସିଲେ । ତାଙ୍କୁ ଯାତ୍ରାର ରାଜପୋଷାକ ପିନ୍ଧାଇ ଦିଆଯାଇଥିଲା, ତାଙ୍କର ଚେହେରା ଅତି ସୁନ୍ଦର, ବେଶ ଭଲ ମାନୁଥିଲା, କିନ୍ତୁ ବାତଜ୍ୱର ବ୍ୟାଧି ଯୋଗୁଁ ଡାହାଣ ଗୋଡ଼ଟି ଗୋଦଡ଼ା ହୋଇଥିବାରୁ ସେ ଗୋଡ଼ରେ ରାଜପାଦୁକା ଦିଆଯାଇ ନପାରି ଲୁଗାର କୁଞ୍ଚକୁ ବଢ଼ାଇ ଦିଆଯାଇ ସେପ୍‌ଟିପିନ୍‌ ମାରି ସେଉଟିକି ସମ୍ପୂର୍ଣ୍ଣରୂପେ ଘୋଡ଼ାଇ ଦିଆଯାଇଥିଲା । ଯୁଦ୍ଧର ଭୂମିକାରେ ରାଜା ଖଣ୍ଡାଧରି ଯୁଦ୍ଧକରି ବିପକ୍ଷ ସୈନ୍ୟକୁ ମାରିବାର କଥା, ଅଭିନୟରେ ପ୍ରଥମେ ଚାରିଜଣ ବିପକ୍ଷ ସୈନ୍ୟ ଆସି ପରାସ୍ତ ହେବାପରେ ରାଜାଙ୍କର କିଛି ବକ୍ତବ୍ୟ ଥିଲା ଓ ବକ୍ତବ୍ୟ ନସରୁ ପୁଣି ଚାରିଜଣ ବିପକ୍ଷ ସୈନ୍ୟ ଆସି ତାଙ୍କ ସଙ୍ଗେ ଯୁଦ୍ଧ କରିବା ଦୃଶ୍ୟ ସେ ନାଟକର ବିଷୟବସ୍ତୁରେ ନିହିତ ଥିଲା । ରାଜା ଟୋଡ଼ର୍‍ମଲ୍ଲ, ଖଣ୍ଡାଧରି ଯୁଦ୍ଧର ଡାକରା ଦେଲା ସୈନ୍ୟ ଭାବରେ ଅଭିନୟ କରିବା ଅଭିନେତାମାନଙ୍କ ନିଦରୁ ଉଠାଇ ଭିତରୁ ରଙ୍ଗମଞ୍ଚକୁ ପଠାଉ ପଠାଉ, ଚାରିଜଣଙ୍କ ସ୍ଥାନରେ (ଆଠଜଣଯାକ) ସମସ୍ତେ ଯୁଦ୍ଧ କରିବାକୁ ଏକାବେଳକେ ରଙ୍ଗମଞ୍ଚକୁ ବାହାରି ଆସିଲେ । ରାଜା ସେମାନଙ୍କୁ ମାରି ପରାସ୍ତ କରିବାର ଅଭିନୟ କଲେ, ସଙ୍ଗେ ସଙ୍ଗେ ସବୁ ସୈନ୍ୟତକ ଅଭିନୟ କରି ମଞ୍ଚ ଉପରେ ପରାସ୍ତ ହୋଇ ମରି ପଡ଼ିବା ପରି ଲମ୍ବ ଲମ୍ବ ତଳେ ପଡ଼ିଗଲେ । ଟୋଡ଼ର୍‍ମଲ୍ଲ ପରବର୍ତ୍ତୀ ବକ୍ତବ୍ୟ ଶେଷକରି ପୁଣି ଯୁଦ୍ଧ ଡାକରା ଦେଲାବେଳକୁ ଆଉ ଯୁଦ୍ଧ କରିବାକୁ ଗୋଟିଏ ହେଲେ ବଳକା ସୈନ୍ୟ ନଥିଲେ । ଉଦ୍ୟୋକ୍ତାମାନେ ଓ ପ୍ରମ୍ପ୍‍ଟର ଯେତେ ଠାରିଲେ ଓ ଉଦ୍ୟମ କଲେ ଭୁଲ୍‍ରେ ଚାଲି ଯାଇଥିବା ସୈନ୍ୟମାନେ ଆଉ ଭିତରକୁ ଫେରିଲେନାହିଁ । ପୁଣି ଉଠି ଚାଲି ଚାଲି ଫେରିବେ ବା କିପରି ? ତାଙ୍କୁ ଗଡ଼ି ଗଡ଼ି ଭିତରକୁ ପଳାଇ ଆସିବାପାଇଁ ନିର୍ଦ୍ଦେଶ ଦିଆଗଲା-। କେତେକ ଗଡ଼ିବାକୁ ଆରମ୍ଭ କଲେ । ଅନ୍ୟ କେତେକଙ୍କୁ ସିନ୍‌ ତଳେ ହାତ ଗଳାଇ ଗୋଡ଼ ଭିଡ଼ି ଭିତରକୁ ନେବାର ଉଦ୍ୟମ କରାଗଲା । ଠିକ୍‌ ଏତିକିବେଳେ ବେଶି ବ୍ୟସ୍ତ ହୋଇ ସିନପକା ଦାୟିତ୍ୱରେ ଥିବା ନିଶା ବିଭୋର କର୍ମୀ ଉପରୁ ସିନଟିଏ ଧଡ଼କରି ତଳକୁ ପକାଇ ଦେଲେ-। ସିନ୍‌ ତଳ ବାଉଁଶଟି, ଗଡ଼ୁଥିବା ଓ ଭିଡ଼ା ହେଉଥିବା ସୈନ୍ୟମାନଙ୍କ ଉପରେ ଦୁଲକରି ପଡ଼ିଗଲା । କିଏ ମୁଣ୍ଡରେ ବା କିଏ ପିଠିରେ ଆଘାତ ପାଇ ହଠାତ୍‌ ଚିତ୍କାର କରି ଉଠିଲାବେଳକୁ, ରାଜାଙ୍କର ସମ୍ପୂର୍ଣ୍ଣ ଧୈର୍ଯ୍ୟଚ୍ୟୁତି ଘଟିଲା । ରାଜା ପରିସ୍ଥିତି କଥା ସମ୍ପୂର୍ଣ୍ଣ ଭୁଲିଯାଇ ରାଗରେ ଗରଗର ହୋଇ, ହଠାତ୍‌ ନାଟକ ବହିର୍ଭୂତ ନିଜସ୍ୱ ବକ୍ତୃତା ଆରମ୍ଭ କରିଦେଲେ । ସେ ବିକଟାଳ ହସଟିଏ ହସି ହେତ୍‌, ଧେତ୍ କହି ଉଦ୍ୟୋକ୍ତା ଓ ଅନ୍ୟ ଅଭିନେତାମାନଙ୍କ ଚଉଦ ପୁରୁଷ ଉଦ୍ଧାର କରି ଉନ୍ମତ୍ତ ଭାବରେ ଗୋଡ଼ ହାତ ଛାଟୁ ଛାଟୁ ନିଜର ସମସ୍ତ ଶକ୍ତି ଖଟାଇ ତାଙ୍କର ବିରାଟ ଗୋଦଡ଼ ଗୋଡ଼ଟି ଦର୍ଶକମାନଙ୍କ ଆଡ଼କୁ ଦେଖାଇ ଜୋର୍‍ରେ ମଞ୍ଚ ଉପରେ କଚାଡ଼ି ସାମନାକୁ ଛାଟିଦେଲେ । ତା’ପରେ ଯେଉଁ ମହାଭାରତ ଯୁଦ୍ଧର ସୃଷ୍ଟି ହେଲା ଓ ଯେପରି ଭାବରେ ନାଟକର ଯବନିକା ପଡ଼ିଲା ସେ ବିଷୟ ଆଉ ନ କହିବା ଭଲ ।

Image

 

Unknown

ଅପର୍ତ୍ତିର ଅପ୍ରୀତି

 

ମାନବ ସମାଜର ପ୍ରୀତି ବା ପରସ୍ପର ଭିତରେ ଭଲଭାବ ପ୍ରତିଷ୍ଠାପାଇଁ ଯୁଗେ ଯୁଗେ ବୁଦ୍ଧ, ଶଙ୍କର, ଯିଶୁ, ଗାନ୍ଧି, ଗୋପବନ୍ଧୁ ପ୍ରଭୃତି ମହାତ୍ମାମାନେ ପ୍ରଚାର କରିଯାଇଛନ୍ତି । ଆଦିମ କାଳରୁ ପରସ୍ପର ସାହାଯ୍ୟ ଓ ବନ୍ଧୁତା ଭିତ୍ତିରେ ଆମ ସମାଜ ଚାଲିଛି । ଏବେ ଦେଶମାନେ ପରସ୍ପର ବନ୍ଧୁତା ପାଶରେ ଛନ୍ଦାହୋଇ ସ୍ୱଚ୍ଛନ୍ଦରେ ବାସ କରିବାକୁ ଉଦ୍ୟମ ଚଳାଇଛନ୍ତି । ତଥାପି ପୃଥିବୀରେ ସବୁସ୍ତରରେ ସବୁବେଳେ କଳହ ଲାଗି ରହିଛି । ତେବେ ଏ ଅପ୍ରୀତି ବା କଳହ କାହିଁକି ନ ମରି ବଞ୍ଚି ରହିଛି ? ଏଥିରୁ ଜଣାପଡ଼ୁଛି ଅପ୍ରୀତିକୁ ଛାଡ଼ି ମଣିଷ ଓ ସମାଜ ବଞ୍ଚି ରହିପାରୁନାହିଁ ତେଣୁ ଅପ୍ରୀତିର କିଛି ପ୍ରୟୋଜନନାହିଁ ଏକଥା କହିବା ଅସମ୍ଭବ ।

 

ଇତିହାସ ପୃଷ୍ଠାରୁ ଦେଖାଯାଏ ହଠାତ୍‌ ଗୋଟିଏ ଦେଶ ଅନ୍ୟ ପଡ଼ୋଶୀ ଦେଶ ଉପରେ ବୃଥା ଦୋଷ ଲଦି ସେ ଶାନ୍ତିପ୍ରିୟ ଦେଶଟିକୁ ଆକ୍ରମଣ କରି କାବୁ କରିଛି । ଗତବିଶ୍ୱଯୁଦ୍ଧରେ ହିଟଲର ଜର୍ମାନୀର ହିତ ସାଧନା ଉଦ୍ଦେଶ୍ୟରେ ପୋଲାଣ୍ଡ, ଯେକୋସ୍ଳୋଭାକିମ ପ୍ରଭୃତି ଶାନ୍ତିପ୍ରିୟ ଦେଶମାନଙ୍କ ଉପରେ ନାନାଦୋଷ ଲଦି ପୃଥିବୀସାରା ଦୃଢ଼ ପ୍ରଚାର ଚଳାଇ ଶେଷରେ ଆକ୍ରମଣ କରି ନିଜର କରିନେଲା । ଇହୁଦି ଜାତିକୁ ମିଥ୍ୟା ଅପବାଦ ଦେଇ, ନାନାବାହାନା ଦେଖାଇ ବିନା ଦୋଷରେ ପିଲାପିଚିକା ସହିତ ନିଆଁରେ ପକାଇ ପାଉଁଶ କରିଦେଲା । ନେହୁରୁ ସାହେବ ଚିନା ସଙ୍ଗେ ବନ୍ଧୁ ବାନ୍ଧିବାପାଇଁ କେତେ ଚେଷ୍ଟା ନକଲେ । ହିନ୍ଦ୍‌-ଚୀନା ଭାଇଭାଇ କହି ପଞ୍ଚଶୀଳ ନୀତିରେ ତିବ୍ଦତ୍ତ ଭଳି ଶାନ୍ତିକାମୀ ଦେଶକୁ ଚିନାଙ୍କ ହାତକୁ ଟେକି ଦେଲେ । ଆମର ଲଡ଼ାକୁ ଅଞ୍ଚଳକୁ ଚିନାମାନେ ମାଡ଼ିଯିବାରେ, ସେଠାରେ ଦୂବ ଉଠେନାହିଁ କହି ସେଥିରେ ବିଶେଷ ଆପତ୍ତି କଲେନାହିଁ । ତଥାପି ଚିନା ପୃଥିବୀରେ ଭାରତ ବିରୁଦ୍ଧରେ ନାନାଅଭିସନ୍ଧିମୂଳକ ମିଥ୍ୟା ପ୍ରଚୁର ଚଳାଇ ଶେଷରେ ଭାରତକୁ ଆକ୍ରମଣ କଲା ।

 

ଦେଶ, ଦେଶ ଭିତରେ କଥା ଛାଡ଼ ଭାଇ, ଭାଇ ବନ୍ଧୁଙ୍କ ଭିତରେ ଏଭଳି, ଦୃଷ୍ଟାନ୍ତ କମ୍‍ ନାହିଁ । ଏପରିକି ମାନବ ସାହିତ୍ୟରେ ଜୀବଜନ୍ତୁଙ୍କ ଭିତରେ ଏପରି ଦୃଷ୍ଟାନ୍ତମାନ ଦିଆହୋଇ ବହୁତ ଗଳ୍ପ ତିଆରି କରାହୋଇଚି; ଗଧିଆ ମେଣ୍ଢାଛୁଆ ଗପ ସମସ୍ତଙ୍କୁ ଜଣା । ପର୍ବତରୁ ଝରଣାଟିଏ ଉପରୁ ତଳକୁ କୁଳୁକୁଳୁ ହୋଇ ବହି ଆସୁଥିଲା । ମେଣ୍ଢାଛୁଆଟିଏ ପର୍ବତତଳେ ଠିଆ ହୋଇ ଝରଣାରୁ ପାଣି ପିଉଥିଲା । ପର୍ବତ ଉପରେ, ଝରଣାର ଉପର ମୁଣ୍ଡେ ଗଧିଆଟିଏ ଠିଆ ହୋଇ, ଝରଣାତଳୁ ପାଣି ପିଉଥିବା ମେଣ୍ଢାଛୁଆଟି ତା’ର ପିଇବା ପାଣିକୁ ଗୋଳିଆ କରୁଛି ବୋଲି ତାକୁ ଗାଳିଦେଲା । ଏ ମେଣ୍ଢାଛୁଆ କହିଲା ମୋ ପିଇବା ପାଣି ଉପରକୁ ଉଠି କିପରି ତୁମ ପାଣି ଗୋଳିଆ କରିବ ? ଗଧିଆର ଏ ଉକ୍ତି ଅସମ୍ଭବ ବୋଲି ଯେତେ ପ୍ରମାଣ ଦେବାକୁ ଚାହିଁଲା ଗଧିଆ ସେଥିରେ କର୍ଣ୍ଣପାତ କଲାନାହିଁ । ଓଲଟି ଗଧିଆ କହିଲା, ଏବେ ନହେଲାନାହିଁ, ଆରବର୍ଷ ଏହି ଦିନେ ତୁ ଉପରେ ଥାଇ ମୋ ପାଣି ଗୋଳିଆ କରିଥିଲୁ । ତାହା ଶୁଣି ମେଣ୍ଢାଛୁଆ କହିଲା ମୋର ବୟସ ବର୍ଷକରୁ କମ୍ ତେଣୁ ମୁଁ ଆସି ତୁମ ପାଣି ଗୋଳିଆ କରିବା ଅସମ୍ଭବ । ଏ କଥାରେ ମଧ୍ୟ ଗୁରୁତ୍ଵ ନଦେଇ “ନହେଲେ ତୋ ମା କରିଥିବ” ବୋଲି ତା’ ଉପରେ ଦୋଷ ଲଦିଲା । ଏହି କଥୋପକଥନ ଭିତରେ ସେ ଆସ୍ତେ ଆସ୍ତେ ମେଣ୍ଢାଛୁଆ ନିକଟକୁ ଆସିଯାଇଥିଲା ମେଣ୍ଢାଛୁଆର ଆଉ ପଳାଇବାକୁ ଉପାୟ ମଧ୍ୟ ନଥିଲା ତେଣୁ ଗଧିଆ ଗୋଟିଏ ଖେପାରେ ତାକୁ ମାଡ଼ିବସି ଶେଷ କରିଦେଲା ।

 

ସେହିପରି ଆମ ସମାଜରେ ଅନେକ ପ୍ରତାପଶାଳୀ ଲୋକ ନିରୀହ ଭାଇ, ପଡ଼ୋଶୀ ଓ ପ୍ରଜାମାନଙ୍କ ବିରୁଦ୍ଧରେ ମିଥ୍ୟା ପ୍ରଚାର ଚଳାଇ, ସେମାନେ ପାଖ ପଡ଼ିଶାଠାରୁ ଆସ୍ଥା ହରାଇବା ପରେ, ପ୍ରତାପଶାଳୀ ଲୋକମାନେ ନିର୍ବିଘ୍ନରେ ସେମାନଙ୍କ ସମ୍ପତ୍ତି ଆତ୍ମସାତ୍ କରନ୍ତି । କେହି କେହି ବନ୍ଧୁ ବିପଦ ସମୟରେ ଋଣ ଓ ସାହାଯ୍ୟ ନେଇ ଶତ୍ରୁ ସଙ୍ଗେ ଲଢ଼ନ୍ତି । ଶତ୍ରୁ ସଙ୍ଗେ ସାଲିସ୍ ହୋଇଗଲେ, ନିରୀହ ବନ୍ଧୁଟି ନାମରେ ଅବାନ୍ତର ଦୋଷ ବୋଳି ଚାରିଆଡ଼େ ନାନାମିଥ୍ୟା ପ୍ରଚାର ଚଳାନ୍ତି । ହଠାତ୍ ଅପ୍ରୀତି ସୃଷ୍ଟି କରି ଓଲଟି ବନ୍ଧୁଟିକୁ ତା’ର ଅସମୟରେ ନାନାବିପଦରେ ପକେଇବାକୁ ଉପାୟମାନ ଖଞ୍ଜି ନିଜର ସମସ୍ତ ଋଣ ଓ ଦାୟିତ୍ଵ ଫାଙ୍କି ଦେଇ ନିଜକୁ ଭଲଲୋକ ବୋଲନ୍ତି । ତେଣୁ କଥାରେ ଅଛି “ଆତଙ୍କ ପଡ଼ିଲେ ଯାଚନ୍ତି କୁକୁଡ଼ା, ଉଦ୍ଧାର ପାଇଲେ ମାରନ୍ତି ଫୋପଡ଼ା” । ଏକଥା ଆପଣମାନଙ୍କ ଭିତରୁ ଅନେକ ଦେହରେ ଲିଭେଇ ଥିବେ । ଏସବୁରୁ ଆପଣ ବୁଝୁଥିବେ ଅପ୍ରୀତିର କି ପ୍ରୟୋଜନ ଅଛି ଓ ତାହା କାହିଁକି ପୃଥିବୀରୁ ଲୋପ ନପାଇ ଚେରମାଡ଼ି ବସିଛି ଓ ଯେତେ ଚେଷ୍ଟାକଲେ ମହାପୁରୁଷମାନେ ତା’ର ଚେର ଉପାଡ଼ି ପାରୁନାହାନ୍ତି ।

 

କଳହ ବା ଅପ୍ରୀତିକୁ ପ୍ରୟୋଗ କରି ଯେ କେବଳ ସମାଜର ପ୍ରତିଷ୍ଠିତ ଓ ପ୍ରତାପଶାଳୀ ଲୋକମାନେ ଲାଭବାନ ହୁଅନ୍ତି, ତା’ ନୁହେଁ । ସମୟ ସମୟରେ ଅନେକ ଦୁଃଖୀ ରଙ୍କି ମଧ୍ୟ ତା’ ସାହାଯ୍ୟରେ ନିଜକୁ ଆସନ୍ନ ବିପଦରୁ ରକ୍ଷାକରି ଲାଭବାନ ହେବା ଆମକୁ ଜଣାଅଛି । ଆମ ଅପର୍ତ୍ତିଆ ବାରିକ ଏହି “ଅପ୍ରୀତି” ପ୍ରୟୋଗ କରି କେତେବଡ଼ ବିପଦରୁ କିପରି ରକ୍ଷା ପାଇଲା ଆପଣ ଏ ଗପଟି ପଢ଼ିଲେ ଭଲଭାବରେ ହୃଦୟଙ୍ଗମ କରିପାରିବେ ।

 

ଅପର୍ତ୍ତି ବାରିକ ଗୋଟିଏ ଗରିବ ମଫସଲିଆ ଲୋକ । ସାଲୁନ୍ କରି ପଇସା ରୋଜଗାର କରିବା ତାକୁ ଜଣା ନଥିଲା । ପୂର୍ବପୁରୁଷଙ୍କ ପାଇଁ ଖଞ୍ଜା ହୋଇଥିବା ଜମିରୁ କିଛି ଅଂଶ ହେତା ଖାଇ ଓ ସାଆନ୍ତମାନଙ୍କଠାରୁ ବର୍ଷକୁ ଗଉଣିଏ ଲେଖାଏଁ ଧାନ ପାଇ ସେ ଗାଁର କେତେ ଘର ସାଆନ୍ତଙ୍କର ସେବା କରେ । ବିବାହବ୍ରତ, ଶୁଦ୍ଧି, ଶ୍ରାଦ୍ଧ ପ୍ରଭୃତି ଭୋଜିରେ ତାକୁ ରନ୍ଧା ଜିନିଷ ସହିତ ଅଧିକା ଚାଉଳ ଓ ପଇସା ମିଳେ; ସେଥିରେ ସାତ ପ୍ରାଣୀ କୁଟୁମ୍ବ ଚଳାଇବାକୁ ତାକୁ ବଡ଼ କଷ୍ଟ ହୁଏ । କିନ୍ତୁ ସେ କଷ୍ଟେମଷ୍ଟେ ଭୋକଉପାସରେ ଅନ୍ୟ ଉପାୟ ନ କରି ଗାଁରେ ପଡ଼ି ରହି ତା’ର କୁଟୁମ୍ବ ଚଳାଉ ଥାଏ । ତା’ର ପାଳି ଦିନ ସାଆନ୍ତମାନେ ଅପେକ୍ଷା କରି ବସି ଥାଆନ୍ତି; ସେ ସକାଳୁ ଯାଇ ସେମାନଙ୍କୁ କ୍ଷୀଅରବାଆର କରି ମୂଲିଆମାନେ ଅଢ଼େଇପହରରେ କାମରୁ ଲେଉଟିଲାବେଳକୁ ଘରକୁ ଫେରେ । ଚନ୍ଦ୍ର ସାଆନ୍ତଙ୍କ ପାଳିଦିନ ତା’ର ସବୁଠାରୁ ବେଶି ଡେରି ହୁଏ-। ଚନ୍ଦ୍ରମଣି ନାୟକଙ୍କ ମୁଣ୍ଡଟି ପୂରା ଚନ୍ଦା କିନ୍ତୁ ଦାଢ଼ି ବଡ଼ ଟାଣ୍ ଟାଣ୍ ଦେହ ମଧ୍ୟ ବଡ଼ ଲୋମଶ । ସେ ଦାଢ଼ି କ୍ଷୀଅର ସଙ୍ଗେ ସଙ୍ଗେ, ମୁଣ୍ଡ କେଶ କତୁରୀ ହେବା ବଦଳରେ ତାଙ୍କର ଛାତି ଓ ହାତର ଲୋମ ସବୁ ଚାଞ୍ଛିବାପାଇଁ ବରାଦ କରନ୍ତି । ସେ ସମସ୍ତଙ୍କ ଆଗରୁ ଆସି କ୍ଷୀଅର ସ୍ଥାନରେ ଜଗି ବସି ଥାଆନ୍ତି । ତେଣୁ ପ୍ରଥମେ ତାଙ୍କଠାରେ ଖୁର ପ୍ରୟୋଗ କଲେ ଖୁରଟି ପ୍ରାୟ ମୁଣ୍ଡା ହୋଇଯାଏ-। ତାଙ୍କ ପରେ କ୍ଷୀଅର ହେବା ଲୋକଙ୍କୁ ସେ ମୁଣ୍ଡା ଖୁରରେ କ୍ଷୀଅର ହେଲାବେଳକୁ ଭାରି କାଟେ ତେଣୁ ବିରକ୍ତ ହୋଇ, ଆଗରେ କିଛି ନକହି ପାରିଲେ ମଧ୍ୟ ଚନ୍ଦ୍ରମଣିଙ୍କ ପଛରେ ଅନେକ ତାଙ୍କୁ ଶାଉଁଳିଆ ଚନ୍ଦରା ଆଖ୍ୟା ଦେଇ ଟାପରା କରନ୍ତି । ଅନେକ ସମୟରେ ଅପର୍ତ୍ତିର ଇଚ୍ଛାରେ ହେଉ ବା ଅନିଚ୍ଛା ହେଉ ତାକୁ କାହା ଘରେ କିଛି ସମୟ ବନ୍ଦ କରି ରଖନ୍ତି ଓ ଚନ୍ଦ୍ରମଣି ବସି ବସି ବିରକ୍ତ ହୋଇ ଫେରିବା ପରେ ତାକୁ କ୍ଷୀଅର ସ୍ଥାନକୁ ଆଣି ତା’ କାର୍ଯ୍ୟ ଆରମ୍ଭ କରନ୍ତି । ଏଥିରେ ଠିକ୍ ସମୟରେ ଆସିଥିଲେ ମଧ୍ୟ ଡେରିକରି ଆସିଲା ବା ନ ଆସିଲା ବୋଲି, ଚନ୍ଦ୍ରମଣି ପରେ ତାକୁ ବହୁତ ଗାଳିଗୁଲଜ କରନ୍ତି । କିନ୍ତୁ ସେ ସେଥିରେ କିଛି ନ କହି ନୀରବ ହୁଏ । ଏ ନୀରବ ହେବାର ମଧ୍ୟ କାରଣ ଅଛି । ଚନ୍ଦ୍ରମଣି ମଧ୍ୟବିତ୍ତ ହେଲେ ମଧ୍ୟ ବଡ଼ ଦୟାଳୁ ଲୋକ । କାହାର ଦୁଃଖକଷ୍ଟ ଅଭାବ ପଡ଼ିଲେ ସେ ତାଙ୍କ ନିକଟକୁ ଆସି କେବେ ଖାଲି ହାତରେ ଫେରେନାହିଁ-। ଅନେକ ଥର ଅସମୟରେ ସେ ଅପର୍ତ୍ତିକୁ ସାହାଯ୍ୟ କରିଛନ୍ତି ।

 

ଅପର୍ତ୍ତିର ବଡ଼ଝିଅର ପ୍ରଥମ ବାହାଘରକୁ ସେ ଭଲ କରି ସାହାଯ୍ୟ କରିଥିବାରୁ ସେ ଖୋଜି ଖୋଜି ଗୋଟିଏ ଥିଲା ଜାଗାରେ ଝିଅଟିକୁ ବାହା ଦେଇଥିଲା । ବଡ଼ ଝିଅଟିର କିନ୍ତୁ ପ୍ରକୃତି ଅଲଗା । ସେ ସେଠି ସନ୍ତୁଷ୍ଟ ନହୋଇ ଅଳ୍ପଦିନ ପରେ ସେ ସ୍ଵାମୀଟିକୁ ଛାଡ଼ପତ୍ର ଦେଇ ଅନ୍ୟ ଗୋଟିକୁ ନିଜ ଇଚ୍ଛାରେ ନିଜେ ଠିକ୍ କରି ଦ୍ଵିତୀୟ ହେଲା । ସେଠି ମଧ୍ୟ ବେଶି ଦିନ ନଖଟି ଅନ୍ୟଠାକୁ ଚାଲିଗଲା । ଏପରି ଅଳ୍ପଦିନ ଭିତରେ ଅନେକ ଠାରେ ତା’ର ଦ୍ଵିତୀୟ ଘର ବଢ଼ିଲା । ଛାଡ଼ପତ୍ର ଓ ଦ୍ଵିତୀୟ ଘର ବଡ଼ ସୁବିଧା । ସେଥିରେ ବାପର ଦାୟିତ୍ଵ ବା ପଇସା ଖରଚ କିଛିନାହିଁ । ଛାଡ଼୍‍ ଛାଡ଼୍‍ ଛାଡ଼୍‍ ତିନିଥର କହିଦେଲେ ଛାଡ଼ପତ୍ର ହୋଇ ପୂର୍ବ ବିବାହର ଇତିଶ୍ରୀ ହୋଇଗଲା । ଦ୍ଵିତୀୟ ବିଭାଘରବି ସେହିପରି ସହଜ “ଅଧଲଟାକର ଫିକା ସିନ୍ଦୂର ହାତ ଧରା ଧରି ଦ୍ଵିତୀୟ ଘର-। ଲୋକେ ଥଟ୍ଟାରେ କହନ୍ତି, ସ୍ଵାମୀ କହେ, “ତତେ ମିଶେଇ ହେଲା ଦଶ । ଲଇଁକରି ଘରେ ପଶ” ସ୍ତ୍ରୀ ଉତ୍ତର ଦିଏ “ପଶୁଚି ଲଇଁ କୋଡ଼ି ପୂରିଗଲା ତୋହରି ଠାଇଁ” । ଅନେକ ସମୟରେ ଆଶ୍ଚର୍ଯ୍ୟ ଲାଗେ ଆମ ଲୋକପ୍ରିୟ ନେହେରୁ ସରକାର ଏକଥା ନଜାଣିଲେ କିପରି ? ଏଡ଼େ ସହଜରେ ଛାଡ଼ପତ୍ର ହେବା ଜାଣିଥିଲେ ସେ ୟୁରୋପୀୟ ଭଙ୍ଗୀରେ ଏପରି ହଟହଟା ଓ ମାଲିମକଦ୍ଦମା ଯୁକ୍ତ ସମୟସାପେକ୍ଷ ଛାଡ଼ପତ୍ର ଆଇନ ଜାରି କରି ନ ଥାନ୍ତେ । ସେ ଯାହାହେଉ ପ୍ରଥମ କନ୍ୟାର ଅନ୍ୟ “ଦ୍ଵିତୀୟ ଘର” ବିବାହମାନଙ୍କରେ ସିନା କିଛି ଖରଚ କରିବାକୁ ପଡ଼ିଲାନାହିଁ ଦ୍ଵିତୀୟ କନ୍ୟାର ବିବାହ ବୟସ ହେଲା ତା’ର ତ ପ୍ରଥମ ବିବାହ ହେବ, ସେଇଥିପାଇଁ ତାକୁ ଠିକ୍ କରି କିଛି ରାଜି କରି ବିବାହ ଦବାକୁ ପଡ଼ିବ, ସେଥିରୁ ସେ କିପରି ନିସ୍ତାର ପାଇବ । ସେ ବହୁ କଷ୍ଟରେ ଭଲ ପାତ୍ରଟିଏ ଠିକ୍ କଲା । ଅଳ୍ପ କିଛି ଦିଆନିଆବି ସରିଲା । କନ୍ୟା ଯାଇ ବର ଘରେ ବିବାହ କାର୍ଯ୍ୟ ବଢ଼ିବାର ସ୍ଥିର ହେଲା । ଅପର୍ତ୍ତି ଯାହା କିଛି ସଞ୍ଚୟ ଓ ଯୋଗାଡ଼ କରିଥିଲା ଦିଆନିଆ ପରେ ତା’ର ହାତ ଖାଲି ହୋଇଗଲା । ସେତିକିବେଳକୁ ବାରିକ ସଭା । ‘ବାରିକ ଦେଶ’ ଆସି ତା’ ଗାଁ ମୁଣ୍ଡରେ ବସିବା କଥା ସେ ଶୁଣିଲା । ପୂର୍ବପ୍ରଥା ଅନୁସାରେ ବିବାହ ସମୟରେ ସମସ୍ତ ବାରିକ ଭାଇମାନଙ୍କୁ ତା’ର ଦୁଇବକ୍ତ ଖାଇବାକୁ ଦେଇ ଚର୍ଚ୍ଚା କରିବାର କଥା । ଏ ଅବଶ୍ୟ ଗୋଟିଏ ମର୍ଯ୍ୟାଦା କଥା କିନ୍ତୁ ଏଥିରେ ତ ଦୁଇଶହ ଟଙ୍କାରୁ କମ୍ ଖରଚ ହେବନାହିଁ । ବିଚାର ଏତେ ଟଙ୍କା କେଉଁଠୁ ପାଇବ ? ତାକୁ ଚାରିଆଡ଼ ଅନ୍ଧାର ଦିଶିଲା । ‘ନେଉଳ ଧାଉଡ଼ି କିଆ ବାଡ଼କୁ’ ସେ ଆଉ ଯିବ କୁଆଡ଼େ । ଶେଷରେ ଚନ୍ଦ୍ର ସାଆନ୍ତଙ୍କ ପାଖରେ ଆସି ପହଞ୍ଚିଲା । ନିଜର ଦୁଃଖ ଜଣାଇ ଦୁଇଶହ ଟଙ୍କା ଧାର ମାଗିଲା । ସାଆନ୍ତେ ମୁଣ୍ଡରେ ହାତ ଦେଇ କହିଲେ ବାପା ଏ ମହର୍ଗ ଯୁଗରେ ହଠାତ୍ ଏତେଗୁଡ଼ିଏ ଟଙ୍କା କେଉଁଠୁ ପାଇବି । ସାଆନ୍ତଙ୍କୁ ମୁଣ୍ଡରେ ହାତ ଦେଇ ବସିବାର ଦେଖି ସେ ନିଜ ମୁଣ୍ଡ ଖେଳାଇବାକୁ ଲାଗିଲା । କେତେ କେତେ ଘଟଣା ଆସି ତା’ ଆଖିଆଗରେ ନାଚିଗଲା । ଗୋବିନ୍ଦ ମହାପାତ୍ର ସାଆନ୍ତଙ୍କ କଥା ତା’ ମନେପଡ଼ିଲା । ମହାପାତ୍ରଙ୍କର ଧନ ସମ୍ପତ୍ତିର ଅଭାବ ନଥିଲେ ମଧ୍ୟ ସେ ଟିକିଏ ‘ଚିପା’ଲୋକ । ଘରେ ଠାଆକରୁ ଦୁଇଠାଆ ତରକାରୀ ହେଲେ ସେ ସହିପାରନ୍ତିନାହିଁ । ତେଣୁ ତାଙ୍କ ସ୍ତ୍ରୀ ତାଙ୍କୁ ବଗଡ଼ା ଭାତ ଓ କୋଳଥ ଡାଲି ଖାଇବାକୁ ଦିଅନ୍ତି । ସମସ୍ତେ ସେଇଆ ଖାଉଛନ୍ତି ବୋଲି ତାଙ୍କର ଧାରଣା ଥିଲେ ମଧ୍ୟ ସ୍ତ୍ରୀ ଓ ପିଲାମାନେ ଲୁଚାଇ କରି ସାତ ତିଅଣ ନଅ ଭଜା ଖାଉ ଥାଆନ୍ତି । କେଉଟୁଣୀ ଲୁଚାଇ କରି ଚାଉଳ ବଦଳରେ ପ୍ରତିଦିନ ମାଛ ଦେଇଯାଏ । ଗୁଡ଼ିଆଣୀ ମୁଢ଼ି ଚୁଡ଼ାଭଜା ଉଖୁଡ଼ା ଗଜା ପ୍ରଭୃତି ଦିଏ; ମହାପାତ୍ରେ ନଥିଲାବେଳେ ପିଲାଙ୍କ ପାଟି ଚାଲୁଥାଏ । ମହାପାତ୍ରଙ୍କ ପୁଅକୁ ୭ ଟପି ୯ ବର୍ଷ ହୋଇଯିବାରୁ ଗୃହିଣୀ ପୁଅବ୍ରତ ପାଇଁ ଜିଦ୍‍ଧରି ବସିଲେ । ପାଞ୍ଜି ଦେଖି ଶୁଭଦିନ ଠିକ୍ ହେଲା । ବ୍ରତଘର ପାଖେଇ ଆସିଲା । ତଥାପି ମହାପାତ୍ରେ କୌଣସି ଯୋଗାଡ଼ ନ କରି ତୁନି ହୋଇ ରହିବାର ଦେଖି ଗୃହିଣୀ ବ୍ୟସ୍ତ ହୋଇ ପଡ଼ିଲେ । ମହାପାତ୍ରେ କହିଲେ “ତୁମେ ମାଇପି ଲୋକ କ’ଣ ଜାଣ, ବ୍ୟସ୍ତ, କାହିଁକି ହେଉଛ, ମୁଁ ସବୁ ଠିକ୍ କରି ରଖିଛି ଠିକ୍ ବେଳକୁ ସବୁ ଆସି ପହଞ୍ଚିବ” ମହାପାତ୍ରେ ଅନ୍ୟ ଗୋଟିଏ ଗାଁରୁ ସେ ଗାଁକୁ ଉଠି ଆସିଥିଲେ । ତେଣୁ ସେଇ ଗାଁରେ ଓ ତା’ର ଆଖପାଖରେ ତାଙ୍କର ଜ୍ଞାତି, କୁଟୁମ୍ବ ଓ ବନ୍ଧୁବାନ୍ଧବ ସବୁ ରହିଥିଲେ । ବ୍ରତଘରର ୪ ଦିନ ପୂର୍ବରୁ ଗୁଆ ମହାପ୍ରସାଦ ହାତରେ ଧରି ମହାପାତ୍ରେ ସେମାନଙ୍କୁ ଡାକରା (ନିମନ୍ତ୍ରଣ) କରିବାକୁ ବାହାରି ପଡ଼ିଲେ । ଗୋଟିଏ ଗାଁରେ ଯଥାବିଧି ନିମନ୍ତ୍ରଣ କରିସାରି ଜଣେ କୁହାଳିଆ ବନ୍ଧୁଙ୍କୁ ଡାକି କହିଲେ “ବାବୁ ଏ ମୋର ପ୍ରଥମ ନିମିତ୍ତ ମୁଁ ସବୁବେଳେ ତୁମ ଦୁଆରେ ଭଲମନ୍ଦରେ ହାଜର ହେଉଛି, ତମକୁ ମୋ କଥା ଲାଗିଲା, ତୁମେ ଯେପରି ଅନ୍ୟମାନଙ୍କୁ ଘେନି ମଙ୍ଗଳକୃତ୍ୟ ଠାରୁ ଯାଇ ମୋର ସମସ୍ତ କାର୍ଯ୍ୟ ତୁଲାଇବ । ହଁ ଗୋଟିଏ କଥା ହୁଏତ ତମ କାନରେ ଆସି ବାଜିବ କିନ୍ତୁ ସେଥିରେ କାନ ଦେବନାହିଁ-। ଆମ ଗାଁରେ ଘରେ ଦି ଘରେ କ’ଣ ଗୋଟେ ଦିଇଟା ଝାଡ଼ାବାନ୍ତି ହୋଇ ଜଣେ ଦିଜଣକୁ ଠାକୁରାଣୀ ନେଇ ଯାଇଛି । ସେଥିରେ ଯାଏଆସେ କ’ଣ ? ଯିଏ ଯେତେ ଦିନକୁ ଆସିଥିବ ସିଏ ସେତେଦିନ ଦୁନିଆରେ ରହିବ । ଯାହାର ଆୟୁଷ ସରି ନଥିବ ତା’ର ଠାକୁରାଣୀ କ’ଣ କରିବ । ତୁମେ ଏଥକୁ ଖାତିର କରିବନାହିଁ । ସମସ୍ତଙ୍କୁ ଧରି ନିଶ୍ଚୟ ଆସିବ । ଅନ୍ୟ ଗୋଟିଏ ଗାଁରେ ସେହିପରି ଆଦରରେ ନିମନ୍ତ୍ରଣ କରିସାରି ତାଙ୍କ ଗାଁରେ ବସନ୍ତ ଲାଗିଛି ଠାକୁରାଣୀ ଗୋଟିଏ ଦୁଇଟି ମୁଣ୍ଡ ନେଲେଣି କିନ୍ତୁ ସେଥିପ୍ରତି ଖାତିର କରିବା ଉଚିତ ନୁହେଁ ବୋଲି କହି ଆସିଲେ । ଏହିପରି ପ୍ରତ୍ୟେକ ଗାଁରେ ସୁବ୍ୟବସ୍ଥା କରି ଆସିଥିବାରୁ ତା’ର ସୁଫଳକୁ ଆଶା କରି ନିଶ୍ଚିନ୍ତରେ ଘରେ ବସି ରହିଲେ । ଗୃହିଣୀ ଏକଥା ଜାଣିବେ କାହିଁକି । ସେ ବନ୍ଧୁବାନ୍ଧବ କିଏ କେଉଁଠି ରହିବେ ତା’ର ବ୍ୟବସ୍ଥା କରିବାରେ ଲାଗି ପଡ଼ିଲେ । ମଙ୍ଗଳକୃତ୍ୟ ଦିନ ପର୍ଯ୍ୟନ୍ତ କୌଣସି ବନ୍ଧୁବାନ୍ଧବ ନ ଆସିବାରୁ ଛଟପଟ ମଧ୍ୟ ହେଲେ । ବ୍ରତଘର ଦିନ ସକାଳୁ ମହାପାତ୍ରେ ପାଖ ଦୋକାନରୁ ପାଞ୍ଚ ଦଶ ଜଣଙ୍କ ବ୍ୟବସ୍ଥାରେ କିଛି ସଉଦାପତ୍ର ଆଣି ଘରେ ଥୋଇଦେଇ ଦାଣ୍ଡ ଦୁଆରକୁ ଚାଲିଗଲେ । ଏସବୁ ଦେଖି ଗୃହିଣୀ ରାଗରେ ଗରଗର ହୋଇ ଦାଣ୍ଡ ଦୁଆରକୁ ଆସିଲାବେଳକୁ, ମହାପାତ୍ରେ ଦାଣ୍ଡ ଦୁଆରେ ଏପଟସେପଟ ହୋଇ ଦାଣ୍ଡ ରାସ୍ତାକୁ ଚାହିଁ ଅନର୍ଗଳ ବକି ଚାଲିଥିବାର ଦେଖିଲେ । ସେ ଗରିବ ବୋଲି ତାଙ୍କୁ ତାଙ୍କର ବନ୍ଧୁବାନ୍ଧବମାନେ ବେଖାତିର କରି କିପରି କେହି ତାଙ୍କ ଘରକୁ ଆସିଲେନାହିଁ ବୋଲି ଚିତ୍କାର କରି ସେମାନଙ୍କର ଚଉଦ ପୁରୁଷ ଉଦ୍ଧାର କରିବାରେ ଲାଗିଲେ । ସେ ଉପାୟଟି ଅବଶ୍ୟ ମହାପାତ୍ରଙ୍କ ପ୍ରତି ଖୁବ୍ କାମ ଦେଖାଇଲା । କିନ୍ତୁ ଅପର୍ତ୍ତିଆର ଯେ ପରିସ୍ଥିତି ସେଥିରେ ତ ଏ ଉପାୟ ଖାଟିବନାହିଁ । ‘ଦେଶ ଭାଇ’ତ ଗାଁ ମୁଣ୍ଡରେ ‘ନଳୀଗୋଡ଼ ଘାଆ’ ପରି ଆସି ବିଜେ ହୋଇଛନ୍ତି, ସେ ଏସବୁ କହିବ ବା କିପରି ତାକୁ ସେମାନେ ବା ବିଶ୍ଵାସ କରିବେ କାହିଁକି ? ଏପରି ଆଉ ଅନ୍ୟ ଗୋଟିଏ ଦୁଇଟି ଘଟଣାବି ଚିନ୍ତା କଲା । ହରି, ନରି ଦୁଇଭାଇ, ଗୋଟିଏ ଭୋଜିରେ କିଛି ଯୋଗାଡ଼ କରିପାରି ନଥିବାରୁ, ସମସ୍ତଙ୍କ ପତ୍ର ପଡ଼ିସାରିବା ପରେ ହରି ଢାଳଟିଏ ଧରି ପୋଖରୀ ହୁଡ଼ାକୁ ଦୁଇ ମଡ଼ାଉଛି କହି ବାହାରିଗଲା । ନରି କିଛି ସମୟ ଅପେକ୍ଷା କରି ‘ହଇରେ ଭାଇ ତୋର କ’ଣ ହେଲାରେ’ କହି ବାଡ଼ିଟିଏ ଧରି ପୋଖରୀ ଆଡ଼କୁ ବାହାରିଗଲା । ସେତିକିରେ ଭୋଜନ ସରିଗଲା ସମସ୍ତେ ଅପେକ୍ଷା କରି କରି ଯେ ଯୁଆଡ଼ା ଯେଝା ଘରକୁ ଗଲେ-। ପରଦିନ ଦୁଇ ଭାଇ ଗୋଟିଏ ଭୂତ ଦୌରାତ୍ମ୍ୟ ବିଷୟ ବର୍ଣ୍ଣନା କରି ତାଙ୍କର ସମସ୍ତ ଭୋଜି ନଷ୍ଟ ହୋଇଗଲା ବୋଲି ସମସ୍ତଙ୍କ ପାଖରେ ବାଡ଼େଇକଚାଡ଼ି ହେଲେ । ଏ ଘଟଣାର ପୁନରାବୃତ୍ତି କରିବା କଥାବି ଅପର୍ତ୍ତି ମନକୁ ପାଇଲାନାହିଁ କାରଣ ଜାତି ଭାଇ ତ ଦୁଇଦିନ ରହିବେ ସେ ନଥିଲେବି ତା’ ଖଞ୍ଜାରେ ପଶିବେ, ସେଥିରେ ସେ ଖସି ପାରିବନାହିଁ । ଯାହାହେଉ ଯେତେହେଲେ ତ ଚାଲାକ ଲୋକ । ଏପରି ଭାବୁ ଭାବୁ ଶେଷରେ ତା’ ମୁଣ୍ଡରେ ଗୋଟିଏ ଭଲ ବୁଦ୍ଧି ଜୁଟିଗଲା । ସେ ହଠାତ୍ କହିଲା “ସାଆନ୍ତେ ଦୁଇଶହ ନହେଲାନାହିଁ ପାଞ୍ଚୁଟା ଟଙ୍କା ଦେଇପାରିବ ? ଆଜି ଦରକାରନାହିଁ, ଆଉ ମାସକ ପରେ ଦେଲେବି ଚଳିବ” ଏହା ଶୁଣି ଚନ୍ଦ୍ରମଣି ଚମକି ପଡ଼ି କହିଲେ “କିରେ ତୁ କ’ଣ ପାଗଳ ହୋଇଗଲୁ, ଦୁଇଶହ କାହିଁ, ପୁଣି ପାଞ୍ଚ କାହିଁ-ତା’ ପୁଣି ମାସକ ପରେ, ମୁଁ ତ ତୋର ଏ ବାଚାଳ କଥାରୁ ଅଗମୂଳ କିଛି ଧରି ପାରୁନାହିଁ । ତାହା ଶୁଣି ଅପର୍ତ୍ତି କହିଲା “ଆପଣ, ହଁ, ତୁମେ ସାଆନ୍ତେ ସେକଥା ପରେ ବୁଝିବ, ଆଗ ହଁ କି ନାହିଁ କର, ମୁଁ ଠିକ୍ କରିଛି “ଅପ୍ରୀତି ବଳରେ ସବୁ ଠିକ୍ ହୋଇଯିବ’ । ସାଆନ୍ତେ ହଁ କରି ପାଞ୍ଚ ଟଙ୍କା ଦରକାରବେଳେ ଦେବାକୁ ପ୍ରତିଶ୍ରୁତି ଦେବାରୁ ଆନନ୍ଦ ମନରେ ଘରକୁ ବାହୁଡ଼ିଲା ।

 

ବିଭାଘର ମଙ୍ଗଳକୃତ୍ୟ ଦିନ ସକାଳେ ଜାତିଭାଇ ଆସି ଗାଁ ମୁଣ୍ଡରେ ପହଞ୍ଚିଲେ । ବାରିକ ସଭା ବସିଲା । ଆଗରୁ ଅପର୍ତ୍ତିକୁ ଖବର ଦିଆହୋଇଥିଲା । ଅପର୍ତ୍ତି ମଙ୍ଗଳ କାର୍ଯ୍ୟ ଯୋଗୁଁ ଖର୍ଚ୍ଚରେ ଭାଇମାନଙ୍କ ଖାଇବାପିଇବା ବ୍ୟବସ୍ଥା ହୋଇଯିବ ବୋଲି ସେଇବେଳକୁ ସେଠାରେ ସଭା ବସିବାର ସ୍ଥିର ହୋଇଥିଲା । ଅପର୍ତ୍ତିର ଆସିବାର ବିଳମ୍ବ ଦେଖି ବେହେରା ଅପର୍ତ୍ତିକୁ ଡକାଇ ପଠାଇଲେ । ଡାକରା ପାଇବାମାତ୍ରକେ ଅପର୍ତ୍ତି ଆଖିରେ ଲଙ୍କାଗୁଣ୍ଡ ପକାଇ ଆଖି ଦୁଇଟା ଚକଟି ନାଲ ନାଲ କଲା ହାତରେ ଠେଙ୍ଗୁଣି ବାଡ଼ିଟିଏ ଧରି ମଦୁଆଙ୍କ ପରି ଟଳି ଟଳି ଆସି ସଭାରେ ହାଜର ହେଲା । ବେହେରା ତା’ ଅବସ୍ଥା ଦେଖି ରାଗରେ ଗୋଟାକ ସାତଟା ହୋଇ ଉଠିଲେ । ମଦ ଖାଇବା ଜାତିରେ ମନା, ଏହା ଜାତିକୁ ବଡ଼ ଅପମାନ, “ଏ କୁଳାଙ୍ଗାର ମଦ ଖାଇ ସଭାକୁ ଆସିଛି ଏହାର ସାହସ କମ୍ ନୁହେଁ, ଏହାକୁ ଧର ଧର” ବୋଲି କହିବା ସଙ୍ଗେ ସଙ୍ଗେ ଅପର୍ତ୍ତି ବେହେରାଙ୍କ ମୁଣ୍ଡ ଉପରକୁ ବାଡ଼ିଟି ଉଁଚାଇଲା । ପାଖ ଲୋକ ବାଡ଼ିଟି ଧରିନେଲେ, ଅପର୍ତ୍ତି ବାଡ଼ିଟି ଛାଡ଼ିଦେଇ ଏଣୁତେଣୁ ପାଟି କରି କରି ଦଉଡ଼ି ଦଉଡ଼ି ସେଠାରୁ ଖସି ପଳାଇଲା । ପ୍ରଥମେ ସଭାଲୋକେ କିଛି ବୁଝିପାରିଲେନାହିଁ କିନ୍ତୁ ପରେ ଘଟଣା ଶୁଣି ସମସ୍ତେ ରାଗି ଉଠିଲେ । ସଭା ସରଗରମ ହୋଇ ଉଠିଲା । ଆଉ ତା’ ଘରକୁ ଭୋଜିଖାଇ ଯିବେ କ’ଣ, ସଭାରେ ପ୍ରସ୍ତାବ ହୋଇ ସଙ୍ଗେ ସଙ୍ଗେ ତାକୁ ଜାତିରୁ ବାସନ୍ଦ କରାଗଲା । ମଦ ଖାଇବା ଓ ବେହେରାକୁ ଆକ୍ରମଣ କରିବା ପ୍ରତ୍ୟେକଟି ଗୋଟିଏ ବଡ଼ ଦୋଷ ସେଥିରେ ତା’ ଘରେ ଆଉ କିଏ ପତ୍ର ପକାଇବ ବା ତା’ର ମୁହଁ ଚାହିଁବ ।

 

ଏଣେ ଅପର୍ତ୍ତି ଝିଅକୁ ବିଦା କରି ସାରିଥିଲା । ଜାତିରେ ଅପ୍ରୀତି ହେବାରୁ ଆପେ ଆପେ ସେ ସମ୍ବନ୍ଧି ଘର ସଙ୍ଗେ ମଧ୍ୟ ଅପଡ଼ ହୋଇଗଲା । ତେଣୁ ବିଭାଘର ଦିନ ତା’ ଘରୁ କେହି ଯାଇ ଦାନଦକ୍ଷିଣା ଦେଇ ବେଦୀ କାର୍ଯ୍ୟ ପ୍ରଭୃତି ଚଳାଇବା ଆଉ ଦରକାର ପଡ଼ିଲାନାହିଁ । ତେଣେ ସୁରୁଖୁରୁରେ ବିଭାଘର ବିତିଗଲା, ସେ ଏକଘରିକିଆ ହୋଇ ନିଜ ଘରେ ରହିଲା ।

 

ମାସକ ପରେ ଅନ୍ୟ ଗୋଟିଏ ପାଖ ଗାଁରେ ବାରିକ ସଭା ବସୁଥିବାର କଥା ସେ ଶୁଣିଲା । ଅପର୍ତ୍ତି ସାଆନ୍ତଙ୍କ ଠାରୁ ପାଞ୍ଚଟି ଟଙ୍କା ନେଇ ସଭା ସ୍ଥଳରେ ପ୍ରବେଶ କଲା । କାହାକୁ କିଛି ନ କହି ସଭା ବସିଥିବାବେଳେ ଦାନ୍ତରେ କୁଟାଟିଏ କାମୁଡ଼ି ଅଣନିଃଶ୍ଵାସୀ ହୋଇ ସମସ୍ତଙ୍କୁ ଆଡ଼େଇ ଆଡ଼େଇ ଦଉଡ଼ି ଯାଇ ବେହେରାଙ୍କ ଗୋଡ଼ତଳେ ଲମ୍ବ ହୋଇ ପଡ଼ିଗଲା । ତାକୁ ଏପରି କ୍ଷମା ପ୍ରାର୍ଥନା ମାଗୁଥିବାର ଦେଖି ସେ ଆଉ ଟିକିଏ ନରମ ହୋଇଗଲେ । ତାଙ୍କ ଆଦେଶରେ ତା’ର ଦୋଷର ବିଚାର ହେଲା । ତା’ ସପକ୍ଷ ଓ ବିପକ୍ଷରେ ବହୁତ ବକ୍ତୃତା ଚାଲିଲା । ଶେଷରେ ସ୍ଥିର ହେଲା, ଅପର୍ତ୍ତି ତ ମଦୁଆ ନୁହେଁ, ଦିନେ କେଉଁ କୁସଙ୍ଗରେ ପଡ଼ି ହୁଏତ ଗୋଟାଏ ଭୁଲ୍ କରି ପକାଇଲା, ହଉ ସବୁ ଦୋଷପାଇଁତ ପ୍ରାୟଶ୍ଚିତ ଅଛି । ଏଥିପାଇଁ, ତା’ ଠାରୁ କଡ଼ା ଜୋରିମାନା ଆଦାୟ କରି ତାକୁ ବାସନ୍ଦରୁ ମୁକ୍ତ କରାଯାଉ । ପ୍ରଥମେ ଜୋରିମାନା ପାଞ୍ଚଶହ ଟଙ୍କାରେ ଧାର୍ଯ୍ୟ ହୋଇଥିଲେ ମଧ୍ୟ, ବିଭିନ୍ନ ବକ୍ତାଙ୍କ ଯୁକ୍ତି ଫଳରେ ତାହା କମି କମି ପାଞ୍ଚ ଟଙ୍କାକୁ ଚାଲି ଆସିଲା । ଅପର୍ତ୍ତି ମନେ ମନେ ତା’ର ସଫଳତାରେ ଖୁସି ହୋଇ ପାଞ୍ଚଟି ମାତ୍ର ଟଙ୍କା ଦେଇ ଅପ୍ରୀତିରୁ ଉଦ୍ଧାର ପାଇ ପୁଣି ଜାତିରେ ମିଶି ଗାଁକୁ ଲେଉଟିଲା ।

Image

 

ଆମେରିକାରେ ମାଙ୍କଡ଼ାମୀ

 

ମଣିଷର ପକ୍ଷୀନାହିଁ, ତେଣୁ ତାକୁ ବିଜ୍ଞାନର ଆଶ୍ରୟ ନେଇ ଉଡାଜାହାଜ ସୃଷ୍ଟି କରିବାକୁ ପଡ଼ିଛି । କିନ୍ତୁ ମଣିଷ ମନରେ ଯେ ପକ୍ଷୀ ଲାଗିଛି ତା’ କଳନା କରିବା କଷ୍ଟ । କଳ୍ପନାବିଳାସୀ ମନ ଚାହୁଁ ଚାହୁଁ କେତେଆଡ଼ୁ ବୁଲିଆସେ । ଗୋଟିଏ କଥା ଶୁଣିଲେ ତାକୁ ଆଉ ପାଞ୍ଚକଥା ଦିଶିଯାଏ । ସବୁ ଦେଶର ମଣିଷ ମନ ଏହିପରି । କେତେକଙ୍କର କଳ୍ପନା ବାସ୍ତବରେ ପରିଣତ ହେଉଛି; ଅନ୍ୟ କେତେକଙ୍କର ମନ ଖାଲି ଅବାସ୍ତବ କାଳ୍ପନିକ ରାଜ୍ୟରେ ବିଚରଣ କରୁଛି । ଏଇପରି ଯୋଜନା ବଦ୍ଧ କଳ୍ପନାରୁ ଋଷିଆ ପ୍ରଥମେ ଆକାଶକୁ ଉପଗ୍ରହ ଓ ପରେ ଉପଗ୍ରହରେ ‘ଲାଇକା’ କୁକୁରଟିକୁ ଛାଡ଼ିଲା । ସଙ୍ଗେ ସଙ୍ଗେ ଆମେରିକା ଋଷିଆ ଭିତରେ ବିଜ୍ଞାନର ବଳ କଷାକଷି ଲାଗି ଏବେ ମଣିଷ ଆମ ଜହ୍ନ ମାମୁଁ ପିଠିରୁ ପୁଳାଏ ମାଟି ପଥର ଘେନି ଫେରିବାର ଆମେ ଜାଣିଲୁ । ବୈଜ୍ଞାନିକମାନଙ୍କଦ୍ଵାରା ଏହିପରି ଘଟଣା ଘଟୁ ଘଟୁ ସାଧାରଣ ଲୋକ ମନେ ମନେ ଆଉ କେତେ କ’ଣ ଭାବିଗଲେ । ସବୁ ଦେଶର ଖବରକାଗଜ ନାନାକଳ୍ପନାଜଳ୍ପନାରେ ପୂରିଗଲା । ଫ୍ରାନ୍‍ସରେ ସମୁଦ୍ରକୂଳରେ ଆମୋଦ ବିଚରଣ କରୁ କରୁ କିଏ ଦେଖିଲା ଗୋଟିଏ ଉଡ଼ନ୍ତା ଥାଳିଆ । ଥାଳିଆଟି କେଉଁଠି ଅନ୍ୟଗ୍ରହରୁ ଆସି ଆମ ପୃଥିବୀରେ ଘଷି ହୋଇ ପୁଣି ଉପରକୁ ନୀଳ ଆକାଶରେ ଉଭେଇ ଗଲା । ଇଟାଲୀରେ । ଇଂଲଣ୍ଡରେ ସବୁଠି କିଛି ନା କିଛି ଅଦ୍ଭୁତ ମନଗଢ଼ା ଦୃଶ୍ୟ ଦେଖାଯାଉଥିବାର ପ୍ରଚାର ହେଲା ।

 

ଏପରି ପ୍ରଚାରରେ ଆମେରିକା ମଧ୍ୟ ପଛରେ ପଡ଼ିଲାନାହିଁ । ୧୯୫୩ ମସିହା ଜୁନ୍ କି ଜୁଲାଇ ହେବ, ହଠାତ୍ ଦିନେ ସବୁ ଖବରକାଗଜରେ ଗୋଟିଏ ଅଦ୍ଭୁତ ଘଟଣା ପ୍ରଘଟ ହେଲା । କାଗଜର ସ୍ତମ୍ଭ ସବୁ ସେଇ ଘଟଣାର ବିଭିନ୍ନ ବିବରଣରେ ପୂର୍ଣ୍ଣ ହୋଇଗଲା । ଆମଭଳି ଭାରତୀୟ ଲୋକ ମଧ୍ୟ ସେ କଥାରେ କୌଣସି ସନ୍ଦେହ ପ୍ରକାଶ ନ କରି ପୂରା ବିଶ୍ଵାସ କରିନେଲୁ । ଆମର ଅବଶ୍ୟ ସେକଥା ହଠାତ୍ ବିଶ୍ଵାସ ନକରିବାର କଥା । କାରଣ ଭାରତରେ ମନଗଢ଼ା କଥାର ଅଭାବନାହିଁ । ପୁରୀରେ ଘଟିଥିବା ଗୋଟିଏ କଥାର ଉଦାହରଣ ଦେଲେ ସବୁ ଜଣାପଡ଼ିବ । ଥରେ ପୁରୀ ସମୁଦ୍ରକୂଳରେ ଚାରିଜଣ ରିକ୍ସାବାଲା ହାଲିଆ ହୋଇ ବସି ଗୁଲି ଟାଣି ମଝିରେ ମଝିରେ ବୁଟ ଭଜାଟାଏ ଲେଖାଏଁ ପାଟିରେ ପକାଉଥିଲେ । ନିଶା ଜୋର୍‍ରେ ଧରି ଆସିବାବେଳକୁ ଜଣଙ୍କର ହାତରୁ ବୁଟ ଭଜାଟି ଆଗରେ ଥିବା ଚା’ ସରାରେ ପଡ଼ି ବୁଡ଼ିଗଲା । ସେ ଅସ୍ପଷ୍ଟ ସ୍ଵରରେ କହିଲା ବୁଟଟା ବୁଡ଼ିଗଲା । ତାକୁ ସହାନୁଭୂତି ଦେଖାଇବାକୁ ଯାଇ ପାଖ ଲୋକଟି ଅର୍ଦ୍ଧ ନିମୀଳିତ ନୟନ ମେଲାଇ କହିଲା ଆହା ‘ବୋଟ’ଟା ବୁଡ଼ିଗଲା । ଆଉ ଜଣେ ସେ କଥା ଶୁଣି କହିଲା, ଆହା କେତେ ଲୋକଥିବେ, ଜାହାଜଟା ପୂରା ବୁଡ଼ିଗଲା । ଶେଷ ଲୋକଟି କ’ଣ ବିଚାରିଲା କେଜାଣି, ଆହା ବ୍ରିଟିଶ ଜାହାଜଟା ପୂରା ବୁଡ଼ିଗଲା, କେତେ ଲୋକ ମରି ନ ଥିବେ ବୋଲି ତୁହାଇ ତୁହାଇ ଡାକ ଛାଡ଼ିଲା, ତା’ପରେ ସେ ସ୍ଥାନ ଲୋକାରଣ୍ୟ ହୋଇଗଲା । ସମସ୍ତେ ସତୃଷ୍ଣ ନୟନରେ ସମୁଦ୍ର ଭିତରକୁ ଚାହିଁ ରହିଲେ, ପୁଲିସ ସାଇବ, ମାଜିଷ୍ଟ୍ରେଟ ସବୁ ଆସି ଡଙ୍ଗାମାନ ପଠାଇ ସମୁଦ୍ର ଭିତରେ ଜାହାଜର ସନ୍ଧାନ ନେବାରେ ଲାଗିଗଲେ । ଅବଶ୍ୟ ନିଶାର ଜୋର୍ କମିବା ପରେ ରିକ୍ସାବାଲାଙ୍କ ଠାରୁ ସବୁ କଥା ଜଣାପଡ଼ିଲା । ଆମେ ଏସବୁ ଜାଣିଥିଲେ ମଧ୍ୟ ଆମେରିକାରେ ମନଗଢ଼ା ଗୁଲିଖଟି ଗପର ବେଶି ପ୍ରଚଳନ ନଥିବାରୁ ହଠାତ୍ ସେ କଥା ଧରି ପାରିଲୁନାହିଁ । ଯାହାହେଉ ସେତେବେଳେ ଆମେରିକାର ସବୁରି ତୁଣ୍ଡରେ ଗୋଟିଏ କଥା । ରେଡ଼ିଓ ଟେଲିଭିଜନ ସବୁଥିରେ ଗୋଟିଏ ମାତ୍ର ଚାଞ୍ଚଲ୍ୟକର ସମ୍ବାଦ । ଠିକ୍ ମଣିଷ ପରି ଦୁଇଗୋଡ଼ିଆ ଛୋଟ ଜୀବଟିଏ ଗୋଟିଏ ବଡ଼ ସହରର ମଝି ରାସ୍ତାରୁ ମିଳିଛି । ପୃଥିବୀର ନୁହେଁ; ନିଶ୍ଚୟ ଅନ୍ୟ କେଉଁ ଗ୍ରହରୁ ଆସିଛି । କେଉଁଠୁ ଆସିଛି କେହି କହିପାରୁନାହାନ୍ତି । ସେ ଜୀଇଥିଲେ ହୁଏତ କିଛି ଖବର ମିଳି ଥାଆନ୍ତା । ମଣିଷ ଠାରୁ ହୁଏତ ତା’ର ବୁଦ୍ଧି ବେଶି । ସେ ଯେଉଁଠୁ ଆସିଛି ସେଠି ହୁଏତ ବିଜ୍ଞାନ ପୃଥିବୀ ଠାରୁ ବେଶି ଅଗ୍ରଗତି କରିଛି । ପୃଥିବୀରୁ ଯେ ମଣିଷ ଶୂନ୍ୟକୁ ଯାଉଛନ୍ତି, ସେମାନେ ଭୂତପରି କି ଅଦ୍ଭୁତ ଦିଶୁଛନ୍ତି, କେତେ ଯନ୍ତ୍ରୀ ତାଙ୍କ ଦେହରେ ଖଞ୍ଜା ନ ଯାଇଛି । କିନ୍ତୁ ଏ ମଣିଷ ଦେହରେ କୌଣସି ଯନ୍ତ୍ର ଖଞ୍ଜା ହୋଇନାହିଁ ସେ ଦେଖିବାକୁ ପୂରା ଫୁଙ୍ଗୁଳା । ଆହା ! ରାସ୍ତାରେ ନ ଓହ୍ଲାଇ କୌଣସି ପାର୍କ କି ବଗିଚାରେ ହେଲେ ଓହ୍ଲାଇ ଥାଆନ୍ତା ! ସେ ସହରରେ ତ ପ୍ରତ୍ୟେକ ମିନିଟ୍‍ରେ ଶହ ଶହ ମଟର ଦ୍ରୁତ ଗତିରେ ଚାଲିଛି, ଗାଡ଼ିତଳେ ଦଳି ନ ହୋଇ ସେ କିପରି ବଞ୍ଚନ୍ତା । ଏଥିରେ କେଉଁ ମଟର ଯେ ତା’ ଉପରେ କିପରି ମାଡ଼ିଗଲା ଏକଥା କିଏ କହିବ ? ସେ ପୂରା ଚାପି ହୋଇଯାଇ ସମସ୍ତ ଶରୀର କ୍ଷତବିକ୍ଷତ ହୋଇଯାଇଛି । ତା’ ପାଖରୁ ଅନ୍ୟ କୌଣସି ପଦାର୍ଥ ବା ଯନ୍ତ୍ରର ମଧ୍ୟ ସନ୍ଧାନ ମିଳୁନାହିଁ । ସେଇ ପାଖର କେହି କେହି କହିଲେ ହଠାତ୍ ଥାଳିଆ ପରି ଗୋଟିଏ ତେଜସ୍ଵୀ ଆକାଶ ଯାନ ଗୋଟିଏ ଉଚ୍ଚ କୋଠା ପାଖରେ ଆସି ବାଡ଼େଇ ହୋଇଗଲା । ସେଥିରୁ ସୂତାଟିଏ ଧରି ଏ ଜୀବଟି ଓହ୍ଲାଇ ପଡ଼ିଲା । ଥାଳିଆ ଯାନ ବିଷୟରେ ମଧ୍ୟ ବହୁତ ବାଦବିବାଦ । କିଏ କହିଲା ସେ ନିଜ ଆଖିରେ ଦେଖିଛି ତାହା ଗୋଟିଏ ଡଙ୍ଗା ପରି । ଲୋକଙ୍କ ମୁହଁରେ ବାଡ଼ବତାନାହିଁ, କିନ୍ତୁ ଯାହାହେଉ ସେ ଘଟଣାରେ ସମସ୍ତେ ଅଭିଭୂତ ଓ ପ୍ରକୃତ ସତ୍ୟାସତ୍ୟ ଜାଣିବାପାଇଁ ସମସ୍ତେ ଉଦ୍‍ଗ୍ରୀବ ହୋଇ ଚାହିଁ ରହି ଥାଆନ୍ତି ।

 

ସେ ଜୀବଟିର ମୃତଦେହ ପୁଲିସ ନେଇ ଯୁଦ୍ଧ ବିଭାଗ ହାତରେ ସମର୍ପି ଦେଲେ । ଯୁଦ୍ଧ ବିଭାଗର ବଡ଼ ବଡ଼ ବୈଜ୍ଞାନିଜମାନେ ନାନାଯନ୍ତ୍ର ସାହାଯ୍ୟରେ ଅତି ଗୋପନରେ ତା’ର ପରୀକ୍ଷାରେ ଲାଗିଗଲେ । ତା’ର ରକ୍ତମାଂସ ହାଡ଼ ସବୁ ତନ୍ନତନ୍ନ କରି ପରୀକ୍ଷା କଲେ । ଏ ବୈଜ୍ଞାନିକ ଯୁଗରେ, ଯେଉଁଠି ପଥରପାଲଟି ଥିବା ସାମାନ୍ୟ କେତେଖଣ୍ଡ ହାଡ଼ରୁ ୫୦ ହଜାରବର୍ଷ ତଳର ଗୋଟିଏ ଆଦିମ ଜୀବକୁ ନିଖୁଣ ଭାବରେ ବର୍ଣ୍ଣନା କରାଯାଇପାରୁଚି, ସେଥିରେ ଏ ଜୀବଟିକୁ ପରୀକ୍ଷା କରିବା ବା କେତକର କଥା । ପରୀକ୍ଷା କରି ସେମାନେ ଅବଶ୍ୟ ବିଶେଷ କିଛି ଚମକପ୍ରଦ ତଥ୍ୟ ଆବିଷ୍କାର କରିପାରିଲେନାହିଁ । ତଥାପି ଗୋଟିଏ ରିପୋର୍ଟ ପ୍ରକାଶ କଲେ । ରିପୋର୍ଟ ଅନୁସାରେ ଜୀବଟିର ଲମ୍ବ ୨୪ ଫୁଟ ଓଜନ ୨୫ ପାଉଣ୍ଡ, ଦେହର ବର୍ଣ୍ଣ ରଙ୍ଗୁଳିଆ, କପାଳଟି ଛୋଟ, ମୁହଁ ଗୋଜିଆ, ମୁହଁରେ ଦାଢ଼ି ନିଶନାହିଁ ଦେହରେ ମଧ୍ୟ ଗୋଟିଏ ଲୋମନାହିଁ; ଅବଶ୍ୟ ଲୋମକୂପ ଓ ଲୋମଯନ୍ତ୍ରଗୁଡ଼କ ରହିଚି । ଅଙ୍ଗପ୍ରତ୍ୟଙ୍ଗ ଓ ଯନ୍ତ୍ରଗୁଡ଼ିକ ଠିକ୍ ମଣିଷ ସଙ୍ଗେ ସମାନ । ଆଙ୍ଗୁଠିଗୁଡ଼ିକ ଲମ୍ବା, ପାପୁଲି ଓ ଆଣ୍ଠୁ ପାଖରେ ବିଣ୍ଡିଗୁଡ଼ିକ ସ୍ପଷ୍ଟ । ନଖଗୁଡ଼ିକ ଗୋଜିଆ-। ଦାନ୍ତ ହାଡ଼, ଦେହ ହାଡ଼ ଓ ଶରୀର ବିଣ୍ଡି ପରୀକ୍ଷାଦ୍ଵାରା ଜୀବଟି ବୟସ୍କ ବୋଲି ମଧ୍ୟ ଜଣାପଡ଼ିଛି ।

 

ଜୀବଟି ଉପରେ ଗବେଷଣା ଚାଲିଥିଲାବେଳେ ଆକାଶଯାନଟିର ଅନୁସନ୍ଧାନ ମଧ୍ୟ ଜୋର୍‍ସୋର୍‍ରେ ଚାଲିଲା । ସେ ବିଷୟରେ ସମ୍ବାଦ ସଂଗ୍ରହପାଇଁ ଅନ୍ୟାନ୍ୟ ସଭ୍ୟଦେଶମାନଙ୍କୁ ବେତାର ବାର୍ତ୍ତା ପ୍ରେରଣ କରାଗଲା । ଆକାଶରେ ବୁଲୁଥିବା କୃତ୍ରିମ ଗ୍ରହମାନଙ୍କଦ୍ଵାରା ସମ୍ବାଦ ଗ୍ରହଣର ମଧ୍ୟ ବ୍ୟବସ୍ଥା ହେଲା । ପୃଥିବୀ ପ୍ରସିଦ୍ଧ ତାରକା ଗତିନିର୍ଦ୍ଦେଶକ ଦର୍ଶନଶାଳା ବା ଅବଜରଭେଟୋରୀମାନଙ୍କରେ ବଡ଼ ବଡ଼ ବୈଜ୍ଞାନିକମାନେ ବିଶାଳ ଦୂରବୀକ୍ଷଣ ଯନ୍ତ୍ରମାନଙ୍କ ସାହାଯ୍ୟରେ ଦିନରାତି ବସି ଆକାଶସାରା ଖୋଜିବାକୁ ଲାଗିଲେ । ଋଷିଆ ଆକାଶ ଅନୁସନ୍ଧିଚ୍ଛୁ ବୈଜ୍ଞାନିକମାନଙ୍କୁ ସେ ଆକାଶଯାନଟିର ଖୋଜଖବର ନେବାପାଇଁ ଅନୁରୋଧ କରାଗଲା । କିନ୍ତୁ ଏସବୁ ନିଷ୍ଫଳ ହେଲା । ସେ ଯାନ ବିଷୟରେ ବିଶେଷ ପ୍ରମାଣିତ ତଥ୍ୟ ହସ୍ତଗତ ହେଲାନାହିଁ । ବହୁତ ଚାଞ୍ଚଲ୍ୟକର ଖବର ମିଳେ । କିନ୍ତୁ ଭଲ କରି ଯାଞ୍ଚ ହେଲାବେଳକୁ ତାହା ପ୍ରମାଣ ହୋଇପାରେନାହିଁ । ସେ ଯାହାହେଉ ଏହାଦ୍ଵାରା ସମଗ୍ର ଆମେରିକାସ୍ଥ କାର୍ଯ୍ୟବ୍ୟସ୍ତ ମାନବର କିଛି ମୂଲ୍ୟବାନ ସମୟ ପ୍ରତିଦିନ ଏହି ବିଷୟରେ ଆଲୋଚନା ଓ ସମାଲୋଚନା କଟୁଥାଏ ।

 

ଆମେରିକାର ସବୁଆଡ଼େ ଖାଲି ପ୍ରକାଣ୍ଡ କୋଠାବାଡ଼ି ଓ ରାସ୍ତା । ବିଶେଷ ସହର ଅଞ୍ଚଳ ମଣିଷ ପ୍ରାୟ ରୁନ୍ଧି ହୋଇଯାଏ । ସୂର୍ଯ୍ୟ କିରଣ ତଳ ପର୍ଯ୍ୟନ୍ତ ଆସିପାରେନାହିଁ, ଇଲେକ୍‍ଟ୍ରିକ୍ ଲାଇଟ୍ ଦୁଇପହରେ ମଧ୍ୟ ଆଲୁଅ ଯୋଗାଏ । ତେଣୁ ସହରବାସୀଙ୍କ ପାଇଁ ଖୋଲା ନିଶ୍ଵାସ ମାରିବାକୁ ସହର ମଝିରେ ମଝିରେ ଗୋଟିଏ ଗୋଟିଏ ଛୋଟ ଉଦ୍ୟାନ ଥାଏ । ଏତ ଗଲା ସହର କଥା । ଅତି ସୁଦୂର ମଫସଲରେ ମଧ୍ୟ କୋଠାବାଡ଼ି ପୂର୍ଣ୍ଣ, ଚାରିଆଡ଼େ ସୁନ୍ଦର ସୁନ୍ଦର ରାସ୍ତା ଇଲକ୍‍ଟ୍ରିକ୍ ଲାଇଟ୍ ଓ ପାଣି ପାଇପ ଖଞ୍ଜା ହୋଇଛି । ବଣଜଙ୍ଗଲ ଖୋଜିଲେ ଆଖିକୁ ଦିଶିବନାହିଁ-। ବଣଜଙ୍ଗଲ ବୋଲି ଯାହାକୁ କୁହାଯାଉଛି, ତା’ ଭିତରେ ଆଗରୁ ଯୋଜନା କରି ରାସ୍ତା ପକ୍କା ହୋଇଛି; ମଝିରେ ମଝିରେ ପୋଖରୀ ରହିଛି । ବଣରେ ଯେ କେତେକ ଜନ୍ତୁ ରହିଛନ୍ତି ସେମାନେ ସମସ୍ତେ ପୋଷାଜୀବ ଭଳି । ସେମାନଙ୍କ ପାଇଁ ସିମେଣ୍ଟରେ ଖାଇବା କୁଣ୍ଡ ଓ ପାଣି କୁଣ୍ଡ ଗଢ଼ା ଯାଇଛି । ଖାଇବା କୁଣ୍ଡରେ ଖାଦ୍ୟ ଜିନିଷ ପକାଇଦେଲେ ବଣରୁ ଭାଲୁ ହରିଣ ସବୁ ଆସି ମଣିଷକୁ ଖାଇବା କୁଣ୍ଡରେ ଲାଗିଯାଆନ୍ତି । ବଣ ମଝିରେ ଠାଏ, ଠାଏ ମଉଜମଜଲିସ୍ କରିବାପାଇଁ ଘର ରହିଛି । ରାସ୍ତା କଡ଼ରେ ଏପରି ସବୁ ମେସିନ ଅଛି, ଯେଉଁଥିରେ ପଇସା ଗଳାଇ ଦେଲେ ଖାଦ୍ୟ ପୁଡ଼ିଆ ସବୁ ବାହାରି ଆସେ । କଫି ଖାଇବାକୁ ଇଚ୍ଛା ହେଲେ ପଇସା ଗଳାଇ ସୁଇଚ୍ ସବୁ ଟିପିଲେ ଦୁଧ, ଚିନି ଯାହା ଦରକାର ଗରମ କଫି ସଙ୍ଗେ ମିଶି ଗୋଟିଏ ମୋଟା କାଗଜ ଗିଲାସରେ ବାହାରି ଆସେ । ଚିନାବାଦାମ ଭଜା, ବୁଟ ଭଜା, ମକାକାଲିଆ ମୁଢ଼ି, କୋକାକୋଲା ପ୍ରଭୃତିର ମଧ୍ୟ କଳମାନ ରହିଛି । ତେଣୁ ସେ ସ୍ଥାନକୁ ଜଙ୍ଗଲ ନ କହି ଉଦ୍ୟାନ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ସେ ଦେଶରେ ମାଙ୍କଡ଼ କି ବିଲୁଆ ମଧ୍ୟତ ନାହାନ୍ତି ହାତୀ, ବାଘ, ସିଂହ କଥା ଛାଡ଼ । ଶୀତ ଦେଶ । ବରଫ ପଡ଼େ । ତେଣୁ ଗରମ ଦେଶର ଜୀବଜନ୍ତୁମାନେ ବା ସେଠାରେ ରହିବେ କିପରି ? ଏହିଭଳି କେତେକ ଉଦ୍ୟାନରେ ଓ ସହରର ପାର୍କମାନଙ୍କରେ ଭାରତ ପରି ଗରମ ଦେଶମାନଙ୍କୁ ହନୁ ଓ ପାତିମାଙ୍କଡ଼ ନେଇ ସେମାନଙ୍କ ପାଇଁ ସ୍ଵତନ୍ତ୍ର ଘର କରି ରଖା ହୋଇଛି । ସେମାନଙ୍କ ପାଇଁ ଜଗୁଆଳ ସବୁ ରହିଛନ୍ତି । ଏ ଜୀବମାନେ ମଣିଷ ପାଖକୁ ଆସି ହାତରୁ ଚିନାବାଦାମ, ବୁଟ ମକା ପ୍ରଭୃତି ନେଇ ଖାଆନ୍ତି । ଆମେରିକାରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ କି ତାଙ୍କ ଜୀବନରେ ମାଙ୍କଡ଼ଟିଏ ଦେଖିବାକୁ ପାଇ ନାହାନ୍ତି ।

 

ପୂର୍ବରୁ କୁହାଯାଇଥିବା ସହରଟିରେ ପିଲାଙ୍କପାଇଁ ଗୋଟିଏ ପାର୍କ ଥାଏ । ସେଥିରେ ପିଲାଏ ଖେଳିବାପାଇଁ କେତୋଟି ପାତିମାଙ୍କଡ଼ ରଖା ହୋଇଥାଏ । ସେମାନେ ଦୋଳିରେ ଖେଳନ୍ତି, ପିଲାଙ୍କ ହାତରୁ ଚିନାବାଦାମ ଖାଆନ୍ତି, କେତେ ପ୍ରକାର ନାଚ ଦେଖାନ୍ତି । ଏହି ସମୟରେ ସେଠାରୁ ଗୋଟିଏ ମାଙ୍କଡ଼ କୁଆଡ଼େ ପଳାଇଯିବା କଥା ପାର୍କରେ ଜଗୁଆଳଟି ପୁଲିସରେ ଜଣାଇଥିଲା । ଗୋଟିଏ ଛାର ମାଙ୍କଡ଼ପାଇଁ କାହିଁକି ପୁଲିସଙ୍କର ମୁଣ୍ଡ ବଥାଇବ । ଆମେରିକାରେ ପଇସାର କେଉଁ ଅଭାବ, ଗୋଟିଏ ଗଲେ ଆଉ ପାଞ୍ଚଟା କିଣା ହୋଇ ଆସିବେ । ଆମେରିକା ମାଙ୍କଡ଼ମାନଙ୍କ ଉପରେ ଗବେଷଣା ଚାଲିବାଦ୍ଵାରା, ପ୍ରତିଦିନ, ଜାହାଜ ଜାହାଜ ମାଙ୍କଡ଼, ଭାରତ ଓ ଆଫ୍ରିକା ପରି ଗରମ ଦେଶମାନଙ୍କୁ ଆମେରିକାକୁ ବୁହା ଚାଲିଛନ୍ତି । ପ୍ରତିଦିନ କେତେ ଯେ ମାଙ୍କଡ଼ ବିଜ୍ଞାନର ପାଦତଳେ ବଳି ପଡ଼ୁଛନ୍ତି ତା’ର ଇୟତ୍ତାନାହିଁ । ତଥାପି ପୃଥିବୀ ବାହାରୁ ଆସିଥିବା ଆକାଶଯାନ ସମ୍ବାଦ ଟିକିଏ ଧିମେଇ ଯିବାରୁ ପୁଲିସକୁ ଫୁରୁସତ ମିଳିଲା, ସେମାନେ ବାକି ପଡ଼ିଥିବା କାର୍ଯ୍ୟ ସବୁରେ ଧ୍ୟାନ ଦେଲେ । ପୁରୁଣା ଫାଇଲ ଦେଖି ହଜିଥିବା ମାଙ୍କଡ଼ର ସନ୍ଧାନ ନେବାରେ ଲାଗି ପଡ଼ିଲେ । ଖୋଜଖବର ନେବାର କେତେଦିନ ପରେ ଦୁଇଟି ଭଣ୍ଡାରୀ ଧରା ହୋଇ ଆସିଲେ । ମାଙ୍କଡ଼ ହଜିବା ଘଟଣା ତଦନ୍ତ କରୁ କରୁ ଝିମିଟି ଖେଳରୁ ମହାଭାରତ ବାହାରିଲା ପରି, ଆକାଶଯାନର କେତେକ ତଥ୍ୟ ମଧ୍ୟ ପଦାରେ ପଡ଼ିଲା । କେଉଁ ଘଟଣା ବଢ଼ି ବଢ଼ି ଯାଇ କେଉଁଠି ପହଞ୍ଚିପାରେ ସେକଥା ଭାବିଲାବେଳକୁ ସମସ୍ତ ଆମେରିକାବାସୀ ବୋକା ବନିଗଲେ । ଗୋଟିଏ ଭଣ୍ଡାରୀ, ଜେମସ୍ ଏବଂ ଅନ୍ୟଟି ଓନିକ୍‍ସ ଦୁହେଁ କ୍ଲବ୍‍ରେ ବସି ନିଶା ଖାଉ ଖାଉ ତାଙ୍କ ଭିତରେ ବାଜି ମରାମରି ହୋଇଥିଲା । ଜେମସ୍‍ ନିଜେ ଗୋଟିଏ ବଡ଼ ବୈଜ୍ଞାନିକ ଭଳି ବଡ଼ ବଡ଼ ବୈଜ୍ଞାନିକମାନଙ୍କ କାର୍ଯ୍ୟକୁ ସମାଲୋଚନା କରି ଏଣୁତେଣୁ ବହୁତ ଗପିଲା । ଓନିକ୍‍ସ ତା’ କଥା ନ ଶୁଣି ତାକୁ ବେଖାତିର ଭାବ ଦେଖାଇଲା । ଜେମସ୍ ରାଗିଯାଇ ତାକୁ କହିଲା “ତୁ ମୋତେ ସାମାନ୍ୟ ବୋଲି ଭାବିଚୁ, ମୋର ଯେତେ ବୁଦ୍ଧି ସେଥିରୁ ତୋର କାଣିଚାଏନାହିଁ । ମୁଁ ଏପରି କାର୍ଯ୍ୟ କରିପାରେ ଯେଉଁଥିରେ ସାରା ଦୁନିଆ ଚହଲି ଯିବ ।” ଦୁହେଁଯାକ ପଚାଶ ଡଲାର ବାଜି ମରାମରି ହେଲେ । ଜେମସ୍ ସପ୍ତାହକ ଭିତରେ ପୃଥିବୀ ବ୍ୟାପି ଗୋଟିଏ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିବାକୁ ବଦ୍ଧପରିକର ହୋଇ ଘରକୁ ଲେଉଟିଲା । ତା’ପରେ ପାର୍କରେ ବିଚରା ମାଙ୍କଡ଼ଟିର ବିନା ଦୋଷରେ ଲାଙ୍ଗୁଡ଼ଟି ଗଲା, ରୁମଗୁଡ଼ିକ ଚଞ୍ଛା ହେଲା ଓ ଶେଷରେ ରାସ୍ତା ଉପରେ ପ୍ରାଣବି ଗଲା ।

Image

 

‘ଭାଇବୋହୂ’ଟି ବେକରେ ବନ୍ଧା

 

ବିନାମେଘେ ବଜ୍ରପାତ ।

 

ହଠାତ୍ ହେ, ହେ, ରେ, ରେ ଶବ୍ଦରେ ଗାଁ ଦାଣ୍ଡ ଉଛୁଳି ପଡ଼ିଲା । ପୁରୁଣାକାଳର ପାଇକ ଯୁଦ୍ଧର ପୁନରାବୃତ୍ତି ଜଣାପଡ଼ିଲା । ଯୁଦ୍ଧରେ ପଛଘୁଞ୍ଚା ଦେବା ପାଇକମାନଙ୍କ ଭଳି କେତେକ ଛୋଟ ପିଲା ପ୍ରାଣ ବିକଳରେ ଦୌଡ଼ି ପଳାଇବାକୁ ଲାଗିଲେ । ବିଜେତା ଭାବରେ ଏକ ଛଅଫୁଟ ଉଞ୍ଚ ଭୈରବୀ ମୂର୍ତ୍ତି ହାତରେ ପାଞ୍ଚହାତିଆ ଠେଙ୍ଗାଟିଏ ଧରି ଧଇଁସଇଁ ହୋଇ ଗୋଟିଏ ଆଠ ଦଶବର୍ଷର ବାଳକ ପଛରେ ଗୋଡ଼ାଇବାର ଦେଖାଗଲା । ପିଲାଟି ସମସ୍ତଙ୍କ ସଙ୍ଗେ କିଛି ବାଟ ଦଉଡ଼ି ଯାଇ ବିରାଟ ଠେଙ୍ଗାଟିକୁ ତା’ର ମସ୍ତିଷ୍କ ନିକଟରେ ଦେଖି ଅକାବକା ହୋଇ ଠିଆ ହୋଇଗଲା । ବାଳକଟି ସେ ସ୍ଥାନକୁ ନୂଆ ଆସିଥିଲା ପରି ବୋଧ ହେଲା, କାରଣ ଅନ୍ୟମାନଙ୍କ ପରି ସେ ବୁଢ଼ୀ ବାଟଘାଟ କିବା ଦଉଡ଼ାଦଉଡ଼ିର କାଇଦା କଟକଣା ସହିତ ଆଦୌ ପରିଚିତ ନଥିଲା । ବୁଢ଼ୀ ବିଜୟ ଉଲ୍ଲାସରେ ସେ ପିଲାଟିର ହାତ ଖପ୍‍କରି ଧରି ପକାଇଲା । ଦୁହିଁଙ୍କ ଭିତରେ ଅଳ୍ପକିଛି ଭିଡ଼ାଓଟରା ଓ ବାକ୍ୟ ବିନିମୟ ଚାଲିଲା । ତହିଁ ଉତ୍ତାରୁ ପରିଚୟ ପାଇ ବୁଢ଼ୀ ସେ ପିଲାଟିକୁ ଧରି ତା’ର ଅଜାଙ୍କ ନିକଟରେ ହାଜର କରି ନିଜର ଗୁହାରି ଜଣାଇଲା । ବଡ଼ବାବୁ ବୋଲି ସମ୍ବୋଧନ କରି “ଏ ତମ ଘର ପିଲା ହୋଇ ଏ ଛତରା ପିଲାଙ୍କ ସଙ୍ଗେ ମିଶି ଖରାପ ହୋଇଯାଉଛି ଆପଣ ଏହାକୁ ତାଗିଦ କରନ୍ତୁ ଓ ସେ ପିଲାଙ୍କ ମେଳକୁ ଛାଡ଼ନ୍ତୁନାହିଁ ବୋଲି କହି” ବୁଢ଼ୀ ତା’ ବାଟେ ବାଟେ ଚାଲିଗଲା । କେଉଁ ଖରାପ କାର୍ଯ୍ୟ କରିଛି ଓ ବୁଢ଼ୀ କାହିଁକି ରାଗିଲା ବୋଲି ପଚାରିବାରେ ପିଲାଟି କହିଲା ଅଜା ମୁଁ କିଛି କରିନାହିଁ, ମୋର କିଛି ଦୋଷନାହିଁ, ଆମେ ସବୁ ଖେଳୁଥିଲାବେଳେ ବୁଢ଼ୀଟି ତେଣୁ ଆସୁଥିଲା । ସବୁ ପିଲା “ଆସ ପୁଷି” “ଆସ ପୁଷି” ବୋଲି ମୁଁ ମଧ୍ୟ ସେମାନଙ୍କ ସଙ୍ଗେ ‘ଆସ ପୁଷି’ ବୋଲି କହିଲି । ତା’ପରେ ବୁଢ଼ୀ ଆମକୁ ଗୋଡ଼ାଇଲା । ମୁଁ ଖେଳ କଥା ଭାବି ଦଉଡ଼ିଲି କିନ୍ତୁ ବୁଢ଼ୀର ବାଡ଼ି ଉଞ୍ଚେଇବା ଦେଖି ଡରି ଠିଆ ହୋଇଗଲି । ଏତିକିରେ ଅଜା ସବୁ ବୁଝି ନାତିକୁ ବିଦାୟ ଦେଲେ । ଅସଲ କଥା ହେଉଛି ଏ ବିଧବା ବୁଢ଼ୀଟିର ସ୍ଵର୍ଗତ ସ୍ଵାମୀକୁ ବିରାଡ଼ି ଅଗାଧୁ ବୋଲି ଥଟ୍ଟା କରୁଥିଲେ । ତେଣୁ ‘ପୁଷ୍’ ଶବ୍ଦରୁ ସେ ତା’ର ସ୍ଵାମୀଙ୍କ ପ୍ରତି ଅବମାନନା ଓ ତା’ ପ୍ରତି ତାତ୍ସଲ୍ୟ ଭାବ ପ୍ରକାଶ କରାଯାଉଥିବାର ସେ ଧରିନିଏ ଓ କେହି ମାର୍ଜାର ସମ୍ବନ୍ଧୀୟ ଶବ୍ଦ ଉଚ୍ଚାରଣ କରିବାର ଶୁଣିଲେ ସେ ଲୋକଙ୍କୁ ଦଣ୍ଡଦେବା ପାଇଁ ଧାଇଁଆସେ ଓ ଅନେକ ସମୟରେ ଅଭିଧାନ ବହିର୍ଭୂତ ଭାଷା ମଧ୍ୟ ପ୍ରୟୋଗ କରେ ।

 

ଇତିହାସ

 

ବୁଢ଼ୀଟି ସେଇ ଗାଁର ଝିଅ ଓ ସେହିଠାରେ ବୋହୂ, ତେଣୁ ପିଲାଦିନ ଦାଣ୍ଡୁଆ କାରବାର ସେ ସମ୍ପୂର୍ଣ୍ଣ ଭାବରେ ବଜାୟ ରଖିଛି । କାହାକୁ ମାନେନି ବା ଲଜ୍ଜା ସଙ୍କୋଚ କରିବା ତା’ର ଦରକାର ପଡ଼େନାହିଁ । ପୁରୁଷମାନଙ୍କ ସଙ୍ଗେ ସମାନ ଭାବରେ ତାଳ ଦେଇ ସେ ତା’ର ଜୀବନ ନୌକା ଚଳାଇ ଆସିଛି । ତା’ର ପ୍ରକୃତି ଅନେକାଂଶରେ ପୁରୁଷ ଭଳି ହୋଇଯାଇଥିବାରୁ ତାକୁ ସଜହରେ ଚିହ୍ନିବାପାଇଁ ଲୋକେ ତା’ ନାମ ପଛରେ ଅଣ୍ଡିରା ଶବ୍ଦ ଯୋଗ କରି ‘ଅଣ୍ଡିରା ଉଜ୍ଜ୍ୱଳ’ ବୋଲି ଆଖ୍ୟା ଦେଇ ଥାଆନ୍ତି । ଗାଁର କୌଣସି କାର୍ଯ୍ୟ ପଡ଼ିଲେ ସେ ପୁରୁଷଙ୍କ ସଙ୍ଗେ କାନ୍ଧକୁ କାନ୍ଧ ମିଳାଇ କାମ କରେ । ଗାଁ ଦାଣ୍ଡ ସଫା କରିବାପାଇଁ ସ୍ଵେଚ୍ଛାସେବକ ବାହିନୀର ଅଗ୍ରଣୀ ହୋଇ ଗୋଟାକୁ ଗୋଟା କାଠଗଡ଼ି କାନ୍ଧରେ ପକାଇ ଭିଡ଼ି ନବାଠାରୁ ନିର୍ବାଚନ ପ୍ରଚାରବେଳେ ପତାକା ଧରି ସ୍ଳୋଗାନ ବୋଲି ପ୍ରଚାର କରିବା ପର୍ଯ୍ୟନ୍ତ ସବୁ କାମରେ ସେ ଆଗୁଆ ହୋଇଥାଏ । କାର୍ଯ୍ୟ ସାଙ୍ଗକୁ ଭାଷାରେ ମଧ୍ୟ ପୁରୁଷତ୍ଵର ଚିହ୍ନରୂପେ ପଦ ପଦକେ ‘ଗୃହିଣୀ ସୋଦର’ର ଓଡ଼ିଆ ସଂସ୍କରଣ ସବୁବେଳେ ତା’ର ପାଟିରୁ ବାହାରୁ ଥାଏ ।

 

ସେ ବିଭା ହୋଇଥିଲା ତାଙ୍କ ଆଗଦୁଆର ଅଗାଧୁ । ଅଗାଧୁ ବଡ଼ ମାନ୍ଦା ପ୍ରକୃତି ଲୋକ-। ସେ ହଲିଲା ପାଣିକୁ ଗୋଡ଼ ଦିଏନାହିଁ । ଶାରୀରିକ ପରିଶ୍ରମ କରିବାକୁ ବଡ଼ ନାରାଜ । ଦିନରାତି ପଶା ଗଞ୍ଜପା ଖେଳି ସମୟ କଟାଇବାକୁ ଭଲପାଏ । ତାଙ୍କର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନୁହେଁ ତେଣୁ କିଛି ରୋଜଗାର ନ କରିବାରୁ ଘରେ ସଦାସର୍ବଦା ଦାମ୍ପତ୍ୟ କଳହ ଲାଗି ରହିଥାଏ । ଉଜ୍ଜଳ କର୍ମଠ ହୋଇଥିବାରୁ କୌଣସିମତେ ଘରର ଗୁଜୁରାଣ ମେଣ୍ଟାଇ ନିଏ । କିନ୍ତୁ ତା’ର ଉଗ୍ର ପ୍ରକୃତି ଯୋଗୁଁ କଳହରୁ ବେଳେ ବେଳେ ଅଗାଧୁ ପିଠିରେ ଦୁଇ ଚାରିଟା ଦୁମ୍‍ଦାମ୍‍ ବସିବାର ଶବ୍ଦ ଶୁଣାଯିବା କଥା ପଡ଼ୋଶୀମାନେ ଅଭିଯୋଗ କରନ୍ତି । ଅଗାଧୁ ବାହାରେ ଏ ବିଷୟ କାହାକୁ କିଛି ଜଣାଇ ଦିଏନାହିଁ । ତଥାପି ତା’ର ଏ ନରମ ପ୍ରକୃତି ଯୋଗୁଁ ଯେ ତା’ ନାମ ଆଗରେ ଗ୍ରାମବାସୀ ବିରାଡ଼ି ଶବ୍ଦ ଯୋଡ଼ିଥିଲେ । ଏଥିରେ କାହାର ସନ୍ଦେହ କରିବାରନାହିଁ । ଅବଶ୍ୟ ଏ ବିରାଡ଼ି ଉପାଧିର ଉତ୍ପତ୍ତି ସମ୍ବନ୍ଧରେ ଆଉ ଯେ କିଛି ଇତିହାସନାହିଁ ତା’ ନୁହେଁ । ଦିନେ ଅଗାଧୁ ଘରକୁ ଆସୁ ଆସୁ ବହୁତ ରାତି ହେଲା । ଉଜ୍ଜଳ ଚାହିଁ ଚାହିଁ, ଖାଇବା ଗଣ୍ଡାକ ଘୋଡ଼ାଇ ଦେଇ ଦାଣ୍ଡଘାଟ କବାଟଟି ଆଉଜାଇ ଦେଇ ନିଜେ ଖାଆପିଅ ସାରି ଗମ୍ଭୀରି ଘରେ ଶୋଇପଡ଼ିଲା । ପ୍ରାୟ ରାତି ଗୋଟାଏବେଳକୁ ଅଗାଧୁ ଧୀର କରି ଦାଣ୍ଡ ଦୁଆରକୁ ମେଲା କରି ଘରେ ପଶିଲା । ନିଜକୁ ଅବଶ୍ୟମ୍ଭାବୀ ବିପଦରୁ ରକ୍ଷା କରିବାପାଇଁ ନିଦ ନ ଭାଙ୍ଗିବାକୁ ଅନ୍ଧାରରେ ଗୋଡ଼ ଚିପି ଚିପି ବାରଣ୍ଡା ବାଟେ ଭିତର ଘର ଆଡ଼କୁ ମୁହାଁଇଳା । ଉଜ୍ଜଳ ବାସନପତ୍ରଗୁଡ଼ିଏ ସେ ବାରଣ୍ଡାରେ ରଖି ଦେଇଥିଲା । ସେଥିରୁ ଗୋଟିଏ ତା’ ଗୋଡ଼ରେ ବାଜି ଅଗଣାକୁ ପଡ଼ିଯାଇ ଝଣ୍ ଝଣ୍ ଶବ୍ଦ କରି ଗଡ଼ିଗଲା । ଉଜ୍ଜଳ ଅଧାନିଦିଆ ହୋଇ ସେ ଶବ୍ଦ ଶୁଣି ତା’ର ବିରାଡ଼ିଟା ତା’ ପାଖରୁ ଉଠିଯାଇ କଂସାବାସନ ଖଡ଼ଖାଡ଼୍‍ କରୁଛି ଭାବି, ଆସ ପୁଷ୍, ଆସ ପୁଷ୍ ବୋଲି ବିରାଡ଼ିକୁ ଡାକିଲା । ଅଗାଧୁ କିଛି ସମୟ ଗୁମ୍‍ମାରି ଠିଆ ହୋଇଗଲା କିନ୍ତୁ ପୁଣି ଅଗ୍ରସର ହେବାକୁ ଚେଷ୍ଟା କରିବାରେ ଆଉ ଗୋଟେ କଂସା ଅଗଣାକୁ ପଡ଼ିଯାଇ ପୁଣି ଶବ୍ଦ ହେଲା । ସେ ଶବ୍ଦ ଶୁଣି ଉଜ୍ଜଳ ତରତରରେ ଦୀପ ଲଗାଇ ପିଣ୍ଡାକୁ ଧାଇଁ ଆସିଲା । ଅଗାଧୁ ଆଉ ପୂର୍ବଦିନମାନଙ୍କ ପରି ଲୁଚି କରି ଯାଇ ଖଟିଆରେ ଶୋଇ ପାରିଲାନାହିଁ । ତେଣୁ ସେ ବହୁତ ବେଳୁ ଆସିଥିବାର ପ୍ରମାଣ ସାବ୍ୟସ୍ତ ନ କରିପାରି ଧରା ପଡ଼ିଗଲା । ସେଥିପାଇଁ ତାକୁ କିଛି ଉତ୍ତମ ମଧ୍ୟମ ମଧ୍ୟ ମିଳିଲା । ରାତିର ମାମଲା ସେତିକିରେ ସରିଲାନାହିଁ, ଉଜ୍ଜଳ ସେ ଘଟଣା ଗାଇ, ବାଇ ହୋଇ, ସ୍ଵାମୀକୁ ବିରାଡ଼ି ବୋଲି ଭାବିଥିବା କଥା ତା’ର ସାଙ୍ଗ ସୁଲିକୁ କହି ସ୍ଵାମୀକୁ କିପରି ଧରିଲା ସେ ବିଷୟରେ ବାହାଦୁରି ଦେଖାଇଲା । ଏକଥା ସୁଲିଠାରୁ ବୁଲି ଓ ବୁଲି ଠାରୁ ମଲ୍ଲି; ମଲ୍ଲି ଠାରୁ ଗେଲି ଏପରି ଗାଁ ଗୋଟାକ ମାଇପିଙ୍କ ଭିତରେ ବ୍ୟାପିଗଲା । ମାଇପିଙ୍କ ଠାରୁ ଧୀରେ ଧୀରେ ତାହା ମରଦମାନଙ୍କ କାନକୁ ଯାଇ ଗାଁ-ସାରା ପ୍ରଘଟ ହୋଇ ଅଗାଧୁର ନାମ ସଙ୍ଗେ ବିରାଡ଼ି ଶବ୍ଦଟି ଚିରଦିନ ପାଇଁ ଯୋଡ଼ି ହୋଇଗଲା । ଏକଥା ଏପରି ଆକାର ଧରିବା ଉଜ୍ଜଳକୁ ଭଲଲାଗିଲାନାହିଁ । ସେ ବନ୍ଧୁମାନଙ୍କ ଉପରେ ରାଗି ପାଚି ନାଲ ହୋଇଗଲା, ତେଣୁ ସେହି ଦିନଠାରୁ ବିରାଡ଼ି ବା ପୁଷ୍ ଶବ୍ଦ ଶୁଣିଲେ ତାକୁ ଟାପରା କରାଯାଉଛି ବୋଲି ଧରିନେଇ ସେ ଶାସ୍ତି ଦେବାକୁ ଦଉଡ଼ି ଆସେ ।

 

ଚିହ୍ନଟ

 

ଉଜ୍ଜଳ ରାଗୁ ବା ନ ରାଗୁ ନାମ ସଙ୍ଗେ ଏପରି ଉପାଧି ସବୁ ଯୋଡ଼ା ହେବା ସେ ଅଞ୍ଚଳରେ କିଛି ନୂଆ କଥା ନୁହେଁ । କାର୍ଯ୍ୟ, ପ୍ରକୃତି, ଓ ଆକୃତି ଅନୁସାରେ ବହୁତ ଲୋକଙ୍କ ନାମ ଆଗରେ ଏପରି ଉପାଧି ସବୁ ଯୋଡ଼ା ହେବା ବଡ଼ ମାମୁଲି ଘଟଣା । ଏହାଦ୍ଵାରା ଲୋକ ଚିହ୍ନିବା ବଡ଼ ସୁବିଧା ହୁଏ । ଗୋଟିଏ ଗୋଟିଏ ବଡ଼ ଗାଁରେ ଏକାପ୍ରକାର ନାମଧାରୀ ବହୁତଗୁଡ଼ିଏ ଲୋକ ଥାଆନ୍ତି, ତେଣୁ ଏପରି ଉପାଧିଦ୍ଵାରା ସେମାନଙ୍କୁ ଅଲଗା, ଅଲଗା କରି ଚିହ୍ନି ହୁଏ । ଅବଶ୍ୟ ଏପରି ଚିହ୍ନଟର ସୁବିଧାକୁ ସମସ୍ତେ ଭଲଭାବରେ ଗ୍ରହଣ କରନ୍ତିନାହିଁ । ଅଧିକାଂଶ ସେ ଶବ୍ଦର ବ୍ୟବହାର କାହିଁକି, ତା’ର ଇସାରାରେ ମଧ୍ୟ ଚିଡ଼ି ଉଠନ୍ତି । ସେ ଗ୍ରାମରେ ଚାରିଜଣ ହରି ଥିଲେ, ଜଣେ କଳାଥିବାରୁ ତାଙ୍କ ନାଁ କୋଇଲା ହରି, ଆଉ ଜଣେ ପାତଳା ଓ ଡେଙ୍ଗାଥିବାରୁ ଧଣ୍ଡ ହରି, ଜଣେ ଯାତ୍ରୀ ବ୍ୟବସାୟ କରି ବାଟକୁ ଯାଉଥିବାରୁ ବାଟୁଆ ହରି ଓ ଅନ୍ୟ ଜଣଙ୍କ ଦେହରେ ପ୍ରଚୁର ମଇଁଷିଆ ଯାଦୁଥିବାରୁ ଯାଦୁଆ ହରି ବୋଲି ପରିଚିତ ଥିଲେ । ଅନ୍ୟମାନେ ବେଶି ଚିଡ଼ନ୍ତିନାହିଁ କିନ୍ତୁ ଯାଦୁଧାରୀଙ୍କ ସାମନାରେ ଟିକିଏ ଦେହ କୁଣ୍ଡାଇ ଦେଲେ ବା, ଯାଦୁପରି ବୁଦାବୁଦା ଶିଉଳିଯୁକ୍ତ ପଥରକୁ ଦେଖାଇ ଦେଲେ କିମ୍ବା ଯାଦୁ ପରି ମେଞ୍ଚା ମେଞ୍ଚା ମେଘଯୁକ୍ତ ଆକାଶ ଦିଗକୁ ଆଙ୍ଗୁଠିଟି ଦେଖାଇ ଦେଲେ ସେ ଚିଡ଼ିଚିଡ଼ି ଗାଳି ଦେଇ ଦେଇ ପ୍ରାୟ ଚୈତନ୍ୟ ଶୂନ୍ୟ ହୋଇଯାଉଥିଲେ । ଏପରି ଲୋକଙ୍କୁ ଚିଡ଼ାଇବାକୁ ମଧ୍ୟ ଗାଁରେ ଚଗଲା ଟୋକା କମ୍ ନଥିଲେ । ଥରେ ଜଣେ ଚଗଲା ଟୋକା ଝିମିଟି ଖେଳରୁ କିପରି ବିରାଟ କାଣ୍ଡ ଘଟାଇଥିଲେ ତାହା ଏହି ତଳ ଘଟଣାରୁ ଜଣାପଡ଼ିବ-। ସେ ଗାଁରେ ଜଣେ ପ୍ରଭାବଶାଳୀ ଧନୀ ବ୍ୟକ୍ତି ଥିଲେ । ତାଙ୍କ ଘରେ ଗୋଟିଏ ବଡ଼ ଭୋଜିର ଆୟୋଜନ ହେଲା । ଗ୍ରାମୀୟ ପ୍ରଥା ଅନୁସାରେ ନିମନ୍ତ୍ରିତ ବ୍ୟକ୍ତିମାନେ ସନ୍ଧ୍ୟା ଆଗରୁ ଭୋଜି ନିମନ୍ତ୍ରଣ ଦିଆଯାଏ ଓ ରନ୍ଧା ସରିଲେ ପୁଣି ଘର ଘର ବୁଲି ନାଁ ଧରି ଡକାଯାଏ । ସେହି ଭୋଜିପାଇଁ ଗାଁସାରା ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଭୋଜି ରନ୍ଧା ଶେଷ ହେବାପରେ ଡକା ଯିବାର କଥା, ସେ ଭଦ୍ରଲୋକଙ୍କର ଗୋଟିଏ ଚଗଲା ଆଡ଼ବାଇଆ ଓ ଖଳ ପ୍ରକୃତିର ପୁତୁରା ଥିଲା-। ସେ କକାଙ୍କ ଅନୁମତି ନେଇ ରାତି ୯ଟାବେଳେ ଗ୍ରାମବାସୀକୁ ଡାକିବାକୁ ବାହାରି ପଡ଼ିଲା । ସେ ଦ୍ଵାର ଦ୍ଵାର ବୁଲି ଯାହାକୁ ଯେଉଁ ବିକୃତ ଆଖ୍ୟା ଦିଆଯାଇଥିଲା ବା ଯେଉଁଥିରେ ସେ ଚିଡ଼ି ଉଠିବ, ସେଇସବୁ ଶବ୍ଦ ଲଗାଇ ଗାଁର ଏ ମୁଣ୍ଡରୁ ସେ ମୁଣ୍ଡ ଡାକି ଆସିଲା । କାହାକୁ ଡାକିଲା ହେ କଖାରୁ ଲିଙ୍ଗ (ସେ ଟିକିଏ ମୋଟା, ମୁଁ ଡାକି ଯାଉଛି କକାଙ୍କ ଘରକୁ ଖାଇବାକୁ ଆସ । ସେହିପରି ଅନ୍ୟମାନଙ୍କୁ, ଆମ୍ବୁଲ ମଧୁ (ମୁହଁ ଟିକିଏ କାନ୍ଦ କାନ୍ଦ ଦିଶେ, ଖନା ହରି, ମୂଷା ଲାଙ୍ଗୁଡ଼ି ସାଧୁ (ଚୁଟିଟି ମୂଷାଲାଙ୍ଗୁଡ଼ ପରି), ଭୋପା କଣ୍ଠ, ପୋଇପତ୍ରିଆ ମହି, ଲଣ୍ଡା କୃଷ୍ଣ, ଲେଫଡ଼ା ନରି, ବଡ଼ଟୋପା (ମୁଣ୍ଡରେ ବଡ଼ ଚନ୍ଦନ ଟୋପା) ଅଗାଧୁ, ମାଙ୍କଡ଼ ଭୋବନି, ଲୋଚା ଲାଙ୍ଗୁଡ଼ିଆ ଗଙ୍ଗା, ବୋଳ ଝାଞ୍ଜି (ମତରେ ଠିକ୍ ନାଇଁ) ବାଜି, ଇତ୍ୟାଦି, ଆମ କକାଙ୍କ ଘରକୁ ମୁଠେ ଗିଳିବାକୁ ଆସିବା ହେଉ ବୋଲି ଡାକିଗଲା ।

 

ଲୋକମାନେ ଘରେ ଚୁଲି ନ ଲଗାଇ ଭୋଜି ଖାଇବାକୁ ଯିବାକୁ ଅପେକ୍ଷା କରି ବସିଥିଲେ । କିନ୍ତୁ ଏପରି ଡାକରାରେ ଆଉ ଚାରା କ’ଣ, ଖାଲି ଖୁଁ, ଖୁଁ, ଫଁ ଫଁ ହୋଇ ଭାଗ୍ୟକୁ ଆଦରି ବସି ରହିଲେ । କେହି, କେହି ଘରେ ଚୁଲି ଲଗାଇବା ପାଇଁ ଯୋଗାଡ଼ କଲେ, କିନ୍ତୁ ଅନେକଙ୍କର ସେ ସୁବିଧାବି ନଥିଲା । ତେଣେ କକା ଅପେକ୍ଷା କରି କରି ରାତି ଦୁଇ ହେଲା, କାହାର ଜଣକରବି ଦେଖାନାହିଁ । ପ୍ରଥମେ ଲୋକମାନେ ପୁରାଣ ଶୁଣି ଆସିବାରେ ଡେରି ହେଉଚି ବୋଲି ଭାବିଥିଲେ କିନ୍ତୁ ଏତେ ରାତି ହେବାରୁ, ଲୋକେ କାହିଁକି ନ ଆସିଲେ ତା’ର କୁଳକିନାରା କିଛି ପାଇଲେନାହିଁ । ପୁତୁରାରତ ଦେଖାନାଇଁ । ଖୋଜା ହେବାରୁ ଜଣାଗଲା, ସେ ମୁଠିଏ ଖାଇ ଆରାମରେ ଶୋଇଯାଇଛି । ଡାକିଲେ ଉଁକି ଚୁଁ କିଛି କରୁନାଇଁ । ବାଧ୍ୟ ହୋଇ କକା ଗାଁ ଦାଣ୍ଡକୁ ଗଡ଼ିଲେ । ଅଧିକାଂଶ ଲୋକଙ୍କ ଦୁଆର କିଳା ସରିଲାଣି । କିନ୍ତୁ ଜଣେ ଅଧେ ଉଦରଜ୍ଵାଳା ସମ୍ଭାଳି ନ ପାରି ନିଜ, ନିଜ ଦାଣ୍ଡ ଦୁଆରେ ମଶା ବାଡ଼େଇ ଏପଟସେପଟ ହେଉ ଥାଆନ୍ତି । ସେମାନଙ୍କୁ ପଚାରିବାରେ, ଏ କହିଲା ତାକୁ ପଚାର, ସେ କହିଲା ୟାକୁ ପଚାର, ଲାଜରେ କେହି ପାଟି ଫିଟାଇ କହିପାରୁ ନ ଥାନ୍ତି । ପେଟେ ଭୋକ ମୁହେଁ ଲାଜ କେତେବେଳେ ଆଉ ସମ୍ଭାଳିବେ ? ଜଣେ ଭରସି କରି କହିଲା “ଆଜ୍ଞା ଆଉ କାହିଁକି ଆସିଛନ୍ତି ? ପୁତୁରା ଯେଉଁ ସମ୍ବର୍ଦ୍ଧନା କରି ଡାକିଲେ ସେଥିରେ କ’ଣ ନିଆଁରେ ଆଉ ଚିଆଁ ମାଡ଼ିବାକୁ ଆସିଛନ୍ତି ? ଅମୁକକୁ ଏହିପରି ଡକାଗଲା, ସମୁକକୁ ସେହିପରି ଡକାଗଲା, ଏଥିରେ ଆମେମାନେ କ’ଣ ଏପରି ନିଲ୍ଲଜ୍ଜ ମାଗିଖିଆ ହୋଇଛୁ । ଆପଣଙ୍କ ଘରକୁ ଖାଇବାକୁ ଯିବୁ । କକା ଏସବୁ ଶୁଣି ତାଙ୍କ ଅବସ୍ଥା ବାରଣ୍ଡା ଦିକଡ଼ା । ଏତେ ପଦାର୍ଥ ରନ୍ଧା ହୋଇ ସବୁ ନଷ୍ଟ ହେଲା, ଆଜି କି ଗ୍ରହ ଖରାପ ସେ କୁଳାଙ୍ଗାରକୁ କାହିଁକି ପଠାଇଲି କହି ବହୁତ ବ୍ୟସ୍ତ ହୋଇ କାନ୍ଦି ପକାଇଲେ । ଶେଷକୁ ବେକରେ ଗାମୁଛା ପକାଇ ଦୁଆର ଲମ୍ବ ଲମ୍ବ ହୋଇ ଗୋଡ଼ତଳେ ପଡ଼ି କ୍ଷମା ପ୍ରାର୍ଥନା ମାଗିଲା ପରେ କେହି କେହି, ଆସି ଭୋଜିରେ ଯୋଗ ଦେଲେ । ସେତେବେଳକୁ ଭୋଜି ସାମଗ୍ରୀ ଥଣ୍ଡା ହୋଇ ଆମ୍ବିଳା ହେବା ଦିଗକୁ ଗତି କରିଥିଲେ ମଧ୍ୟ ସେଥିରୁ କେତେକ ଲୋକମାନଙ୍କ ପେଟରେ ପଡ଼ିଲା । ଏକଥାରୁ ବ୍ୟଙ୍ଗ ଉପାଧିର କି କରାମତି ତାହା ଜଣାପଡ଼େ ।

 

ସ୍ଵାମୀଙ୍କ ବୈରାଗ୍ୟ

 

ଆଗରୁ କୁହାଯାଇଛି ଏ ବ୍ୟଙ୍ଗ ଉପାଧି ସବୁ ସମସ୍ତଙ୍କ ଆଗରେ କୁହାଯାଏନାହିଁ ଓ ଅନେକ ଶୁଣି ମଧ୍ୟ ତାହା ପ୍ରତି ବିଶେଷ ଗୁରୁତ୍ଵ ଦିଅନ୍ତିନାହିଁ । ଅଗାଧୁଙ୍କର ସେହିପରି ବିରାଡ଼ି ଉପାଧି ପ୍ରତି କୌଣସି ଚିନ୍ତା ନ ଥାଏ କିନ୍ତୁ ତାଙ୍କର ଏକମାତ୍ର ଚିନ୍ତା ତାଙ୍କର ସ୍ତ୍ରୀ । ତାଙ୍କୁ ଦେଖିବାକ୍ଷଣି ପିଳେହି ପାଣି ହୋଇଯାଏ । ସେ ସ୍ତ୍ରୀଙ୍କର ଭର୍ତ୍ସନା ସହ୍ୟ କରି ଆଉ ବେଶି ଦିନ ଗ୍ରାମରେ ରହିବାକୁ ନିରାପଦ ମଣିଲେନାହିଁ । ସେ ନିଜ ଭାଗ୍ୟକୁ ଦୋଷ ଦେଇ ଦିନେ ରାତିରୁ ଉଠି ନିଜ ଜମିବାଡ଼ିର ଦଲିଲପତ୍ରତକ ଧରି ଗୋପନରେ ପୁରୀ ଅଭିମୁଖେ ଯାତ୍ରା କଲେ । ଉଜ୍ଜଳ ସ୍ଵାମୀଙ୍କ ଅନୁପସ୍ଥିତିରେ କାତର ନ ହୋଇ ନିଜ ଧନ୍ଦାରେ ଲାଗିଲେ । ସେ ସମସ୍ତ କାର୍ଯ୍ୟକୁ ମଜଭୁତ୍ ଧାନକୁଟା ଠାରୁ, ବାଡ଼ି ଧରି ବଳଦ ଅଡ଼ାଇ ଧାନ ବେଙ୍ଗଳା ପକାଇବା ପର୍ଯ୍ୟନ୍ତ ସବୁ ବିଦ୍ୟା ତାଙ୍କୁ ଜଣା, ତେଣୁ ଗୋଟିଏ ପେଟ ପୋଷିବାପାଇଁ ତାଙ୍କର ବିଶେଷ ଅସୁବିଧା ହେଲାନାହିଁ । ତେଣେ ଅଗାଧୁ ପୁରୀରେ ଯଯମାନି ଓ ପୁରୀ ପଣ୍ଡାଙ୍କର ଧୂଳିଆ ଗୁମାସ୍ତା କାମ କରି ବେଶ୍ ଦିପଇସା ରୋଜଗାର କଲେ । ସେଥିରେ ତାଙ୍କର ନିଜ କାର୍ଯ୍ୟ ବେଶ୍ ସୁରୁଖୁରୁରେ ଚଳୁଥିଲା, କିନ୍ତୁ ପୁରୀ ପଣ୍ଡାଙ୍କର ‘ଜାଗାଘରେ’ ପାଚକ ସମ୍ପର୍କରେ ଆସି, ପାଚକ ପାଣିର ଅଭ୍ୟାସ ହୋଇଗଲା । ଭାଙ୍ଗ ଖାଇବାରୁ ତା’ ସଙ୍ଗେ ‘ସର’ ‘ପାପୁଡ଼ି’ ପ୍ରଭୃତି ସେହ୍ନସାର ପଦାର୍ଥ ଖାଇବାକୁ ପାଟି ଟକ୍, ଟକ୍ ହେଲା । ଏସବୁ ଯୋଗୁଁ ଦିନକୁ ଦିନ ସେ ବେଶି ବେଶି ଆର୍ଥିକ ଅନାଟନ ସମ୍ମୁଖୀନ ହେଲେ ।

 

ଭାଗ୍ୟଗଣନା

 

ଏହିପରି ଦୁର୍ଯୋଗ ସମୟରେ ଦିନେ ପଞ୍ଜାବର ଅମୃତସର ସହରରୁ ଆସିଥିବା ଜଣେ ଶ୍ମଶ୍ରୁଧାରୀ ବିଶିଷ୍ଟ ଜ୍ୟୋତିଷ ପଣ୍ଡିତଙ୍କ ସଙ୍ଗେ ତାଙ୍କର ଦେଖା ହେଲା । ନିଜର ଭବିଷ୍ୟତ ଜାଣିବାକୁ କିଏ ନ ଚାହେଁ, ତେଣୁ ସେ ନିଜର ଭବିଷ୍ୟତ ବିଷୟ ଜାଣିବାକୁ ଅତି ଇଚ୍ଛୁକ ହୋଇ ପଡ଼ିଲେ । ପଣ୍ଡିତେ ତାଙ୍କ ପାଉଣା ପକେଟସ୍ଥ କରି ବହୁ ସମୟଯାଏଁ ଖାଲି ଗଣନା କରିବାକୁ ଲାଗିଲେ । ଅଗାଧୁ ଏତେ ସମୟ ବା ଧୈର୍ଯ୍ୟ ଧରୁଛନ୍ତି କେତେକେ, ସେ ଖାଲି ଘନ ଘନ ପ୍ରଶ୍ନ ପଚାରି ଉତ୍ତର ଶୁଣିବାକୁ ଉତ୍କଣ୍ଠିତ ହୋଇ ପଡ଼ିଲେ । ସୁବିଧା ମିଳିଲେ ସମସ୍ତେ ନିଜର ଆକାଂକ୍ଷିତ ବିଷୟଟି ଜାଣିବାପାଇଁ ବେଶି ଉଦ୍‍ଗ୍ରୀବ ହୋଇ ଉଠନ୍ତି ଓ ନିଜ ଭିତର କଥା ସବୁ କହିପକାନ୍ତି । ତାଙ୍କର ଗାଁକୁ ଫେରିବା ତ ଅସମ୍ଭବ, ସେକଥା ଭାବିଲେ ସହଧର୍ମିଣୀଙ୍କ ଭୈରବୀ ମୂର୍ତ୍ତି ମନେପଡ଼ି ଛାତି ଥରି ଉଠେ; ଏଣେ ଅଭାବ ମାଡ଼ି ଆସୁଛି, ଆଉତ କେଉଁଠିକୁ ପଳାଇ ସୁଖରେ ରହିବାର ଆଶାନାହିଁ ତେଣୁ ଶୀଘ୍ର ସ୍ଵର୍ଗପ୍ରାପ୍ତି ହେବାହିଁ ତାଙ୍କ ପକ୍ଷେ ସବୁଠାରୁ ବେଶି ମଙ୍ଗଳ ସେଇଆହିଁ ତାଙ୍କର ଭିତରି ଇଚ୍ଛା, ତେଣୁ ତାଙ୍କର କେବେ ମୃତ୍ୟୁ ହେବାର ସମ୍ଭାବନା, ସେ କଥା; ଥରକୁ ଥର ପଚାରି ସେ ଜ୍ୟୋତିଷ ପଣ୍ଡିତଙ୍କୁ ବ୍ୟସ୍ତ କରି ପକାଇଲେ । ପଣ୍ଡିତେ ତାଙ୍କର ଉତ୍କଣ୍ଠା ଦେଖି ଆଉରି ବେଶି କରି ଗଣନା କରି, ଠିକ୍ ବର୍ଷକ ପରେ ସେହିଦିନ ତାଙ୍କର ନିଶ୍ଚୟ ସ୍ଵର୍ଗପ୍ରାପ୍ତି ହେବ ବୋଲି ନିର୍ଦ୍ଦିଷ୍ଟ ସମୟଟି ଜଣାଇ ଦେଲେ ।

 

ସ୍ଵର୍ଗାରୋହଣ ଅଭିଳାଷ

 

ସେ ବସାକୁ ଫେରି ଦଲିଲପତ୍ର ସବୁ ବାହାର କଲେ । ତା’ପରେ ମଝିରେ ମଝିରେ କଚେରିକୁ ଆସୁଥିବା ଜଣେ ଗ୍ରାମ୍ୟ ଟାଉଟର-ମାମଲତକାରଙ୍କୁ ଧରି ଖଣ୍ଡିଏ ଖଣ୍ଡିଏ କରି ଜମିତକ ବିକି ଦିନାକେତେ ପୁଣି ଭଲଭାବରେ ଚଳିଲେ । ସମୟ ସରି ଆସିଲା, ଜମିବାଡ଼ିର ବିକ୍ରିଲବ୍‍ଧ ଟଙ୍କା ପଇସା ମଧ୍ୟ ପ୍ରାୟ ଉଡ଼ିଗଲା । ନିର୍ଦ୍ଦିଷ୍ଟ ଦିନ ମାନସିକ ଉଦ୍‍ବିଗ୍ନ ଯୋଗୁଁ ହେଉ, ବା ପଣ୍ଡିତଙ୍କ ଗଣନାର ପ୍ରାରମ୍ଭିକ ସତ୍ୟତା ଯୋଗୁଁ ହେଉ, ଚାହୁଁ ଚାହୁଁ ଭୀଷଣ ଜ୍ଵର କାହୁଁ ମାଡ଼ି ଆସିଲା । ସେ ସ୍ଵର୍ଗକୁ ଯିବାର ପ୍ରସ୍ତୁତି ଆରମ୍ଭ କରିଦେଲେ । ଥରି ଥରି ଯାଇ ଗଙ୍ଗା ମୃତ୍ତିକା ଘୋରି ମୁଣ୍ଡରେ ଓ ଦେହରେ ଲଗାଇ ଦେଲେ । ରୁଦ୍ରାକ୍ଷ ମାଳାଟି ବେକରେ ପକାଇଲେ, ଗଙ୍ଗାପାଣି ବୋତଲଟି ତକିଆ ଡେରାଦେଇ ପାଟି ପାଖକୁ ରଖିଲେ ଓ ହାତରେ ତୁଳସୀପତ୍ର ଧରି କନ୍ଥା ଘୋଡ଼ି ହୋଇ ନିଶ୍ଚଳ ଭାବରେ ହରିନାମ ଜପି ପଡ଼ି ରହିଲେ ଯମଦୂତମାନଙ୍କର ପଦଚାରଣ ଠାରୁ ଆରମ୍ଭ କରି ସ୍ଵର୍ଗପୁରୀ, ନର୍କପୁରୀ ଓ ଚିତ୍ରଗୁପ୍ତ ପଞ୍ଜିକା ମେଲାଇ ବସି ଗଣନା କରୁଥିବାର ଦୃଶ୍ୟ ପର୍ଯ୍ୟନ୍ତ ସବୁ ଆଖିଆଗରେ ଢଳଢ଼ଳ ହୋଇ ଭାସିବାକୁ ଲାଗିଲା । ଚାହୁଁ, ଚାହୁଁ ପଣ୍ଡିତେ ଦେଇଥିବା ସମୟ ଗଡ଼ିଗଲା କିନ୍ତୁ ସତ ଯମଦୂତ ଆସିଲେନାହିଁ କି ତାଙ୍କୁ ନେଲେନାହିଁ । ସକାଳ ହେଲା, ଖରା ପଡ଼ିଲା, ଦିପ୍ରହର ହେଲା, ତଥାପି ଯମଦୂତ ଆଶା ନ ଛାଡ଼ି ସେ ସେଇପରି ପଡ଼ି ରହିଲେ । ଦାନ୍ତଘଷା, ପୋଖରୀ ଯିବା ପ୍ରଭୃତି କୌଣସି ନିତ୍ୟକର୍ମ ସରିନାହିଁ । ଏଣେ ପୁଣି ଭୋକରେ ପେଟ ହାଉଁ ହାଉଁ ହେଲାଣି । ଆଉ କେତେ ସମ୍ଭାଳିବେ, ତେଣୁ ବାଧ୍ୟହୋଇ ଝାଡ଼ିଝୁଡ଼ି ହୋଇ ଉଠି ବସିଲେ । ଦିନାକେତେ ଅଳ୍ପ ଜ୍ଵର ଦେହରେ ରହିଲା କିନ୍ତୁ ସେ ବି ଛାଡ଼ି ଚାଲିଗଲା । ସମ୍ବଳତ ସରିଚି, ଚଳିବେ କିପରି ? ପୁରୀରେ ଭଡ଼ା ଦେଇ ମୁଣ୍ଡ ଗୁଞ୍ଜି ରହିବାକୁ ଆଉ ଜାଗା ଟିକିଏବି ନାହିଁ, କାରଣ ତାଙ୍କର ପଣ୍ଡିତେ ଦେଇଥିବା ମୃତ୍ୟୁ ତାରିଖ ପର୍ଯ୍ୟନ୍ତ ସେ ଘରଭଡ଼ା ଛିଣ୍ଡାଇ ଦେଇଛନ୍ତି ଓ ଅନ୍ୟଜଣେ ସେ ଘରପାଇଁ ବହିନା ଦେଇଛି । ଘରବାଲା ଘର ଖାଲି କରିବାକୁ ଲଗାଇଛି । ଯାହାହେଉ ଦେଉଳ ଧାଉଡ଼ି କିଆବାଡ଼କୁ ଭଲ ହେଉ ବା ମନ୍ଦ ହେଉ ଗାଁକୁ ଲେଉଟିବା ଛଡ଼ା ତାଙ୍କର ଅନ୍ୟ ଉପାୟ କିଛି ରହିଲାନାହିଁ । ଗାଁରେ ପହଞ୍ଚି ଦେଖିଲେ ନିଜ ଘରେ ଆଉ ସ୍ଥାନନାହିଁ । ଜମିବାଡ଼ି ସବୁ ବିକା ହେବାର ଶୁଣି ସହଧର୍ମିଣୀ ତ ଗୋଟାକୁ ସାତଟା ହୋଇ ବସିଥିଲା ତାଙ୍କୁ ଦେଖିଲାକ୍ଷଣି ଅକଥନୀୟ ଭାଷା ପ୍ରୟୋଗ କରି ଧକ୍କା ଦେଇ, ଦେଇ, ଦାଣ୍ଡ ପିଣ୍ଡାରୁ ସିଧା ଦାଣ୍ଡ ମଝିକୁ ସଳଖାଇ ଦେଲା । ବିଚାର ୟା ଦୁଆର, ତା ଦୁଆର ହୋଇ ମାଗିଯାଚି ମୁଠାଏ ଖାଇବା କଥା । କାହା ପିଣ୍ଡାରେ ପେଟରେ ଓଦାକନା ଦେଇ ପଡ଼ିଥିଲାବେଳେ ସେ ମନେ ମନେ ଗୁଣୁଗୁଣୁ ହୋଇ ଦୀର୍ଘନିଃଶ୍ଵାସ ପକାଇ କହିବାର ଶୁଣାଗଲା, ‘‘ମୁଁ ଓଲୁ ସେ ଭାଲୁ ଜ୍ୟୋତିଷ କଥାରେ କାହିଁକି ବିଶ୍ଵାସ କଲି, କେଉଁଠି ବା ମଲି, ଶେଷକୁ ମୋ ଭାଗ୍ୟରେ ଏତିକି ହିନସ୍ଥା ଓ ଦୁରବସ୍ଥା ଲେଖାଥିଲା-। ଗୃହ ଚଣ୍ଡିଠାରୁ ଏପରି ଶାସ୍ତି ପାଇବାକୁ ଥିଲା” । ସେ ଯାହାହେଉ ଆଉ କେତେମାସ ଏପରି ଜୀବନଯାପନ କରିବା ପରେ, ଅନାହାରଜନିତ ଶରୀର ଶୀର୍ଣ୍ଣତା ଦେଖି ତା’ର ସାଥି ବ୍ୟାଧିଗଣ ତାଙ୍କୁ ସଙ୍ଖୋଳିବାକୁ ଆସିଲେ । କିଛି ଡେରି ହେଲେ ମଧ୍ୟ ଯମଦୂତମାନେ ଆସି ତାଙ୍କୁ ଘେନିଗଲେ-। ଜ୍ୟୋତିଷଙ୍କ ଗଣନା ଠିକ୍ ଫଳିଲା

 

ସମାଜ ଯାତନା

 

ଉଜ୍ଜଳ ଗ୍ରାମର ପ୍ରଥା ଅନୁସାରେ ସ୍ଵାମୀଙ୍କ ଶୁଦ୍ଧ ଶ୍ରାଦ୍ଧ କରିବାକୁ ବାଧ୍ୟ ହେଲେ । ଏଣେତ କାମ ବନ୍ଦ ତେଣୁ ପୁଣି ଶୁଦ୍ଧ କାର୍ଯ୍ୟପାଇଁ ଖର୍ଚ୍ଚ ଦରକାର । ତେଣୁ ଯାହା ଖଣ୍ଡେ ଦିଖଣ୍ଡ ଅଳଙ୍କାର ବା ବାସନକୁଶନ ଥିଲା, ସେତକ ବିକ୍ରି ହୋଇ କାମରେ ଲାଗିଲା । ଅଗାଧୁ ଦୁଇ ଭାଇ ଥିଲେ, କିନ୍ତୁ ସାନ ଭାଇକୁ ସରଳ ଓ ଅଳସୁଆ ପ୍ରକୃତିର ଦେଖି ବଡ଼ ଭାଇ ବହୁତ ଦିନୁ ଅଗାଧୁକୁ ଅଲଗା କରି ଦେଇଥିଲେ । ତେଣୁ ଭିନ୍ନ ଭାଇର ‘କି ଲଗା’, ସେ ଶୁଦ୍ଧ ଘରେ ଉଜ୍ଜଳକୁ ପାଇସାଟିଏବି ସାହାଯ୍ୟ କଲେନାହିଁ, ବରଂ ପିଣ୍ଡା ଉପରେ ବସି ଶୁଦ୍ଧ ପରେ ଏଇଟା ହେଲାନି, ସେଇଟା ହେଲାନି କହି ଖାଲି ଅର୍ଥହୀନ ସମାଲୋଚନା କରିବାକୁ ଲାଗିଲେ । ଭାଇର ପୁରୀରେ ଥିବା ଯଜମାନି କଥା ସେ ଜାଣିଥିଲେ । ପୁରୀ ଗଲାବେଳେ ସେ ଭାବିଲେ ଭାଇବୋହୂଟା ତ ମାଇପି ଲୋକ ସେ ବା କ’ଣ ଜାଣିଛି, ଯଜମାନି ଟଙ୍କାଗୁଡ଼ାକ କାହିଁକି ବୁଡ଼ିଯିବ ସେସବୁ ଆଦାୟ କଲେ ଅନ୍ତତ ମାସକୁ ୨, ୪ ଥର ପୁରୀ ଯିବା ଆସିବା ଖର୍ଚ୍ଚ ଉଠିଯିବ । ସେ ଯଜମାନମାନଙ୍କ ପାଖକୁ ଯାଇ ଭାଇ ମୃତ୍ୟୁରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରି ଓ ଭାଇବୋହୂ ପ୍ରତି ସହାନୁଭୂତି ଦେଖାଇ, ଭାଇବୋହୂର ଦାୟିତ୍ଵ ତାଙ୍କ ଉପରେ ପଡ଼ିଛି ତେଣୁ ବର୍ତ୍ତମାନ ଭାଇବୋହୂଟି ବେକରେ ବନ୍ଧା ବୋଲି କହି ବକେୟା ଟଙ୍କା ପଇସା ସବୁ ଆଦାୟ କରି ଖୁସି ମନରେ ଖର୍ଚ୍ଚ କରିବାକୁ ଲାଗିଲେ ।

 

ପ୍ରତିଶୋଧ

 

ଉଜ୍ଜଳ ଦିନ କେତେ ବହୁତ କଷ୍ଟରେ ଚଳିଲା, ଘର ଛପର ନ ହୋଇପାରି ଚାଳରୁ ସବୁ ବର୍ଷା ପାଣି ଗଳିଲା । ସ୍ଵାମୀଙ୍କର ଯଜମାନି କଥା ସେ ଜାଣିଥିଲା, ତେଣୁ ସେମାନଙ୍କ ଠାରୁ କିଛି ପ୍ରାପ୍ୟ ପାଇବା ଆଶାରେ ନିର୍ଜଳା ଏକାଦଶୀରେ ପାଞ୍ଚକୋଶ ବାଟ ଚାଲି ଚାଲି ଆସି ପୁରୀରେ ପହଞ୍ଚିଲା । ପୁରୀରେ ପହଞ୍ଚି ଦେଢ଼ଶୁର ସବୁ ଟଙ୍କା ଆଦାୟ କରି ନେଇଯାଇଥିବା ବିଷୟ ଶୁଣି ତା’ର ହାଲୁକ ଶୁଖିଗଲା । ସେଇଦିନ ସେହିପରି ଅବସ୍ଥାରେ ସେ ଘରକୁ ଫେରିଲା । ସେ ନିରାଶ ହୋଇ ଗାଁକୁ ଫେରିଲା ସତ, କିନ୍ତୁ ସେ ସହଜେ ଦବି ଯିବାର ଜନ୍ତୁ ନୁହେଁ । ଏପରି ଅବସ୍ଥାରେ ଓ ଦେଢ଼ଶୁର, ଯାଆମାନଙ୍କ ଅତ୍ୟାଚାରରେ ଗାଁର ଅନେକ ନିରାଶ୍ରୟ ବିଧବା ହା-ହତାଶରେ ମାଟିରେ ମିଶିଯିବାର ଶୁଣାଅଛି, କିନ୍ତୁ ଉଜ୍ଜଳ ସେ ଧାତୁରେ ତିଆରି ନୁହ, ସେ ଆଜୀବନ ଯୋଦ୍ଧା । ‘ସେ ଯୁଦ୍ଧଂ ଦେହି’ ଡାକରା ଦେଇ ବରାବର ଯୁଦ୍ଧ କରି ଆସିଛି ଓ କରିବ । ଏକଥା ତା’ର ବୋହୂ ହେବା କାଳରୁ ମଧ୍ୟ ଜଣାଅଛି । ଯେଶାକୁ ତେସା ତା’ର ନୀତି, ତା’ର ସାପ ଲାଙ୍ଗୁଡ଼ରେ ଯିଏ ହାତ ଦେବ ସେ ତାକୁ ଫଅଁ କରି ଫଣା ମାରିବ । ତା’ର ବିବାହର ଅଳ୍ପବର୍ଷ ପରେ ଶାଶୂ ମରିଗଲେ କିନ୍ତୁ ଶ୍ଵଶୁର ତାକୁ ତାଗିଦ କରିବାରେ ଓ ବାହୁନିବାରେ ଶାଶୂକୁ ବଳିଗଲେ । ସେ ଯାହାକିଛି କଲେ ସବୁ ହେଲା ତା’ର ଦୋଷ । ଏପରିକି ସେ ଧାନ କୁଟିଲାବେଳେ ଏପରି ଢପ୍ ଢପ୍ କରି କ’ଣ କୁଟୁଚି ବୋଲି ସମାଲୋଚନା କରିବାକୁ ଛାଡ଼ିଲେନାହିଁ । ଦିନେ ଧାନ କୁଟୁଥିଲାବେଳେ ଶ୍ଵଶୁର ଆସି କଟକଟ ହେଲେ । ସେ ଆଉ କେତେ ସମ୍ଭାଳିବ, ତାଙ୍କୁ ଶାସ୍ତି ଦେବାକୁ ମନେ ମନେ ଗୋଟିଏ ଉପାୟ ପାଞ୍ଚିଲା । ବେଶି କଟକଟ ହେବାରୁ ସେ କହିଲା “କେତେ ବକ ବକ ହେଉଚ, ହାତରେ ତ କୁଣ୍ଡା ଶୁଖାଇ ହବନି କଥା କହିଲାବେଳକୁ ବାଟୁଳି ବାଜୁନି ।” ଏଥିରେ ଶ୍ଵଶୁର ବୁଢ଼ା ରାଗିଯାଇ କହିଲା “କ’ଣ ମତେ ଏଇ କଥା ଆସିବନି, ଦେଖ କିପରି ଶୁଖାଉଛି, ଏହା କହି ଢିଙ୍କି ଭରାଣ୍ଡିରେ ହାତ ପୂରାଇଲାବେଳକୁ, ଉଜ୍ଜଳ ସୁଇଚ୍ ଟିପିଲା ପରି ଢିଙ୍କିଟିକି ତେରଛେଇ ଜୋର୍‍ରେ ଛାଡ଼ିଦେଲା । ସଙ୍ଗେ ସଙ୍ଗେ ଢିଙ୍କି ଟିକି ତେରଛେଇ ଜୋର୍‍ରେ ଛାଡିଦେଲା । ସଙ୍ଗେ ସଙ୍ଗେ ଢିଙ୍କି ଭରାଣ୍ଡ ଉପରୁ ଶ୍ଵଶୁର ହାତର ଦୁଇଟି ଆଙ୍ଗୁଠି ଛିଣ୍ଡି ଯାଇ ଚେଙ୍ଗା ମାଛ ପରି ଠକ ଠକ ଡେଇଁବାକୁ ଲାଗିଲେ । ସେଇ ଉଜ୍ଜଳ ଦେଢ଼ଶୁରକୁ ଉପଯୁକ୍ତ ଶିକ୍ଷା ନଦେଇ ଛାଡ଼ନ୍ତା କିପରି, ସେ ପୁରୀରୁ ଫେରିବା ପରେ ଦିନେ ରାତିରୁ ଉଠି ନିଜ ଦାଣ୍ଡ ପିଣ୍ଡାରେ ଗୁମ୍‍ମାରି ବସି ରହିଲା । ରାତି ପାହିଲା ତଥାପି ସେ ସେଇଠାରେ ତୁନି ହୋଇ ବସିଥାଏ । ପିଣ୍ଡାଟି ଗାଁ ରାସ୍ତା ବା ଓଳିତଳୁ ପ୍ରାୟ ମୁଣ୍ଡେ ଉଚ୍ଚ । ପିଣ୍ଡାର ଆର ଅଧକରେ ଆଉ ଗୋଟିଏ ଗୋଟିଏ ଦୁଆର ଲାଗିଛି, ଏକା ଘରତ ଦୁଇ ଭାଗ ହୋଇଛି ତେଣୁ ଏକା ପିଣ୍ଡାରେ ଦୁଇଟି ଦୁଆର ଅଛି । କିଛି ସମୟ ପରେ ଆର ଦୁଆରଟି ମେଲା ହେଲା, ଦେଢ଼ଶୁର ବୁଢ଼ା ଢାଳଟିଏ ଧରି ଦାନ୍ତକାଠି କାମୁଡ଼ି ତେଲ ଲଗାଇ, ଦାଢ଼ି ଆଉଁଶି ଆଉଁଶି ପିଣ୍ଡା ପାହାଚ ଓହ୍ଲାଇ ରାସ୍ତାକୁ ଚାଲିଲେ । ଗାଁ ମୁଣ୍ଡ ପୋଖରୀ ଆଡ଼େ ଯାଇ ନିଜର ସମସ୍ତ ନିତ୍ୟକର୍ମ ସାରିଲେ । ଗାଧୋଇ ସାରି ମହାଦେବ ଦର୍ଶନ କରି କାନ୍ଧରେ ଓଦା ଗାମୁଛା, ହାତରେ ପାଣି ଢାଳ ଧରି, ଗୁଣୁଗୁଣୁ ହେଇ ଜଣାଣ ଗାଇ ଗାଇ ଘର ଆଡ଼େ ମୁହାଁଇଲେ । ଘରଦୁଆର ମୁହଁ ହେଲାବେଳକୁ ତାଙ୍କର ଦୃଷ୍ଟି ଉଜ୍ଜଳ ଉପରେ ପଡ଼ିଗଲା । ଭାଇବୋହୂର ଛାଇ ପଡ଼ିବା ପାପ । ଦେଖିବାତ ମହାପାପ, ତେଣୁ ସେ ସଙ୍ଗେ ସଙ୍ଗେ ତଳମୁହାଁ ହୋଇ ଆଡ଼େଇ ଆଡ଼େଇ ନିଜର ପାହାଚ ଆଡ଼କୁ ଚାଲିଲେ । ଠିକ୍ ଏତିକିବେଳକୁ ଉଜ୍ଜଳ ଖପ୍ କରି ପିଣ୍ଡାରୁ ଡେଇଁପଡ଼ି ଦେଢ଼ଶୁର ବେକରେ ଦୁଇ ହାତ ଗୁଡ଼ାଇ ଓହଳି ପଡ଼ିଲା । ଦେଢ଼ଶୁର ସମ୍ପୂର୍ଣ୍ଣ ଅପ୍ରତିଭ ଓ କିଂକର୍ତ୍ତବ୍ୟବିମୂଢ଼ା ହୋଇ ରାମ, ରାମ ଉଚ୍ଚାରଣ କଲାବେଳକୁ ତାଙ୍କର ଦାଢ଼ି ତଳୁ ଉଜ୍ଜଳ ପାଟି କରି କହି ଉଠିଲା “ଆରେ ଅଳପେଇସିଆ ବୁଢ଼ା, ଭାଇବୋହୂଟିତ ବେକରେ ବନ୍ଧା, ଏବେ ସମ୍ଭାଳ ।”

 

ବିଖ୍ୟାତ ଆନନ୍ଦ ଗୁଣ୍ଡି

 

ଅତି-ପଣ୍ଡିତମାନଙ୍କୁ ଅନେକ ସମୟରେ ପଣ୍ଡିତ ମୂର୍ଖ ଆଖ୍ୟା ଦିଆଯାଇଥାଏ । ଏହିପରି ପଣ୍ଡିତମାନଙ୍କର ଏକଦେଶଦର୍ଶୀଭାବ ଓ ବୈଷୟିକ ଜ୍ଞାନର ଅଭାବ ସମ୍ବନ୍ଧରେ ସବୁ ଦେଶରେ ଓ ସବୁ ସାହିତ୍ୟରେ କିଛି ନା କିଛି କିମ୍ବଦନ୍ତୀ ରହିଛି । ସଂସ୍କୃତ ସାହିତ୍ୟରେ ‘ଅର୍ଦ୍ଧତ୍ୟଜତି ପଣ୍ଡିତ’ ଗଳ୍ପଟି ଊଣାଅଧିକେ ସମସ୍ତଙ୍କୁ ଜଣା । ନଈ ରେ ବୁଡ଼ିଯାଇଥିବା ବନ୍ଧୁଙ୍କ ଚୁଟି ଧରି ଅଧେ ହାଣି, ତଳ ଅଧକ ନଈକୁ ଛାଡ଼ିଦେଇ ଉପର ଅଧକ ଉଦ୍ଧାର କରି ଆଣିବା ବିଷୟ ବିଶ୍ଵାସ ଯୋଗ୍ୟ ନ ହେଲେ ମଧ୍ୟ ଅତି ପଣ୍ଡିତଙ୍କ ସମ୍ବନ୍ଧରେ, ସବୁକାଳେ ଏହିପରି ପ୍ରବାଦ ପ୍ରଯୋଜ୍ୟ ହୋଇ ଆସିଛି-। ଖାଲି ଭାରତରେ କାହିଁକି, ଏପରି ଗଳ୍ପ ସବୁ ଆମେରିକା ମହାମନୀଷୀମାନଙ୍କ ନାମରେ ମଧ୍ୟ କୁହାଯାଏ । ଆଇନ୍‍ଷ୍ଟାଇନ୍‍ଙ୍କ ପରି ଜଣେ ବିଶିଷ୍ଟ ଓ ବିରାଟ ଅଙ୍କ ଶାସ୍ତ୍ରଜ୍ଞ କେଉଁଠି ତାଙ୍କ ମଟର-କାର ଚୋରି ଅଭିଯୋଗରେ ନିଜର ସହଧର୍ମିଣୀ ପୁଲିସ ହାତରେ ବନ୍ଧାଇ ଆଣିଥିଲେ । ତାଙ୍କ ସ୍ତ୍ରୀ କ’ଣ ବିଶେଷ ଦରକାରଥିବାରୁ ଗାଡ଼ିଟି ମାଗିନେଇ ବଜାର ସଉଦା କରିବାକୁ ଗଲେ । ସେ ଆଉ ଜଣେ ବନ୍ଧୁଙ୍କ ଗାଡ଼ିରେ ଅଫିସକୁ ଗଲେ । ଅଫିସ ସରିବା ପରେ ଅନ୍ୟମନସ୍କ ଭାବରେ ଅଫିସ ଗ୍ୟାରେଜ, ଯେଉଁଠି ସେ ସବୁଦିନ ଗାଡ଼ି ରଖନ୍ତି ସେଠାକୁ ଯାଇ ସେଠି ଗାଡ଼ିଟି ନ ଦେଖି ବିବ୍ରତ ହୋଇପଡ଼ି ଗାଡ଼ିଟି ଚୋରି ହୋଇଯାଇଥିବା ଅଭିଯୋଗ କରି ପୁଲିସରେ ଖବର ଦେଲେ । ଆଇନ୍‍ଷ୍ଟାଇନ୍‍ଙ୍କ ପରି ଲୋକମାନ୍ୟ ବ୍ୟକ୍ତିଙ୍କର ଗାଡ଼ି ଚୋରି, ସେଥିରେ ପୁଲିସଙ୍କ କର୍ମ ତତ୍ପରତା ବଢ଼ିଯିବାର କଥା, ତେଣୁ ପୁଲିସମାନେ ଜୋର୍‍ସୋର୍‍ରେ ଖୋଜିବାରେ ଲାଗି ପଡ଼ିଲେ । ସହରସାରା ଖୋଜାଲୋଡ଼ା ଚାଲିଲା । ଶେଷରେ ପୁଲିସ ସହର ମଝିରେ ଗୋଟିଏ ବଡ଼ ଦୋକାନ ପାଖରେ ଗାଡ଼ିଟି ଠାବ କରି ଗୋପନରେ ଜଗି ରହିଲେ । ଜଣେ ସ୍ତ୍ରୀଲୋକ ଗାଡ଼ି ପାଖକୁ ଆସି ଚାବି ଫିଟାଇବା ସଙ୍ଗେ ସଙ୍ଗେ ଧରାହୋଇ ଗାଡ଼ି ସହିତ ପୁଲିସ ଥାନାକୁ ଚାଲାଣ ହେଲେ ।

 

ଆମ ଓଡ଼ିଶାରେ ମଧ୍ୟ ଏପରି ବହୁତ କଥା ଶୁଣାଯାଏ । ଆମେ ଶୁଣିବାରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କର ପୁତ୍ର ଦର୍ଶନଶାସ୍ତ୍ର କୃତି ଅଧ୍ୟାପକ ମୋହିନୀ ମୋହନ ସେନାପତି ସବୁବେଳେ ବିଦ୍ୟା ଚର୍ଚ୍ଚାରେ ଚିନ୍ତାମଗ୍ନ ରହି ନିଜର ଘର ବିଷୟ କିଛି ବୁଝିପାରୁ ନଥିଲେ । ତାଙ୍କର ସହଧର୍ମିଣୀଙ୍କୁ ସବୁ କାର୍ଯ୍ୟ ତୁଲାଇବାକୁ ପଡ଼ୁଥିଲା ଓ ସେ ସମୟ ସମୟରେ ବ୍ୟସ୍ତ ହୋଇ ପଡ଼ୁଥିଲେ । ଦିନେ ତାଙ୍କୁ ତାଙ୍କ ସହଧର୍ମିଣୀ କହିଲେ “ତୁମେ ଘର କଥା ଆଦୌ ନ ବୁଝିଲେ ଘର କିପରି ଚଳିବ ? ପିଲାଙ୍କ ପାଠ କଥା, ଘରର ଆସବାବ କଥା କିଛିତ ବୁଝିଲନାହିଁ, ଏପରିକି, ଗାଈପାଇଁ ଗଣ୍ଡେ କୁଣ୍ଡାବି ନାହିଁ, ମୁଁ ମାଇପି ଲୋକ ମୋତେ କ’ଣ ଶେଷରେ ବଜାର ବଜାର ବୁଲି କୁଣ୍ଡାବି ସଂଗ୍ରହ କରିବାକୁ ପଡ଼ିବ” ? ସେ ଅଭିଯୋଗ ଅଧ୍ୟାପକ ମନୋନିବେଶ ପୂର୍ବକ ଶୁଣି ମୁଣ୍ଡ ଟୁଙ୍ଗାରିଲେ । ଆଉ ସବୁ କଥାରୁ କେବଳ କୁଣ୍ଡା କଥାଟି ତାଙ୍କ ମନରେ ଲାଗି ରହିଲା । ତା’ର ପରଦିନ ପହିଲା ତାରିଖ, ଦରମା ମିଳିଲା । ସେ ଦିନ ଦେଖାଗଲା, କଟକ ଷ୍ଟେସନ ପାଖ ମାଲଗୋଦାମ ଠାରୁ ସହର ମଝି ଧୂଆଁପତ୍ର ଗଳି ପର୍ଯ୍ୟନ୍ତ କୁଣ୍ଡା ଶଗଡ଼ର ଲାଇନ ଲାଗିଛି । ଅଧ୍ୟାପକ ମହାଶୟ ଛତାଟି କାଖରେ ଜାକି ପ୍ରଥମ ଗାଡ଼ିର କୁଣ୍ଡା ବସ୍ତା ଉପରେ ସହାସ୍ୟ ବଦନରେ ଚକା ପକାଇ ବସି ଆସୁଥିଲେ । ଦୁଆର ମୁହଁ ହେବାରୁ ଗାଡ଼ିରୁ ଓହ୍ଲାଇ ପଡ଼ି ଆନନ୍ଦରେ ଗଦଗଦ ହୋଇ କହିଲେ “ତୁମକୁ କୁଣ୍ଡାପାଇଁ ବଜାରକୁ ଯିବାକୁ ହେବନାହିଁ, ମୁଁ ଏ ମାସର ଦରମା ଟଙ୍କାରେ କୁଣ୍ଡା କିଣି ଆଣିଛି, ଆଉ ବହୁଦିନ ପର୍ଯ୍ୟନ୍ତ କୁଣ୍ଡାର କୌଣସି ଅସୁବିଧା ଭୋଗ କରିବାକୁ ପଡ଼ିବନାହିଁ” । ଏଥିରେ ଅଧ୍ୟାପକ ଗୃହିଣୀଙ୍କର ମନର ଅବସ୍ଥା କିପରି ହୋଇଥିବ ତାହା ସହଜରେ ଅନୁମେୟ ।

 

ଆଉଜଣେ ପଣ୍ଡିତଙ୍କର ‘ବ୍ୟବସାୟ ବୁଦ୍ଧି’ ବିଷୟ ଏଠାରେ କୁହାଯାଉଛି । ସେ ପଣ୍ଡିତ ପୁରୀ ପାଖ ଗୋଟିଏ ବ୍ରାହ୍ମଣ ଶାସନରେ ଉନବିଂଶ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିଲେ । ସେ ହେଉଛନ୍ତି ପଣ୍ଡିତ ଆନନ୍ଦ କିଶୋର ଶତପଥୀ କାବ୍ୟତୀର୍ଥ । ସେତେବେଳେ ଓଡ଼ିଶାରେ ଇଂରେଜୀ ପାଠର ବିଶେଷ ପ୍ରସାର ନଥିଲା । ଯାହା ଯେଉଁଠି ଥିଲା ଶାସନ ବ୍ରାହ୍ମଣ ପିଲାମାନେ ତା’ର ପାଖ ମାଡ଼ୁ ନଥିଲେ । ପଣ୍ଡିତ ହରିହର ଦାସଙ୍କ ଉଦ୍ୟମରେ ପୁରୀରେ ସଂସ୍କୃତ ବିଦ୍ୟାଳୟଟିଏ ବସିଥିଲା, କିନ୍ତୁ ପୁରୀ ଅପେକ୍ଷା ହିନ୍ଦୋଳ ଗଡ଼ରେ ଶତପଥୀଙ୍କର ବେଶି ସୁବିଧାଥିବାରୁ ସେ ସଂସ୍କୃତ ପାଠପଢ଼ିବା ଆଶାରେ ହିନ୍ଦୋଳ ଟୋଲରେ ନାମ ଲେଖାଇଥିଲେ । ସେ ସ୍ୱନାମଧନ୍ୟ କବିରାଜ ବୈଦ୍ୟରତ୍ନ ବାଲୁଙ୍କେଶ୍ଵର ଆଚାର୍ଯ୍ୟଙ୍କର ସହପାଠୀ ଥିଲେ । କବିରାଜ ଶେଷ ପର୍ଯ୍ୟନ୍ତ ତାଙ୍କୁ ଅତି ଆଦର ଓ ସ୍ନେହ କରୁଥିଲେ ଏବଂ ନିଜଠାରୁ ବେଶି ମେଧାବୀ ଛାତ୍ର ହିସାବରେ ତାଙ୍କୁ ଖାତିର ମଧ୍ୟ କରୁଥିଲେ ।

 

କବିରାଜେ ପାଠପଢ଼ିସାରି କଟକରେ କବିରାଜ ଦୋକାନଟିଏ କଲେ କିନ୍ତୁ କାବ୍ୟତୀର୍ଥେ ଗାଁକୁ ଗଲେ । ଗାଁରେ ଅର୍ଥ ଉପାର୍ଜନ ପନ୍ଥା ଆଡ଼କୁ ମନ ନ ଦେଇ କାବ୍ୟ ଶାସ୍ତ୍ର ବିନୋଦନରେ ପୁଣି ମତ ନିବେଶ କଲେ । ତାଙ୍କର ପୃଥିବୀର ସମସ୍ତ ପଦାର୍ଥଠାରୁ ଅଧ୍ୟୟନ ମୋହ ଅଧିକ ଥିଲା । କେତେବର୍ଷ କେବଳ ଅଧ୍ୟୟନ ରତ ରହି ସାଂସାରିକ ବ୍ୟବସ୍ଥା ପ୍ରତି ଉଦାସୀନ ରହିବାରୁ ଗୃହିଣୀଙ୍କ ପକ୍ଷରେ ଜମିବାଡ଼ିର ସ୍ୱଳ୍ପ ଆୟରୁ ଘର ଚଳାଇବା କଷ୍ଟକର ହୋଇ ପଡ଼ିଲା । ସ୍ୱଳ୍ପ ଆୟ ସାଙ୍ଗକୁ ପିଲାପିଲି ମଧ୍ୟ ବଢ଼ିଲେ ସେମାନଙ୍କ ଖର୍ଚ୍ଚ ମଧ୍ୟ ବଢ଼ିଲା । ତେଣୁ ସବୁଦିନେ ଘରେ ମୁହଁ ଫୁଲାଫୁଲି ଚାଲିଲା । ଗୃହିଣୀଙ୍କ ମାନସିକ ଓ ଶାରୀରିକ ଅବସ୍ଥା ଉପଲବ୍‍ଧି କରି ସେ ବାଧ୍ୟହୋଇ କିଛି ଧନ୍ଦା ଧରିବାକୁ ସ୍ଥିର କଲେ । ପଣ୍ଡିତ ଲୋକ, ବିଦ୍ୟାଚର୍ଚ୍ଚା ଛାଡ଼ିବା କଠିନ ବ୍ୟାପାର, ତେଣୁ ଏପରି କିଛି କରିବାକୁ ହେବ ଯହିଁରେ ବିଦ୍ୟାଚର୍ଚ୍ଚାବି ହେବ ରୋଜଗାରବି ହେବ । ଏଥିପାଇଁ ଏକମାତ୍ର ବାଟ ହେଉଛି ବିଦ୍ୟାଚର୍ଚ୍ଚାର ବ୍ୟବସ୍ଥା ତେଣୁ ଗାଁରେ ସଂସ୍କୃତ ଟୋଲଟିଏ ଖୋଲିଲେ । ବିଦ୍ୟାଚର୍ଚ୍ଚାରେ ବାଧା ନ ପଡ଼ି କେତେକ ଛାତ୍ରଙ୍କୁ ବିଦ୍ୟାଦାନ କରିବା ସଙ୍ଗେ ସଙ୍ଗେ ରୋଜଗାରବି କିଛି ହେବ । ଏହା ସ୍ଥିର କରି ବିଜ୍ଞାପନ ଦେଇ ଗାଁ ମଝିର ଚଉପାଠୀ ଉପରେ ଗୋଟିଏ ଟୋଲ୍ ଖୋଲି ବସି ରହିଲେ । ତାଙ୍କ ପିଲାଦିନ କଥା ଅଲଗା, କିନ୍ତୁ ଏ ଇଂରେଜୀ ପଢ଼ୁଆ ଯୁଗରେ ସଂସ୍କୃତ ଯେଉଁ ଆଦର, ସେଥିରେ ପୁରୀର ମଠମାନେ ମାଗଣା ରହିବା ଓ ଅଭଡ଼ା ଖାଇବାର ସୁବିଧା କରାଇଲେ ମଧ୍ୟ ସଂସ୍କୃତ ପଢ଼ିବାପାଇଁ ଛାତ୍ର ମିଳୁ ନାହାନ୍ତି । ବିଶେଷତଃ ଆଜିକାଲିର ଚାକିରି ଓ ଅର୍ଥକରି ବିଦ୍ୟାର ପ୍ରସାର ଯୁଗରେ କିଏ ସଂସ୍କୃତ ପଢ଼ିବ ? ତେଣୁ ପଣ୍ଡିତଙ୍କ ଟୋଲରେ ପଇସା ଦେଇ ପାଠପଢ଼ିବା ଭଳି ଛାତ୍ର ମିଳିବାକୁ ଯେ କି ଅସୁବିଧା ହେଲା ତାହା ସହଜେ ଅନୁମେୟ । ତଥାପି ପଣ୍ଡିତେ କେତେକ ଛାତ୍ର ସଂଗ୍ରହ କରିପାରିଲେ । ପଣ୍ଡିତଙ୍କ ଠାରୁ ପ୍ରତିଶ୍ରୁତି ପାଇ କେତେକ ଅଭିଭାବକ ତାଙ୍କର ବାଳୁଙ୍ଗା ପିଲାମାନଙ୍କୁ ଜବତ କରିବାକୁ ସ୍ଥିର କରି ଟୋଲରେ ନାମ ଲେଖାଇ ଦେଲେ । ତେଣୁ କେତେକ ବୟସ୍କ ବାଳକ ଯେଉଁମାନେ କି ଇଂରେଜୀ ସ୍କୁଲକୁ ଯିବା ବା କ୍ଲାସ ଉଠିବାରେ ସମ୍ପୂର୍ଣ୍ଣ ଅକୃତକାର୍ଯ୍ୟ ହୋଇଥିଲେ; ସେମାନଙ୍କୁ ଜବରଦସ୍ତି ପଢ଼ାଇବାର ବ୍ୟବସ୍ଥା କରାଗଲା । ଟୋଲରେ ପାଠ ଆରମ୍ଭ ହେଲା, ବେଳେବେଳେ ଅମରକୋଷ ବ୍ୟାକରଣର ଆବୃତ୍ତି ହେଉଥିବାର ଶବ୍ଦ ବହୁଦୂର ପର୍ଯ୍ୟନ୍ତ କର୍ଣ୍ଣଗୋଚର ହେଲା । ପିଲାମାନେ ମନଦେଇ ପାଠପଢ଼ୁଛନ୍ତି ବୋଲି ଅନ୍ୟମାନେ ମନେକଲେ ମଧ୍ୟ ସେମାନଙ୍କ ଚୁପ୍‍ସଇତାନି କାର୍ଯ୍ୟରେ ପଣ୍ଡିତେ ଦିନକୁ ଦିନ ଅସ୍ଥିର ହୋଇ ପଡ଼ିଲେ । ଏପରିକି ସେମାନଙ୍କ କାର୍ଯ୍ୟରେ ଲୁହାକଣ୍ଟା ଦର ଶସ୍ତା ନ ହୋଇଥିଲେ ମଧ୍ୟ ସେମାନେ ବଜାରରୁ ଆସି ପଣ୍ଡିତଙ୍କ ପଟିତଳେ ସିଧା ସିଧା ହୋଇ ଠିଆ ହୋଇଥିବାରୁ ପଣ୍ଡିତେ ଅତର୍କିତ ଭାବରେ ତହିଁ ଉପରେ ବସିପଡ଼ି ଚାରିଦିନ ପର୍ଯ୍ୟନ୍ତ ବାଧିକି ପଡ଼ିଲେ । ଏପରି ଛୋଟ କାଟର ବହୁ ଘଟଣା ଘଟିଯିବା ପରେ, ଦିନେ ପିଲାମାନେ ରାତିରୁ ଆସି ଟୋଲ ପାହାଚତଳେ ମୁଣ୍ଡେ ଉଞ୍ଚର ବିରାଟ ଗାତକରି ତା’ ଭିତରେ କଣ୍ଟା ଓ କିଆ ପ୍ରଭୃତି ଦେଇ ଉପରେ କଦଳୀ ପତ୍ର ପକାଇ ଏପରି ଭାବରେ ବାଲିରେ ଘୋଡ଼ାଇ ଦେଇଥିଲେ ଯେ, କେହି ସେଠି ଗାତଥିବାର ଭୁଲ୍‍ରେ ସୁଦ୍ଧା ସନ୍ଦେହ କରିବେନାହିଁ । ସକାଳେ ପଣ୍ଡିତେ ତରତରରେ ଏକମୁହାଁ ହୋଇ ଟୋଲ ଫିଟାଇବାକୁ ଟୋଲ ଘର ପାହାଚ ଆଡ଼କୁ ଗୋଡ଼ ବଢ଼ାଇଲାକ୍ଷଣି ଭୁଷ୍‍ଗାତ ଭିତରେ ପଡ଼ିଗଲେ । ଖଣ୍ଡିଆ ଦଣ୍ଡିଆ ହୋଇ ତା’ ଭିତରୁ ଉଠିବାକୁ ଚେଷ୍ଟା କଲାବେଳକୁ ଟୋଲର ଚାରିପଟୁ ତୀବ୍ର ଅଟ୍ଟହାସମାନ କେବଳ ତାଙ୍କର କର୍ଣ୍ଣଗୋଚର ହେଲା, କିନ୍ତୁ ଲୁଚିଥିବା ପିଲାମାନଙ୍କ ଭିତରୁ ଜଣକୁ ହେଲେ ସେ ଦେଖିପାରିଲେନାହିଁ । ସେଇଦିନ ଟୋଲର ଶେଷ ତାରିଖ ବୋଲି ଧରିନେଇ ପଣ୍ଡିତେ ବିଦ୍ୟାଦାନ ଉପାୟରେ ଅର୍ଥୋପାର୍ଜନ ପନ୍ଥାର ଆଶା ଚିରଦିନ ପାଇଁ ତ୍ୟାଗ କଲେ ।

 

ପଣ୍ଡିତଙ୍କର ଅତ୍ୟାଧିକ ଅର୍ଥ ଅନାଟନ ପଡ଼ିଲେ ସେ କବିରାଜ ବନ୍ଧୁଙ୍କ ଦ୍ଵାରସ୍ଥ ହୋଇ କିଛି ବିଦାକି ଘେନି ଫେରନ୍ତି । ଏଥର କବିରାଜ ବନ୍ଧୁ ପଣ୍ଡିତଙ୍କ ଦୁରବସ୍ଥା କଥା ଶୁଣି ବଡ଼ ଦୁଃଖିତ ହେଲେ । ଏଦେଶରେ ଗୁଣିଜନଙ୍କର ଆଦରନାହିଁ । କବିରାଜ ନିଜେ ବ୍ୟବସାୟାତ୍ମକ ପାଠ ପଢ଼ିଥିବାରୁ ନିଜ ବ୍ୟବସାୟ ଓ ଅଦ୍ଧବସାୟଦ୍ଵାରା ନିଜ ଗୁଣର ଆଦର କରାଇପାରିଲେ, କିନ୍ତୁ ପଣ୍ଡିତଙ୍କ ପାଠଦ୍ଵାରା ସେ ସୁବିଧା ହାସଲ କରି ହେବନାହିଁ । କବିରାଜେ ବହୁତ ଭାବି ଭାବି, ପଣ୍ଡିତଙ୍କୁ ଅନ୍ୟ କିଛି ଗୋଟିଏ ବ୍ୟବସାୟ କରିବାକୁ ପରାମର୍ଶ ଦେଲେ ଓ କିଛିଦିନ ପାଇଁ ନିଷ୍ଫଳା ବିଦ୍ୟାଚର୍ଚ୍ଚାରୁ ବିରତ ହେବାକୁ ଉପଦେଶ ଦେଲେ । ନିଜର ରୁଚି ଓ ସୁବିଧା ଅନୁସାରେ ବ୍ୟବସାୟ ଆରମ୍ଭ କରିବାକୁ ଦୁଇଶତ ଟଙ୍କା ମୂଳଧନ ଦେଇ ପଣ୍ଡିତଙ୍କୁ ବିଦାୟ ଦେଲେ ।

 

ପଣ୍ଡିତଙ୍କ ମନକୁ ସ୍ଵାଧୀନ ବ୍ୟବସାୟ କଥା ଖୁବ୍ ପାଇଲା ସେ କବିରାଜଙ୍କ ଉପରେ ଅତ୍ୟନ୍ତ ଖୁସି ହୋଇ ଭଗବାନଙ୍କ ଠାରେ ତାଙ୍କର ମଙ୍ଗଳ କାମନା କଲେ । ପଣ୍ଡିତେ ତର୍କଶାସ୍ତ୍ରରେ ଧୂରନ୍ଧର ତେଣୁ ବିଭିନ୍ନ ବ୍ୟବସାୟୀମାନଙ୍କ ସମ୍ବନ୍ଧରେ ମନେ ମନେ ତର୍କବିତର୍କ କରି କାର୍ଯ୍ୟପନ୍ଥା ସ୍ଥିର କରିବାକୁ ମନସ୍ଥ କଲେ । ସେ ଜାଣିଥିବା ବ୍ୟବସାୟୀମାନଙ୍କ ଭିତରେ ରାମିଓଝା ସବୁଠାରୁ ସରଳ ପ୍ରକୃତିର ଲୋକ । ସେ ଚାଉଳ ଡାଲି ଦୋକାନଟିଏ କଲେ । ସମସ୍ତେ ତାଙ୍କୁ ଟେକାଟେକି କରି କହି କାଳିବାସି କରି ସଉଦା ସବୁ ନେଇଗଲେ, କିନ୍ତୁ ପଇସା କଥା ତୁଣ୍ଡରେ ଧରିଲେନାହିଁ । ବିଚରା ଦେଉଣା ପାଉଣା ସୁଝାଇ ନ ପାରି ନିଲାମରେ ଜମିବାଡ଼ି ସବୁ ହରାଇଲେ ଶେଷରେ ସାହୁକାର ଭର୍ତ୍ସନା ସହି ନ ପାରି ପିଣ୍ଡାର ତଳକୁ ଖସି ପଡ଼ିଲେ । ପଡ଼ିଯିବାବେଳେ ଅଥାନ ଜାଗାରେ କାଠ ଖୁଣ୍ଟିଟା ଗେଞ୍ଜି ହୋଇ ଖଣ୍ଡିଆ ହୋଇଗଲା । ଶୁଣାଯାଏ । ଓଝେ ରକ୍ତ ପୋଛୁଥିଲାବେଳେ ଜଣେ ନୂଆଗୁଣିଆ ତା’ ମନ୍ତ୍ର ପରୀକ୍ଷା କରିବାକୁ କ୍ଷତ ସ୍ଥାନକୁ ଧୂଳି ଫୁଙ୍କି ଫାରକି ଦେଲା ।

 

ଆଉ ଯେତେ ଗୁଣିଆ ଲାଗିଲେ ଯେତେ ଫୁଙ୍କା ଫୁଙ୍କି କଲେ ଓ ଦିଅଁଙ୍କ ବାଲି ପକାଇଲେ ସେଥିରେ ସେ ଘାଆ ଭଲ ନ ହୋଇ ଆଉରି ବଢ଼ି ଚାଲିଲା । ସେଥିରେ ପୋକ ହୋଇ ଧୂର୍ଜଟି ଦାସଙ୍କ ନିର୍ଦ୍ଦେଶ ଅନୁସାରେ ମାଛିଆ ପାତକପାଇଁ ପ୍ରାୟଶ୍ଚିତ ମଧ୍ୟ କରିବାକୁ ପଡ଼ିଲା । ଯେ ଯେତେ ଚେଷ୍ଟା କଲେ ଯେତେ ଚଣ୍ଡି ପୂଜା କଲେ ମଧ୍ୟ ସେ ଆଉ ଆରୋଗ୍ୟ ହୋଇପାରିଲେନାହିଁ କି ତାଙ୍କ ଦୋକାନ ଆଉ ଫିଟିଲାନାହିଁ । ଆଉ ଜଣେ ହେଲେ ଶ୍ୟାମ ସାହୁ-। ସେ ମଧ୍ୟ ଜଣେ ନିରୀହ ଲୋକ କିନ୍ତୁ ବଡ଼ ପରିଶ୍ରମୀ ସେ ବି ଗୋଟିଏ ଛୋଟ ଦୋକାନ କରି ବେଶ୍ ଦୁଇ ପଇସା ଲାଭ କରି ଉନ୍ନତି ପଥରେ ଉଠି ଆସୁଥିଲେ, କିନ୍ତୁ ଏ ଅସହିଷ୍ଣୁ ଲୋକଙ୍କ ଠାରୁ କ’ଣ ନିସ୍ତାର ଅଛି । କିଏ ଜଣେ ଅବକାରୀ ବିଭାଗକୁ ବେନାମି ପକାଇ ଦେଲେ । ଦିନେ ହଠାତ୍‍ ଅବକାରୀ ପୁଲିସ ଆସି ତାଙ୍କ ଘର ଖାନତଲାସ କରି ତାଙ୍କ ଅଣ୍ଟା କରାଟରୁ ପଇସାକର ଅଫିମ ବାହାର କଲେ । ଅବକାରୀ ପିଅନ କେତେ ଇସାରା ଦେଲା କିନ୍ତୁ ସାହୁଏ ଅଣ୍ଟାଗୁଞ୍ଜା ଦିଆନିଆ କାରବାର ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞଥିବାରୁ ସେଥିରୁ କିଛି ବୁଝିପାରିଲେନାହିଁ । ତାଙ୍କ ନାମରେ ସରକାର ତରଫରୁ ମୋକଦମା ଚାଲିଲା । ସେ ମାଲିମୋକଦ୍ଦମା ସର୍ବସ୍ଵାନ୍ତ ହୋଇ ଶେଷକୁ ପାନପତ୍ର ମୁଣ୍ଡାଇ ବିକିଲେ । କପିଳ ଦାସଙ୍କ କଥା ତ ଛାଡ଼, ତାଙ୍କର କଲିକତି ବନ୍ଧୁ ମୂଳଧନ ଦେଇ ଦୋକାନ କରାଇଲେ ସେ ମଗ୍ନୋଲିଆ ସାବୁନ ଗୋଟା ବାରଅଣା କିଣି ତାକୁ ଚାରିଅଣାରେ ବିକି ପ୍ରାୟ ଚାରିଗୁଣ ଲାଭ ହେଉଛି ବୋଲି ଧରି ନେଇଥିଲେ । ଏଥିରେ ଅବଶ୍ୟ ତାଙ୍କର କିଛି ଦୋଷନାହିଁ, ଭୁଲ୍‍ଭଟକାରେ କାହାର ହାତ ଅଛି, କିଣା ହୋଇଥିବା ସ୍ଥାନରେ ତାଙ୍କ କଲମ ମୁନରୁ ଅଧିକା ଶୂନଟିଏ ଲାଗିଯାଇଥିବାରୁ ସେ ତାକୁ ୧୨୦ ବୋଲି ଧରିନେଇ ହିସାବ ପତ୍ର କରି ଲାଭ ଉଠାଉଥିଲେ ।

 

ଓଝାଙ୍କର ମୋହମତିଆ ବୁଦ୍ଧି, ସାହୁଙ୍କର ଅନଭିଜ୍ଞତା ଓ କପିଳ ଦାସଙ୍କର ମୂର୍ଖାମି ସେମାନଙ୍କୁ ଖାଇଲା । ପଣ୍ଡିତେ ଭାବିଲେ ସେତ ମଣିଷ ଚିହ୍ନିତ ତାଙ୍କରବି ବହୁତ ଅଭିଜ୍ଞତା ଅଛି । ପାଠଶାଠ ଓ ହିସାବପତ୍ରରେ ମଧ୍ୟ ସେ ଧୂରନ୍ଧର, ତେଣୁ ଅନ୍ୟମାନଙ୍କ ପରି ତାଙ୍କର ବ୍ୟବସାୟରେ ଅସୁବିଧା ହେବାର କୌଣସି କାରଣନାହିଁ । ତା’ପରେ ବ୍ୟବସାୟରେ ସବୁଠାରୁ ବଡ଼ ଅସୁବିଧା ହେଉଛି ଅନ୍ୟ ଉପରେ ନିର୍ଭର କରିବା । ସେତ ଏକୁଟିଆ ଲୋକ ତାଙ୍କର ନିର୍ଭର କରିବାକୁ ବା କିଏ ଅଛି ? ସେ ନିଜ ବ୍ୟବସାୟ ଟିକିନିଖି କରି ନିଜେ ବୁଝିବେ, ତେଣୁ ନାରଣ ବଣିଆ ପରି ପୁଅ ଉପରେ ନିର୍ଭର କରି ସର୍ବସ୍ଵାନ୍ତ ହେବାର ଆଶଙ୍କାନାହିଁ । ନାରଣ ଗୋଟିଏ ଫଳ ଦୋକାନ କରି ପୁଅ ଗୁନିଆକୁ ସେ ଦୋକାନରେ ବସାଇ ଦେଲେ । ସେଠି ବସାଇବା ପୂର୍ବରୁ ବ୍ୟବସାୟ ସମ୍ବନ୍ଧରେ କେତେକ ଉପଦେଶ ଦେଇ, କାହାକୁ କାଳିବାସି ନ ଦେବାକୁ ନିର୍ଦ୍ଦେଶ ଦେଲେ, ଏପରିକି ନିଜପାଇଁ ବା ଘରପାଇଁ କିଛି ସଉଦା ନେବାକୁ ହେଲେ ବାକି ନ ରଖି ପଇସା ଦେଇ ନେବାକୁ କହିଲେ । ସେ ପିତୃବାକ୍ୟ ମାନି ଦୋକାନ ଜଗି ରହିଲା, କାହାକୁ ପଇସାଟିକର ହେଲେ ଜିନିଷ ଧାର ଦିଏନାହିଁ । ସେ ପ୍ରତ୍ୟେକ ପଦାର୍ଥପାଇଁ ଅଲଗା ଗୋଟିଏ ଡିବା ରଖିଥାଏ । ସେ ଜିନିଷରୁ ଯାହା ବିକ୍ରି ହୁଏ ସେଇ ଡିବାରେ ପକାଏ । କେବେ ଆତ ଖାଇବାକୁ ଇଚ୍ଛା ହେଲେ କଦଳୀ ଡିବାରୁ ପଇସା ଆଣି ଆତପାଇଁ ଠିକ୍ ଦାମ ଆତ ଡିବାରେ ପକାଇ ଆତ ନେଇ ଖାଏ । କଦଳୀ ଖାଇବାକୁ ଇଚ୍ଛା ହେଲେ କାକୁଡ଼ି ଡିବାରୁ ପଇସା ଆଣି ଦାମ ଦେଇ କଦଳୀ ଖାଏ । କେବେ ସେ ପଇସା ନ ଦେଇ ଖାଏନାହିଁ । ଏଥିରେ ଦୋକାନର କ୍ଷତି ହେବ ବୋଲି ସେ କାହିଁକି ଭାବିବ । ହିସାବ ଲେଖୁଥିଲେ ଅବା ଲାଭକ୍ଷତି ଜାଣିପାରନ୍ତା । ସେ ଆଗେ ତା’ର ବୁଦ୍ଧି ଓ ପାଠକୁ ଚାହିଁ ହିସାବ ଲେଖୁଥିଲା । ଥରେ ସେ ମଦନ ମିଶ୍ରଙ୍କୁ ଦୁଇ ପଇସାର ବାଇଗଣ ବିକି ହିସାବ ଖାତାରେ ଲେଖିଥିଲା । ମୁଁ ବାଳତୀ ମଦଳଙ୍ଗ ଦୁଇସାପ ତା’ ହିସାବ ସେ ଠିକ୍ ବୁଝେ କିନ୍ତୁ ବାପ ବୁଝିପାରିଲାନାହିଁ ତ ସେଥିରେ ହେଲା ତା’ର ଦୋଷ ତାକୁ ହିସାବ ଲେଖିବା ମନା କରାଗଲା-

 

ପଣ୍ଡିତେ ବନ୍ଧୁଙ୍କ ଠାରୁ ପଇସା ଧରି ଏପରି ବହୁତ କଥା ଚିନ୍ତା କରିବା ପରେ ବ୍ୟବସାୟ କରିବାକୁ ଦୃଢ଼ ପ୍ରତିଜ୍ଞ ହେଲେ, କିନ୍ତୁ କେଉଁ ବ୍ୟବସାୟ ଲାଭ ଜନକ ହେବ ତାହା ସ୍ଥିର କରିପାରିଲେନାହିଁ । ଲୁଗା ବ୍ୟବସାୟରେ ଅବଶ୍ୟ ବେଶି ଲାଭ, କିନ୍ତୁ ଗାଁରେ ଯେଉଁ ମୂଷା ଉପଦ୍ରବ ସେଥିରେ ଲୁଗା ଦୋକାନ କରିବାପାଇଁ କାହାର ଛାତି ପତେଇବ । ଷ୍ଟେସନାରୀ ଦୋକାନ କଲେ ସହରରେ ଲାଭ ହୁଅନ୍ତା କିନ୍ତୁ ସହରରେ ଭଲ ଦୋକାନ ଘରଟିଏ ଶସ୍ତାରେ ମିଳିବା ଅସମ୍ଭବ । ଗାଁରେ ଦୋକାନ କଲେ କେତେଜଣ ସେ ସବୁ କିଣିବେ । ଫଳ ପରିବା ଦୋକାନରେ ସଙ୍ଗେ ସଙ୍ଗେ ବିକ୍ରି ନ ହେଲେ ସେ ସବୁ ପୋଚିଆ ହୋଇଯାଇ ମୂଳଧନ ବୁଡ଼ିଯିବ । କାଗଜ । କାଗଜ, କଲମ, କାଳି ଓ ପଢ଼ା ବହିର ଦୋକାନ କଲେ ହୁଅନ୍ତା କିନ୍ତୁ ଆଜିକାଲିର ସ୍କୁଲମାଷ୍ଟରମାନେ ନିଜେ ସେ ସବୁ ପିଲାଙ୍କୁ ଯୋଗାଇ ଦୁଇ ପଇସା କଲେଣି, ତାଙ୍କ ଜିନିଷ କିଣିବ କିଏ ? ଏପରି ନାନାକଥା ବିଚାରି ଦୋ, ଦୋ, ପାଞ୍ଚ ହୋଇ ଶେଷରେ ଗ୍ରାମ ଅଭିମୁଖେ ଯାତ୍ରା କଲେ ।

 

ରେଳ ଷ୍ଟେସନରୁ ବାହାରି ଘର ଆଡ଼େ ଚାଲିଥିଲାବେଳେ ବାଟରେ ଧର୍ମ୍ମୁ ଦାସ ପାନ ଦୋକାନ ପଡ଼ିଲା । ଧର୍ମ୍ମୁ ଦାସ ଗୁଣ୍ଡି ଖୁବ୍ ବିଖ୍ୟାତ । ଚାଟଶାଳୀର ଗୁରୁଜୀମାନେ ପାଠ ପଢ଼ାଉଥିଲାବେଳେ ପାଟି ଖାରି, ଖାରି ଲାଗିଲେ ବଡ଼ ଚାଟକୁ ଡାକି, ୨ମାଇଲ ଦୂର ଧର୍ମ୍ମୁ ଦାସ ଦୋକାନକୁ ଗୁଣ୍ଡି ଆଣିବାକୁ ପଠାଇ ଦିଅନ୍ତି । ଟିପେ ଗୁଣ୍ଡି ପକାଇ ଦେଲେ ପାଟି ଖାରିତ ମରିଯିବ ସଙ୍ଗେ ସଙ୍ଗେ ପୋଖରୀ ତଲବ ଦବ । ସଫା ପୋଖରୀଟେ ହୋଇ ଅନ୍ତନାଳୀ ଏକାବେଳକେ ତମ୍ବାତାର ପରି ନିର୍ମଳ ହୋଇଯିବ । ପଣ୍ଡିତେ ଧର୍ମ୍ମୁ ଦାସ ଦୋକାନରେ ଅଟକି ଯାଇ ଟିପେ ଗୁଣ୍ଡି ଆଣି ଲେଡ଼ି ଉପରେ ରଖି ପରୀକ୍ଷା କଲେ । ତା’ପରେ ମନକୁ ପୂରା ପାଇଗଲା ପରି ମୁଣ୍ଡ ହଲାଇଲେ । ସେ ଭାବିଲେ ଗୁଣ୍ଡି ବ୍ୟବସାୟ ସବୁଠାରୁ ଭଲ, ଗୁଣ୍ଡିରେ ବା କି ଖର୍ଚ୍ଚ ? ଅଳ୍ପ ମୂଳଧନ ଖର୍ଚ୍ଚ କଲେ ବହୁତ ଲାଭ ଉଠିବ । ଗୁଣ୍ଡି ତିଆରି କରିବାରେ ବା କ’ଣ କଷ୍ଟ ଅଛି । ? ଧୂଆଁପତ୍ର ଆଣି ଶୁଖାଇ ଭାଜିଦବ । ହେମଦସ୍ତାରେ ମସଲା ମସଲି ସଙ୍ଗେ କୁଟି ଦବ । ତା’ପରେ ଟିକିଏ ଚୁଆ ମିଶାଇ ପୁଡ଼ିଆ ବାନ୍ଧି ଦେଲେ ହେଲା । ଆଜିକାଲି ତ ଚାରିଆଡ଼େ ପାନ ଦୋକାନ କିଏ ଗୁଣ୍ଡି ପାନ ନ ଖାଉଛି, ଠକାଠକି ନ କରି ଭଲଭାଗ ମାପ ଦେଇ ଉତ୍କୃଷ୍ଟ ଗୁଣ୍ଡି ତିଆରି କଲେ ନିଶ୍ଚୟ ଖୁବ୍ ଚଳିବ । ଗୁଣ୍ଡିବି ପଚିସଢ଼ି ଯିବାର ପଦାର୍ଥ ନୁହ । ବର୍ଷ ବର୍ଷ ଧରି ହଜାର ହଜାର ମାଇଲ ବୁଲିଲେ ତା’ର କିଛି ହେବନି । ବରହମପୁରର ପାଣ୍ଡିଆ ସୁବୁଦ୍ଧି ଗୁଣ୍ଡି ମାନ୍ଦ୍ରାଜ କଲିକତା କାହିଁକି ରେଙ୍ଗୁନଠାରୁ, ଲଣ୍ଡନ ପର୍ଯ୍ୟନ୍ତ ମଧ୍ୟ ଯାଇ ବିକ୍ରି ହେଉଚି, ସେଥିରେ ଧୋଇ ନାହିଁକି ମରୁଡ଼ିନାହିଁ ତା’ର ମହତ ବଢ଼ୁଛିସିନା କମୁନାହିଁ ।

 

ଯାହାହେଉ ବ୍ୟବସାୟର ଗୋଟେ କିନାରା ମିଳିଗଲା । ଗୁଣ୍ଡି ବ୍ୟବସାୟ କରିବାକୁ ସ୍ଥିର କରି ପଣ୍ଡିତେ ଗାଁରେ ପହଞ୍ଚିଲେ । ବ୍ୟବସାୟ ପାଇଁ ପ୍ରଚାର ଓ ବିଜ୍ଞାପନ ପ୍ରଧାନ, ତେଣୁ ପରଦିନ ପୁରୀ ଯାଇ ଗୁଣ୍ଡିର ସମସ୍ତ ସରଞ୍ଜାମ କିଣିବା ସଙ୍ଗେ ସଙ୍ଗେ, ବିଖ୍ୟାତ ‘ଆନନ୍ଦ ଗୁଣ୍ଡି’ ବୋଲି ଗୁଡ଼ିଏ ଲେବଲ ଛପାଇ ପକାଇଲେ ଓ ଗୁଣ୍ଡିର ପ୍ରଶସ୍ତି ବର୍ଣ୍ଣନା କରି ବିଜ୍ଞାପନ ମଧ୍ୟ ଛପାଗଲା । ନିଜ ଚାଳ ଘରର ଗୋଟିଏ ରୁମର ତଳଟି ଓ ସାମନା ବାରଣ୍ଡାଟି ସିମେଟ କରାଗଲା-। ହେମଦସ୍ତା ଭଜାଭଜି ଆଟିକା ଉଠାଚୁଲି ପ୍ରଭୃତି ଯୋଗାଡ଼ ହେଲା । ଏ ସବୁ ଯୋଗାଡ଼ ଦେଖି ବେଶି ମୂଲ ମିଳିବା ଆଶାରେ ଧର୍ମ୍ମୁ ଦାସର ଗୁଣ୍ଡି ତିଆରି କରୁଥିବା ମୂଲିଆଟିଏ ଆସି ଆପେ ଆପେ କାର୍ଯ୍ୟରେ ମୁତୟନ ହେଲା । ପଣ୍ଡିତେ ପ୍ରଥମେ ତାକୁ ରଖିବାକୁ କୁନ୍ଥୁ କୁନ୍ଥୁ ହେଉଥିଲେ ମଧ୍ୟ, ତା’ର ପ୍ରଶଂସା ଅନ୍ୟମାନଙ୍କଠାରୁ ଶୁଣି ତାକୁ ରଖିଲେ । ଚୁଆ ରନ୍ଧା ସରିଲା, ମସଲା କୁଟା ଶେଷ ହେଲା । ଗୁଣ୍ଡିପତ୍ରଗୁଡ଼ିକ ଶୁଖାଇ ଭାଜି ଗୁଣ୍ଡ କରାଗଲା । ଗୁଣ୍ଡି ତିଆରି ଲୋକ ତା’ର ଭାଗମାପରେ ପତ୍ରଗୁଣ୍ଡା ଚୁଆ ଓ ମସଲା ମିଶାଇଲା । ଏ ସବୁ ମିଶିଲା ପରେ କିଛି ମସଲା ଓ ବହୁତ ଚୁଆ ବଳି ପଡ଼ିଲା । ପଣ୍ଡିତେ ଏହା ଦେଖି ତାଙ୍କ ମୁଣ୍ଡ ବିଗିଡ଼ିଗଲା । ସେ ପୁରୀର ବଡ଼ ଦୋକାନୀକୁ ପଚାରି ଠିକ୍ ଭାଗମାପରେ ପତ୍ର ମସଲା ଓ ଚୁଆର ସାମଗ୍ରୀ ଆଣିଥିଲେ । ସେଥିରେ ଏ ସବୁ ବଳିବ କିପରି ? ତାଙ୍କ ମନରେ ସନ୍ଦେହ ହେଲା ବୋଧହୁଏ ଗୁଣ୍ଡି କରୁଥିବା ଲୋକଟି ଧର୍ମ୍ମୁ ଦାସର ଗୁପ୍ତଚର ସେ ପଣ୍ଡିତଙ୍କୁ ବଦନାମ କରିବାକୁ ଅଳ୍ପ ମସଲା ଚୁଆ ଦେଇ ନିକୃଷ୍ଟ ଗୁଣ୍ଡି ତିଆରି କରିଛି । ଯାହା ଫଳରେ ତାଙ୍କ ଗୁଣ୍ଡିର ବଦନାମ ହେବ ଓ ଧର୍ମ୍ମୁ ଦାସ ଗୁଣ୍ଡିହିଁ ବଜାରରେ ଚଳିବ । ଏହିପରି ଭାବି ସେ ହଠାତ୍ ଯାଇ ବଳି ପଡ଼ିଥିବା ମସଲା ଓ ଚୁଆତକ ଗୁଣ୍ଡିରେ ଢାଳି ମିଶାଇ ଦେଲେ ।

 

ଗୁଣ୍ଡି ତିଆରି ସରିବା ପରେ ଖଲିପତ୍ରରେ ପୁଟୁଳା କରି ଦାମ ସହିତ ଲେବୁଲ୍ ସବୁ ମରାଗଲା । ବାକି ରହିଲା ପ୍ରଚାର, ସେଥିପାଇଁ ମଧ୍ୟ ବ୍ୟବସ୍ଥା ହେଲା, ଦୁଇ ଚାରିଟି ପିଲାଙ୍କୁ ପାଗ ପଟୁକା ପିନ୍ଧାଇ ପ୍ରଚାର ପତ୍ର ଓ ଟିଣର ଗୋଟିଏ ଲେଖାଏଁ କାହାଳି (ଚୁଙ୍ଗା) ଦେଇ ପ୍ରଚାରପାଇଁ ବଜାରକୁ ଓ ବିଭିନ୍ନ ଗ୍ରାମକୁ ପଠାଗଲା ।

 

ପ୍ରଚାର ପରେ ଆଗ୍ରହ ସହକାରେ କେତେକ ଲୋକ ସେ ଗୁଣ୍ଡି କିଣି ନେଲେ କିନ୍ତୁ ପରେ ଜଣ ଜଣ କରି ସମସ୍ତେ ଆସି ଗୁଣ୍ଡି ପୁଡ଼ାମାନ ଫେରାଇ ପଇସା ନେଇ ଯିବାକୁ ଜିଦ୍ ଧରିଲେ । ପଣ୍ଡିତେ ବିବ୍ରତ ହୋଇ ପଡ଼ିଲେ । ଗୁଣ୍ଡି ଘରେ, ଜମା ହୋଇ ରହିଲା । ଧର୍ମ୍ମୁ ଦାସର ବିରୁଦ୍ଧ ପ୍ରଚାର ଯୋଗୁଁ ଏପରି କାଣ୍ଡ ଘଟୁଛି ବୋଲି ସେ ଧରି ନେଲେ । ଧର୍ମ୍ମୁ ଦାସକୁ ପାନେ ଦେବାପାଇଁ ତା’ ବିରୁଦ୍ଧରେ କବିରାଜଙ୍କ ସାହାଯ୍ୟରେ ଓକିଲ ପରାମର୍ଶରେ ମୋକଦ୍ଦମା ରୁଜୁ କରିବାପାଇଁ କିଛି ଗୁଣ୍ଡିପୁଡ଼ା ଧରି କଟକ ରମାନା ହେଲେ କବିରାଜେ, ଧର୍ମ୍ମୁ ଦାସ ବିରୁଦ୍ଧରେ ପଣ୍ଡିତଙ୍କର ସମସ୍ତ ଅଭିଯୋଗ ଓ ବକ୍ତୃତା ଶୁଣିସାରିବା ପରେ ସେହି ଗୁଣ୍ଡିପୁଡ଼ାରୁ ଗୋଟିଏ ଫିଟାଇ ସେଥିରୁ ଟିକିଏ ପାଟିରେ ପକାଇ ଦେଲେ ତାହା ତାଙ୍କର ଜିହ୍ଵାସ୍ପର୍ଶ କରିବାମାତ୍ରେ ସମସ୍ତ ଖାଦ୍ୟ ପଦାର୍ଥ ଦ୍ରୁତ ଗତିରେ ପେଟରୁ ଆସି ତାଙ୍କ ସାମନାରେ ଜମା ହୋଇଗଲେ । ଚୁଆର ତିକ୍ତତା ଓ ଧୂଆଁ ପତ୍ରର ତୀବ୍ରତା ସହ୍ୟ କରି ନ ପାରି ସେ ପ୍ରଥମେ ଅସ୍ଥିର ହୋଇ ପଡ଼ିଲେ । ଦୁଇଗ୍ଲାସ ପାଣି କୁଳୁକୁଳୁ କଲାପରେ ଓ ଆଖିରେ ମୁହଁରେ ପାଣି ଛଟା ହେବାପରେ ସେ ପ୍ରକୃତିସ୍ଥ ହୋଇ ଗୁମ୍ କରି ବସି ରହିଲେ । ତା’ପରେ ଅବଶ୍ୟ ପଣ୍ଡିତେ ସବୁ ବୁଝିଗଲେ ଆଉ ୫ ଟଙ୍କା ବିଦାକି ଧରି ଗାଁକୁ ବାହୁଡ଼ିଲେ ।

Image

 

ଅଦ୍ଭୁତ ବାବା

ପ୍ରାରମ୍ଭିକ

 

୧୯୫୦ କି ୫୧ ହେବ, ସମ୍ବାଦପତ୍ରରେ ଅନେକ ପଢ଼ିଥିବେ, କେତେଜଣ ବାବାଜି ଓ ମାତା ଉଲଗ୍ନ ଅବସ୍ଥାରେ ଖଣ୍ଡଗିରି ଗୁମ୍ଫାରେ ତପସ୍ୟା କରୁଥିଲାବେଳେ, ଅସଜୌନ୍ୟ ପରିସ୍ଥିତି ସୃଷ୍ଟିର ଆଶଙ୍କାରେ ପୁଲିସଦ୍ଵାରା ଧରା ହୋଇ ହାତକୁ ହାତ ଦଉଡ଼ିରେ ଗଇଁଠା ହୋଇ ଖୋର୍ଦ୍ଧା କଚେରିକୁ ଚାଲାଣ ହୋଇଥିଲେ । ଏଇ ଦଳର ନେତା ବା ବିଶିଷ୍ଟ ସାଧକ ଥିଲେ ଅବଧୂତ ବାଳକୃଷ୍ଣ ବାବା, ପରେ, ଗୌରୀକ ବସ୍ତ୍ର ପରିହିତ, ଜଟାଜୂଟିଧାରୀ ସିନ୍ଦୂରିତ କପାଳ ଏହି ବାବାଙ୍କୁ କେହି କେହି ନାନାସ୍ଥାନରେ ଦେଖିଥିବେ । ତାଙ୍କର ବାହୁରେ ଲୁହାର ବଳୟ, ହାତରେ ବିରାଟ ବାଉଁଶ ଠେଙ୍ଗା, ଦାଢ଼ିରୁ ଓହଳିଥିବା ଜଟ ଓ ବଡ଼ ବଡ଼ ଆଖି ଦେଖି ବହୁତ ପିଲା ଡରରେ ମା ପାଖକୁ ଦଉଡ଼ି ପଳାଇବାର ମଧ୍ୟ ଆମକୁ ଜଣାଅଛି । ସେ ଗୋଟିଏ ସ୍ଥାନରେ ବେଶି ଦିନ ସ୍ଥିର ହୋଇ ରହିପାରୁ ନଥିଲେ । ଏପରିକି ବେଳେ ବେଳେ ଏହାଙ୍କ ଖବର ଓଡ଼ିଶାର ସୁଦୂର ସ୍ଥାନମାନଙ୍କରୁ କାହିଁକି, ବଙ୍ଗଳା, ବିହାର, ଆସାମ, ଆନ୍ଧ୍ର ନାନାସ୍ଥାନରୁ ଆସି ଆମ ପାଖରେ ପହଞ୍ଚୁଥିଲା ।

 

ତାଙ୍କ ପ୍ରତି ବାବାଜି ବ୍ୟବସାୟଟି ବିଶେଷ ଲାଭଜନକ ଥିଲେ ମଧ୍ୟ, ସେ ବ୍ୟବସାୟରେ ଥିବା ବିପଦ ପ୍ରତି ଖୁବ୍ ସଚେତନ ଥିଲେ । ବାବାଜିଙ୍କୁ ସାଧାରଣ ଲୋକେ ଯଥେଷ୍ଟ ଆଦର ସମ୍ବର୍ଦ୍ଧନା କଲେ ମଧ୍ୟ ପୁଲିସମାନଙ୍କର ସେମାନଙ୍କ ପ୍ରତି କୋପ ଦୃଷ୍ଟି ରହିଛି । ବଡ଼ ବଡ଼ ଚୋର ଡକାୟତ ଖୁଣି ଆସାମୀ, କଳା ବଜାରିଆ ପ୍ରଭୃତି,-ଭିକାରି ଓ ବାବାଜିଙ୍କ ଭିତରେ ଲୁଚି ରହିଥିବାର ସନ୍ଦେହ ସବୁବେଳେ ପୁଲିସ ମନରେ ଥାଏ । ଟିକିଏ ସୁବିଧା ପାଇଲେ ଏହି ନିରୀହ ଅସଂସାରୀ ଜୀବଗୁଡ଼ିକଙ୍କ ଉପରେ ସେମାନେ ଅତ୍ୟାଚାର ଆରମ୍ଭ କରି ଦିଅନ୍ତି । ପୁରୀର ରଥ ଯାତ୍ରାବେଳେ କେଉଁ ନାଗା ବାବାଜି କ’ଣ କଲେ, କିନ୍ତୁ କେତେ ସାଧୁ ସନ୍ନ୍ୟାସୀ ଗୋଠ ବାଡ଼ିଆ ଖାଇଲେ । କାଳିଆ ବୋଦାର ବାବାଜିମାନଙ୍କ ଉପରେ ପୁଲିସର ଆକ୍ରମଣ କଥା ତ କାହାକୁ ଅଛପାନାହିଁ । ଏହିସବୁ ଦୃଷ୍ଟିରୁ ବାଳକୃଷ୍ଣ ପରି ଜଣେ ସ୍ଵାଧୀନ ମନା, ଚତୁର ଲୋକ ଅନ୍ତତ ସେ ବାବାଜି ନୁହଁନ୍ତି ବୋଲି ଦରକାରବେଳେ ପ୍ରମାଣ ଦେବାପାଇଁ ଗୋଟିଏ ସ୍ଥାନ ବାଛି ରହିଥିବା କିଛି ଆଶ୍ଚର୍ଯ୍ୟ ନୁହେଁ । ତେଣୁ ଗୌରୀକ ବସନ ପରିଧାନ କରୁଥିଲେ ମଧ୍ୟ ସେ ବାବାଜି ନ ହୋଇ କେବଳ ଜଣେ ସଂସ୍କାରକ ବୋଲି ଗ୍ରାମବାସୀଙ୍କ ଆଗରେ ପରିଚୟ ଦେଉଥିଲେ । ବାବାଜି ସ୍ଵଭାବ ଜନିତ ବିଲମ ଓ ଅନ୍ୟାନ୍ୟ ନିଶାପାନ ବିଷୟ ଗ୍ରାମବାସୀଙ୍କୁ ଜଣାଇବା ପାଇଁ କୁଣ୍ଠା ବୋଧ କରୁଥିଲେ । ଥରେ ଶୁଣାଗଲା ପୁରୁଣା ଭୁବନେଶ୍ଵର ସହରରେ ଜଣେ ବିଶିଷ୍ଟ ଯୋଗୀ, ଦୁନିଆର କଲ୍ୟାଣପାଇଁ ବିରାଟ ଏକ ଯଜ୍ଞ କରୁଛନ୍ତି । ଶହ ଶହ ଲୋକ ବାବାଙ୍କର ଆଶୀର୍ବାଦ ପାଇଁ ଓ ଯଜ୍ଞ ଦେଖିବାକୁ ସେଠାକୁ ଧାଇଁଛନ୍ତି । ସେହି ସମୟରେ ତାଙ୍କ ଗ୍ରାମବାସୀ ଜଣେ ଓକିଲ ସେହି ଗ୍ରାମର ଗୋଟିଏ ବନ୍ଧୁ ଘରକୁ ଯାଇଥିଲେ । ବନ୍ଧୁଙ୍କଠାରୁ ଯଜ୍ଞର ସମ୍ବାଦପାଇଁ ଯଜ୍ଞ ସ୍ଥାନରେ ଉପସ୍ଥିତ ହେଲେ । ତାକୁ ଦେଖି ସାଧକ ସମ୍ପୂର୍ଣ୍ଣ ଅପ୍ରତିଭ ହୋଇ ପଡ଼ିଲେ । ତାଙ୍କର ଡାହାଣ ହାତରେ ଚିଲମ ନଳୀଟି ଆପେ ଆପେ ବାଁ ହାତକୁ ଯାଇ ପିଠି ପଛରେ ଲୁଚିଗଲା । ଅବଶ୍ୟ ସେତେବେଳେକୁ ତାଙ୍କର ଆଖି ଦୁଇଟି ଜବା ଫୁଲର ରଙ୍ଗ ଧାରଣ କରି ମୁଣ୍ଡର ସିନ୍ଦୂର ଟୋପା ସଙ୍ଗେ ଯୋଡ଼ି ଦେଇ ସାରିଥିଲା । ଆଉଥରେ ଏହି ଯୋଗୀ ମହାରାଜ ବଲାଙ୍ଗିରର ପାଟନା ସହରର ଉପକଣ୍ଠରେ କେତେକ ବାବାଜି ମେଳରେ ଚିଲମ ପାନର ରତ ଥିବାର ଅନ୍ୟ ଜଣେ ଗ୍ରାମବାସୀ ଦେଖି ପକାଇଥିଲେ । ସେ ଯାହାହେଉ ତାଙ୍କ ନିଶା ପାନ ଗ୍ରାମବାସୀଙ୍କ ଠାରୁ ଲୁଚାଇ ରଖିବାକୁ ସେ ପ୍ରାଣପଣେ ଚେଷ୍ଟା କରୁଥିଲେ ।

 

ଆବିର୍ଭାବ

 

ପ୍ରଥମ ବିଶ୍ଵଯୁଦ୍ଧବେଳେ ବାଳକୃଷ୍ଣଙ୍କର ଆବିର୍ଭାବ ହୋଇଥିଲା ସତ୍ୟବାଦୀ ନିକଟ ଗୋଟିଏ ବଡ଼ଗାଁରେ । ସେତେବେଳେ ସତ୍ୟବାଦୀ ଆଖପାଖ ଗାଁଗୁଡ଼ିକ ପଞ୍ଚସଖାଙ୍କ ପ୍ରଭାବ ସମ୍ପୂର୍ଣ୍ଣ ପ୍ରଭାବିତ । ଶିକ୍ଷା, ସଂସ୍କାର, ସମାଜ ସେବା ଓ ଦେଶ ସେବାର ସୁଅ ସେଠାରେ ଜୋର୍‍ସୋର୍‍ରେ ଛୁଟି ଚାଲିଥିଲା । ଦିନାକେତେ ଶିକ୍ଷାରେ ସତ୍ୟବାଦୀ ଓଡ଼ିଶାରେ ସର୍ବୋଚ୍ଚ ସ୍ଥାନ ଅଧିକାର କଲା, ତା’ପରେ ଗାନ୍ଧିଙ୍କ ‘ସ୍ଵାଧୀନତା ଆନ୍ଦୋଳନ’ ଯଜ୍ଞରେ ଆହୁତି ଦେଇ ଶିକ୍ଷାର ଶ୍ମଶାନ ଉପରେ ରାଜନୀତିର ଦୁର୍ଗ ଗଢ଼ି ଉଠିଲା । ବାଳକୃଷ୍ଣ ଯେତେବେଳେ ୭, ୮ ବର୍ଷ ସେତେବେଳକୁ ସତ୍ୟବାଦୀ ସ୍କୁଲଟିକୁ ଜାତୀୟସ୍କୁଲ ବା ଆଶ୍ରମ ସ୍କୁଲରେ ପରିଣତ କରାଯାଇଛି । ପୂର୍ବତନ ମାଷ୍ଟ୍ର ଓ ପିଲାମାନେ କିଏ ଜେଲ୍‍ରେ କିଏ ବା ଜେଲ୍‍ରୁ ଫେରି ଖଦଡ଼ କରିଆ ପିନ୍ଧି ଝୁଲାମୁଣି ଧରି ବୁଲୁଛନ୍ତି-

 

ଆଶ୍ରମ ପାଠ

 

ଅନ୍ୟ କେତୋଟି ପିଲାଙ୍କ ସଙ୍ଗେ ବାଳକୃଷ୍ଣ ବୋଡିଂରେ ଆସି ଥାଆନ୍ତି ସାଧାରଣ ପାଠପଢ଼ା ସଙ୍ଗେ ସୂତାକଟା ଦେଶାତ୍ମବୋଧ ଶିକ୍ଷା ପ୍ରଭୃତି ଦିଆଯାଉଥାଏ । ମାଟିଘର ହାତରେ ଲିପି ମୁଣ୍ଡରେ ଇଟା ଦେଇ ଖଜୁରି ପଟିରେ ଶୋଇବାକୁ ହୁଏ । ହାତରେ ସବୁ କାମ କରାଯାଏ । ସକାଳୁ ଲିଙ୍ଗାଗୁଡ଼ିଆ ମୁଢ଼ି ଆଣିଲେ, ସମସ୍ତଙ୍କୁ ଆଶ୍ରମରୁ ପଇସାଟିକର ମୁଢ଼ି ଉଖୁଡ଼ା ମିଳେ । ପଇସାକୁ ଅବଶ୍ୟ ସେତେବେଳେ ଅଣ୍ଟିଏ ମୁଢ଼ି । ଗୋପବନ୍ଧୁବି ପିଲାଙ୍କ ସଙ୍ଗେ ଅଣ୍ଟି ଦେଖେଇ ଦେଇ ମୁଢ଼ି ପୁଞ୍ଜାକ ଆଣି ପାଟିରେ ପକାନ୍ତି । ଲିଙ୍ଗା ମୁଢ଼ି ସଙ୍ଗେ ଅବଶ୍ୟ ବୁଟ ସିଝା ବୁଟପୁଆ ଓ ପ୍ରସିଦ୍ଧ ଚୁଡ଼ା କଦମ୍ବା ( ଗୁଡ଼ ପାଗିଆ ଗରମ ଚୁଡ଼ା ଘଷା ) ଆଣିଥାଏ । ଯିଏ ମୁଢ଼ି ନ ଖାଆନ୍ତି ତା’ ବଦଳରେ ତାଙ୍କୁ ସେଥିରୁ ଯାହା ଦରକାର ପଇସାକର ଦେଇ ଦିଏ । ପଇସାକର ଚୁଡ଼ା କଦମ୍ବା ବା କେତେ ହେବ ତାହା ପିଲାମାନଙ୍କ ମନକୁ ପାଏନାହିଁ । ପଇସାତ ପାଖରେ ନ ଥାଏ ସେମାନେ ଖାଲି ଡହଳବିକଳ ହୁଅନ୍ତି । ମୁଠି ଭିକ୍ଷା ଚାନ୍ଦାରେ ଚଳିବା କଥା ବେଶି ପଇସାର ଆଶାନାହିଁ । ସେତେବେଳେ ତ ଆଜିକାଲିର ଛତୁ ଫୁଟିଲା ପରି ସ୍କୁଲ କଲେଜ ନ ଥାଏ । ସ୍କୁଲ କଲେଜ ବହୁତ ଦୂର ତେଣୁ ପାଖଆଖର ଗରିବଗୁରୁବା ବାଧ୍ୟ ହୋଇ ସେ ସ୍କୁଲକୁ ପିଲା ପଠାଇବାକୁ ରାଜି ହୋଇ ଥାଆନ୍ତି । ଆଉ କେତେକ ଦେଶପ୍ରାଣ ଲୋକ ସେମାନଙ୍କ ପିଲାଙ୍କୁ ଆଶ୍ରମ ସ୍କୁଲକୁ ପଠାଇ ଦେଇ ଦେଶ କାର୍ଯ୍ୟରେ ଲାଗି ଥାଆନ୍ତି । ଏହିପରି ଯୋଗାଡ଼ ହୋଇ କେତେକ ପିଲା ଆଶ୍ରମ ସ୍କୁଲରେ ପଢ଼ୁ ଥାଆନ୍ତି ।

 

ମହାତ୍ମା ଗାନ୍ଧିଙ୍କଠାରୁ ସ୍ୱରାଜ ପ୍ରାପ୍ତି

 

ସେ ଆଶ୍ରମରେ ୧୯୨୧ ରୁ ୨୬ ଭିତରେ ଭାରତର ବହୁ ବଡ଼ ବଡ଼ ନେତା ଓ ମହାପୁରୁଷଙ୍କ ପାଦ ପଡ଼ିଛି । ମହାତ୍ମା ଗାନ୍ଧି ଥରେ ଦୁଇଥର ଆସି ଗୋପବନ୍ଧୁଙ୍କ ସଙ୍ଗେ ରହିଯାଇଛନ୍ତି । ସେତେବେଳେ ଦେଶବାସୀ ଉତ୍ସାହ ଦେଇ ଅସହଯୋଗ ଆନ୍ଦୋଳନକୁ ତୀବ୍ରତର କରିବାପାଇଁ ଗୋଟିଏ ତାରିଖ ଦେଇ, ସମସ୍ତେ ଜୋର୍‍ସୋର୍‍ରେ ଲାଗି ପଡ଼ିଲେ । ସେଇ ତାରିଖ ଭିତରେ ନିଶ୍ଚୟ ସ୍ୱରାଜ ମିଳିବ ବୋଲି ଗାନ୍ଧି ପ୍ରଚାର କରୁଥିଲେ । ମହାତ୍ମାଗାନ୍ଧି ଥରେ ସେଇପରି ସ୍ୱରାଜ ମିଳିବାର ଗୋଟିଏ କଣ୍ଟ ତାରିଖ ଦେଇଥାନ୍ତି । ସେହି ଦିନ ଭିତରେ ସ୍ୱାଧୀନତା ନିଶ୍ଚୟ ମିଳିବ ବୋଲି ଅନେକ ଭାବୁ ଥାଆନ୍ତି । ଏହି ସମୟରେ ଗାନ୍ଧି ଆସି ସତ୍ୟବାଦୀ ଆଶ୍ରମରେ ପହଞ୍ଚିଲେ । ଅରଟଟିଏ ଧରି ସେ ସୂତା କାଟୁଛନ୍ତି ପାଖରେ ଗୋପବନ୍ଧୁ ପ୍ରଭୃତି ବସିଛନ୍ତି, ହଠାତ୍‍ ବାଳକୃଷ୍ଣ ଦଉଡ଼ି ଆସି ଗାନ୍ଧିଙ୍କ ପାଖରେ ପହଞ୍ଚିଲେ । ଗାନ୍ଧିଙ୍କୁ ମୁଣ୍ଡିଆ ମାରି ପଚାରିଲେ ‘ସତ କହନ୍ତୁ କେଉଁଦିନ ସ୍ୱରାଜ ମିଳିବ ।’ ଗାନ୍ଧି ଆଶ୍ଚର୍ଯ୍ୟ ହୋଇ ପିଲାଟିକୁ ଏମୁଣ୍ଡୁସେମୁଣ୍ଡୁ ଚାହିଁଲେ ଓ ଓଲଟି ପ୍ରଶ୍ନକଲେ “ବାପା ସ୍ୱାଧୀନତାରୁ ତୁମେ କ’ଣ ବୁଝୁଚ ସ୍ୱରାଜ ହେଲେ କ’ଣ ସବୁ ହେବ ବୋଲି ତୁମେ ଭାବୁଚ ?” ସେ ସଙ୍ଗେ ସଙ୍ଗେ ଉତ୍ତର ଦେଲେ ସବୁ ଶସ୍ତା ହୋଇଯିବ, ଚୁଡ଼ାକଦମ୍ବା ସେର ପଇସେ ହେବ । ଚୁଡ଼ା କଦମ୍ବା କି ଜିନିଷ ତାହା ଗୋପବନ୍ଧୁଙ୍କଠାରୁ ବୁଝିବାକ୍ଷଣି ଗାନ୍ଧି ହସି ପକାଇଲେ ଓ ଟଙ୍କାଟିଏ ମଗାଇ ତାଙ୍କ ହାତରେ ଦେଇ କହିଲେ । ଯାଅ ଚୁଡ଼ାକଦମ୍ବା ଖାଅ ତୁମର ସ୍ୱରାଜ ହୋଇଗଲା ।”

 

କଳା-ଶିକ୍ଷା

 

ଆଶ୍ରମ ସ୍କୁଲ ଭାଙ୍ଗିଗଲା, କିଏ କୁଆଡ଼େ ଗଲେ । ବାଳକୃଷ୍ଣ ଆସି ସ୍ୱାଧୀନ ଭାବରେ ଗାଁରେ ବୁଲଚାଲ କଲେ । ‘ମା’ ନଥିଲେ । ଯାତ୍ରୀ ପତ୍ର ଧରି ବାପା ମେଦିନ ପୁରକୁ ଗାଁ, ଏପରି ଦୁଇ ଆଡ଼କୁ ଯିବାଆସିବା କରୁଥିଲେ । ମେଦିନୀପୁରରେ ଯଜମାନି ଥିବାରୁ ଭାଇମାନେ ସେସବୁ ବୁଝାବୁଝି କରି ସେଇଆଡ଼େ ବସବାସ କରି ରହୁଥିଲେ । ସେମାନଙ୍କୁ ଗାଁରେ କେହି ଦେଖିବାର ମଧ୍ୟ କାହାର ମନେନାହିଁ । ବାଳକୃଷ୍ଣ ଗାଁରେ ସମସ୍ତଙ୍କର ପ୍ରିୟ । କେହି ମୁରବି ନଥିବାରୁ ତାଙ୍କର ମନ-ଲତିକା ସ୍ୱାଧୀନ ଭାବରେ ଡଙ୍କ ମେଲାଇ ଯୁଆଡ଼େ ଇଚ୍ଛା ସିଆଡ଼େ ମାଡ଼ି ଯାଉଥିଲା । ଗାଁର ସବୁ ଯାନି-ଯାତ୍ରାରେ ସେ ଆଗୁଆ ହୋଇ ବାହାରି ପଡ଼ୁଥିଲେ । ଦୋଳ ଯାତ୍ରାର ଶ୍ରୀକୃଷ୍ଣ ବେଶଟି ତାଙ୍କ କଳା ଶରୀରକୁ ବେଶ୍ ମାନୁଥିଲା । ପ୍ରଥମେ କବିଚନ୍ଦ୍ର ‘କାଳିବାବୁ’ ରାସ ଦଳଟିଏ ଗଢ଼ିଥିଲେ-। ସେ ଦଳଟି ସତ୍ୟବାଦୀ ଆସିବାବେଳେ ବାଳକୃଷ୍ଣ ସେଠାରେ ପହଞ୍ଚି ସେ ଦଳରେ ସାମିଲ ହୋଇଗଲେ, ରାସଦଳ ସତ୍ୟବାଦୀ ଛାଡ଼ି ଅନ୍ୟ ସ୍ଥାନକୁ ଗଲାବେଳେ ସେ ସେହି ଦଳ ସଙ୍ଗେ ଯାତ୍ରା କଲେ । କିନ୍ତୁ ତାଙ୍କର ସ୍ୱାଧୀନ ଓଦାଖିଆ ମନକୁ କାଢ଼ିବାକୁ ବେଶିଦିନ ବାନ୍ଧି ପାରିଲେନାହିଁ । କେତେଦିନ ପରେ ବବ୍‍କଟା କେଶ ରଖି ବଂଇଶୀଟିଏ ଧରି ତାଙ୍କର ପ୍ରିୟ ସ୍ଥାନକୁ ୱାପସ ଆସିଲେ-। କିଛିଦିନ ବଡ଼ ପୋଖରୀ ଗାଈଜଗା ପିଲାଙ୍କ ଗହଣରେ ବଂଶୀ ବାଦନ କରି ସୁରୁଖୁରୁରେ ସମୟ କଟାଇଲେ ।

 

ଦେଶସେବା

 

ଅସହଯୋଗ ଆନ୍ଦୋଳନ ପୁଣି ଚେଇଁ ଉଠିଲା । ୧୯୩୦ ଲୁଣମରା ଆନ୍ଦୋଳନରେ ‘ମହାତ୍ମା ଗାନ୍ଧିଙ୍କ ଜୟ’ ଭାରତମାତାଙ୍କ ଜୟ’ ଶବ୍ଦରେ ଗାଁ ଦାଣ୍ଡ ଉଛୁଳି ଉଠିଲା । ପ୍ରଚାରକ ଅନନ୍ତ ମିଶ୍ରଙ୍କପରି ନିଃସ୍ୱାର୍ଥ ଦେଶପ୍ରେମୀଙ୍କ ଆହ୍ୱାନରେ ସେ ଗ୍ରାମର ଅଧିକାଂଶ ଯୁବକ ଅସହଯୋଗ ଯଜ୍ଞରେ ଝାସ ଦେଲେ । ବାଳକୃଷ୍ଣ ସେଇ ସ୍ରୋତରେ ଭାସି ଆସି କଂଗ୍ରେସ ଆଶ୍ରମରେ ପହଞ୍ଚିଲେ-। କାକଟପୁରଠାରେ ଲୁଣମରା ଚାଲିଲା । ପୁଲିସର ନିର୍ମମ ଅତ୍ୟାଚାରରେ ତ୍ୟାଗବୀର ମୁରାରୀ ତ୍ରିପାଠୀଙ୍କ ଦାନ୍ତ ଭାଙ୍ଗିଲା, କାହାର ମୁଣ୍ଡ ଫାଟିଲା ସେଥିପ୍ରତି ଭ୍ରୂକ୍ଷେପ ନକରି ବାନର ସେନା ଆଗେଇ ଚାଲିଲେ । ଜେଲ୍‍ ସବୁ ପୂରିଗଲା ପ୍ରଚାରକ ଅନନ୍ତ ମଧ୍ୟ କାରାବରଣ କଲେ । ଓଡ଼ିଶାର ତୁଙ୍ଗନେତା ପଣ୍ଡିତ ନୀଳକଣ୍ଠଙ୍କୁ ହାଜତ ଘରେ ଶୀତ ରାତିରେ ଜ୍ୱର ଦେହରେ ଫୁଙ୍ଗୁଳା ରଖି, ଅଚେତା କରି ପକାଇ ଦେଇଥିବା ଖବର ମଧ୍ୟ ମିଳିଲା । ଏସବୁ ପୂର୍ବରୁ ବାଳକୃଷ୍ଣ ଜେଲ୍ ଯିବାରୁ ପ୍ରସ୍ତୁତ ଥିଲେ କିନ୍ତୁ ଏ ମାଡ଼, ଦାନ୍ତଭଙ୍ଗା ପ୍ରଭୃତିରେ ସେ ବିଶେଷ ଉତ୍ସାହିତ ନହୋଇ ଘରକୁ ଫେରିଲେ । ଜେଲ୍ ନଯାଇ ସେ କାହିଁକି ଫେରିଲେ ବୋଲି କେହି କେହି ପଚାରିବାରୁ, ସେ ସ୍ୱେଚ୍ଛାସେବକ ସଂଗ୍ରହପାଇଁ ଆସିଛନ୍ତି ବୋଲି କହିଲେ” । ଗାଁରୁ ତ ସମସ୍ତେ ସୁସ୍ଥଲୋକ ଜେଲ୍ ଯାଇସାରିଥିଲେ, କେବଳ କେତୋଟି ଛୋଟା କେମ୍ପା ରହିଯାଇଥିଲେ, ଉଦ୍‍ବୋଧନ ଦେଇ ସେଥିରୁ କାହାକୁ ସ୍ୱାଧୀନତା ସଂଗ୍ରାମକୁ ପଠାଇବେ ପ୍ରଥମେ ଠିକ୍‍ କରିପାରିଲେନାହିଁ । ଶେଷରେ ବହୁ କଷ୍ଟରେ ସେ ଦୁଇଜଣଙ୍କୁ ଠିକ୍‍ କଲେ, ଜଣେ ଅର୍ଦ୍ଧ ପାଗଳ ଆଣ୍ଠୁଗଣ୍ଠି ବାତ ଧରିଥିବାରୁ ସେ ବାଡ଼ିର ଆଶ୍ରା ଧରି ଚାଲନ୍ତି । ଅନ୍ୟ ଜଣକ ପ୍ରାୟ ଅକର୍ମଣ୍ୟ । ଦୁଇଟିଯାକ ଗୋଡ଼ ଓ ଦୁଇଟିଯାକ ହାତ ଗୋଦଡ଼ା, ବିରାଟ ପାଦ ଦୁଇଟି ଅତି କଷ୍ଟରେ ଟେକି ସେ ବାଟ ଚାଲନ୍ତି । ବାଳକୃଷ୍ଣ ସେ ଦୁହିଁଙ୍କୁ ବୁଝାଇ କହିଲେ । “ତୁମେ ଦୁଇଟା ଓଲୁ ହଇରେ ଗାଁରେ କାହିଁକି ପଡ଼ି ରହିଚ ? ଏ ମଉକା ଛାଡ଼ିଲେ କ’ଣ ଆଉ ମିଳିବ । ଚାଲ ପୁରୀରେ ଅଫିମ ଦୋକାନ ଆଗରେ ପିକେଟିଙ୍ଗ କରି ଜେଲ୍ ଯିବ । ଥରେ ଜେଲ୍‍ରେ ପଶିଲେ ଆଉ ଚିନ୍ତାନାହିଁ । ଭଲ ଖାଦ୍ୟ ମିଳିବ, ଡାକ୍ତର ଚିକିତ୍ସା ମିଳିବ । ତୁମେ ପୂରା ଆରୋଗ୍ୟ ହୋଇଯିବ । ସେ ସେଦୁହିଁଙ୍କୁ ଧରି ପୁରୀ ଗଲେ, ତାଙ୍କ ବେକରେ କନିଅର ମାଳୁଟିଏ ଲେଖାଏଁ ପକାଇ ଦେଇ ଅଫିମ ଦୋକାନ ପାଖେ ଛାଡ଼ି ସେଠାରୁ ଅନ୍ୟତ୍ର ବିଜେ କଲେ । ସେ ଦୁହେଁ ଅଫିମ ଦୋକାନ ପାଖେ ଠିଆ ହୋଇଥିବା ଦେଖି ତାଙ୍କୁ ପୁଲିସ ସେଠାରୁ ଘଉଡ଼ାଇଲା କିନ୍ତୁ ସେଠାରୁ ନଯାଇ ପିକେଟିଙ୍ଗ କରି ଜେଲ୍‍ ଯିବାକୁ ସେମାନେ ଜିଦ୍ ଧରିଲେ । ପୁଲିସ ପ୍ରଥମରୁ କିଛି ବୁଝିପାରିଲେନାହିଁ, ପରେ ସେମାନଙ୍କୁ ଦୁଇଟା ବୋକା ବୋଲି ଜାଣି ଚାଲ ଜେଲ୍ ଯିବ କହି ଦୁଇଟା ସାଇକଲ ପଛରେ ବସାଇ ସମୁଦ୍ରକୂଳ ବଳିଆ ପଣ୍ଡା ବାଲିରେ ଛାଡ଼ି ଦେଇ ଆସିଲେ । ସେ ଜେଲ୍‍ରେ ଡାକ୍ତର ତ ଦୂରର କଥା ବାଲି ଛଡ଼ା ଆଉ କିଛି ନଦେଖି ଦୁହେଁ ଛୋଟେଇ ଛୋଟେଇ ବହୁ କଷ୍ଟ ଭୋଗୀ ଅନେକ ଦିନ ପରେ ବାଟଯାକ ବାଳକୃଷ୍ଣଙ୍କର ଚଉଦ ପୁରୁଷ ଶ୍ରାଦ୍ଧ କରି କରି ଗାଁରେ ପହଞ୍ଚି ପୁଣି ରୋଗଶଯ୍ୟାରେ ପଡ଼ିଲେ ।

 

ଓଡ଼ିଆ ପ୍ରଚାର

 

ଅନନ୍ତ ମିଶ୍ର ଯେତେବେଳେ ଜେଲ୍‍ରୁ ଫେରି ଦେଶ ମିଶ୍ରଣ ଆନ୍ଦୋଳନ ଚଳାଇବା ପାଇଁ ବିଚ୍ଛିନ୍ନ ଅଞ୍ଚଳ, ସିଂହଭୂମିର ଚାଇଁବସାରେ ସମ୍ମିଳନୀ ପ୍ରେସ ବସାଇ ପ୍ରଚାର କାର୍ଯ୍ୟ ଚଳାଇବାକୁ ସ୍ଥିର କଲେ । ତାଙ୍କର କର୍ମୀର ଅଭାବ ପଡ଼ିଲା । ସେ ଗାଁରୁ ବାଳକୃଷ୍ଣକୁ ପୁଣି ସାଙ୍ଗରେ ଘେନିଗଲେ-। ପ୍ରେସ କାମ, ପିଅନ କାମ, ପ୍ରଚାର କାମ ସବୁ କାମକୁ ବାଳକୃଷ୍ଣ ଆଗଭର ହୋଇ ବାହାରି ପଡ଼ୁଥିଲେ । ଚାଇଁବସାରେ ସେତେବେଳେ ଗୋରା ସାହେବମାନେ ଲାଖ ବ୍ୟବସାୟ କରୁଥାଆନ୍ତି-। ସେମାନଙ୍କର ପ୍ରତିପତ୍ତି ଓ କ୍ଷମତା ବହୁତ ବେଶି । ଗୋରା ମାଜିଷ୍ଟେଟ୍‍ ଗୋରା ପୁଲିସ ସାହେବ ପ୍ରଭୃତିଙ୍କ ସଙ୍ଗେ ଏମାନେ ଏକା କ୍ଲବ୍‍ର ସଭ୍ୟ । ସେତେବେଳେ ନିୟମ ଅନୁସାରେ ଗୋରାଙ୍କ କ୍ଲବ୍‍ରେ ଦେଶୀ ଲୋକମାନେ ସଭ୍ୟ ହୋଇପାରିବେନାହିଁ । ଗୋରାମାନେ ଯେ କୌଣସି ଅନ୍ୟାୟ କଲେ ଦେଶୀ କଚେରିରେ ଦେଶୀ ବିଚାରକଙ୍କଦ୍ୱାରା ବିଚାର ହେବା ମନା । ସେଠାରେ ଜଣେ ଲାଖ ବ୍ୟବସାୟୀ ସାହେବ ମିଶ୍ରଙ୍କ ପ୍ରେସରେ କେତେକ ଚେକ୍ ବହି ଛପା ହେବାପାଇଁ ଅର୍ଡ଼ର ଦେଇଥିଲେ । ଛପା ସରିବା ପରେ ବାଳକୃଷ୍ଣ ସେ ବହିତକ ଓ ବିଲ୍‍ଟି ଘେନି ସାହେବଙ୍କ ପାଖରେ ପହଞ୍ଚିଲେ । ବିଲ୍‍ଟି ଟିକିଏ ବେଶି ହୋଇଥିବାର ଦେଖି ବିଲ୍‍ଟି ଧରି ପଢ଼ିବାକ୍ଷଣି ସାହେବ ଟିକିଏ ନାସିକା କୁଞ୍ଚନ କଲେ ବାଳକୃଷ୍ଣଙ୍କର ତ ଲଗାପଘା ନାଇଁ, କାଳପାତ୍ରର ବିଚାର ମଧ୍ୟ ନାଇଁ ତାଙ୍କ କଥାରେ ବା କେଉଁ ବାଗ ବାଇଶ ଅଛି ? ସାଇବଙ୍କ ନାସିକା କୁଞ୍ଚନ ଦେଖି ତାଙ୍କ ପାଟିରୁ ବାହାରି ପଡ଼ିଲା ସାହେବ, ଦେଏଗା ତୋ ଦେଏଗା, ନେଇଁ ଦେଗା ତୋ ନେଇଁ ଦେଗା, ନୋଜୁ କାହିଁକୁ ଏସା କରତା ହେ । ତାଙ୍କ ହିନ୍ଦୀ ଯେତେ ଅଶୁଦ୍ଧ ହେଲେ ମଧ୍ୟ ପାଖ ରୁମରେ ଥିବା ମେମସାହେବଙ୍କୁ ତାହା ବୁଝିବାକୁ ବେଶି କଷ୍ଟ ହେଲାନାହିଁ । ସେ ଘର ଭିତରୁ ବାଘୁଣୀ ପରି ଗର୍ଜି ଉଠିଲେ । ତାଙ୍କ ଗର୍ଜନ ଶୁଣି ବାଳକୃଷ୍ଣ ଏକାନିଃଶ୍ୱାସକେ ଦେ ଦଉଡ଼, କିନ୍ତୁ ସେଥିରେ ବା ନିସ୍ତାର କାହିଁ ? ମେମଙ୍କ କଠୋର ଆଦେଶ ମାନି ସାହେବ ସଙ୍ଗେ ସଙ୍ଗେ ରିଭଲଭର ଓ କୁକୁର ଧରି ବାଳକୃଷ୍ଣକୁ ଧରି ଶାସ୍ତି ଦେବାକୁ ତାଙ୍କ ପଛେ ପଛେ ଗୋଡ଼ାଇଲେ । ବାଳକୃଷ୍ଣ ବାଟ ଅବାଟ ନମାନି ପ୍ରାଣ ବିକଳରେ ଧାଇଁବାକୁ ଲାଗିଲେ । ନ ଦଉଡ଼ିବେ ବା କିପରି, ସେତେବେଳେ ଦେଶୀ ଲୋକଙ୍କର ତ ମାଆ ବାପା କେହିନାହିଁ, ସାହେବ ହାତରେ ପ୍ରାଣ ହରାଇବା ତ ଗୋଟିଏ ମାମୁଲି କଥା । ସାଇବ ରାଗି ପାଚି ବାଟ ଅବାଟ ନମାନି ନାକସିଧା ଦଉଡ଼ି ଥାଆନ୍ତି ବାଳକୃଷ୍ଣ ଓ ତାଙ୍କ ଭିତରେ ବ୍ୟବଧାନ ସିଧାରେ ଖୁବ୍‍ କମ୍‍ ହୋଇ ଆସିଲା, କିନ୍ତୁ ଦୁର୍ଭାଗ୍ୟକୁ ହେଉ ବା ସୁଭାଗ୍ୟକୁ ହେଉ ସିଧାବାଟ ମଝିରେ ଲୋକେ ମାଟିନେଇ ବେକେ ଗହୀରର ଗାତଟିଏ କରିଥିଲେ, ସେଥିରେ ନାନାଆବର୍ଜନା ପୂର୍ଣ୍ଣ ହୋଇ ସେଉଟି ପୂରା ଦିଶୁଥିଲା ଓ ତା’ ଉପରେ ଶୁଖିଲା ପତ୍ରଗୁଡ଼ିଏ ଉଡ଼ିଆସି ଜମା ହେବାଦ୍ୱାରା ଗାତଟି ଆଦୌ ଜଣାପଡ଼ୁ ନଥିଲା । ସାହେବ ହାତର ବନ୍ଧୁକରେ ଲକ୍ଷ୍ୟ ଠିକ୍‍ କରି ଉପର ମୁହାଁ ହୋଇ ଚାଲୁ ଚାଲୁ ଦଉଡ଼ୁ ଦଉଡ଼ୁ ଲକ୍ଷ୍ୟ ନ କରି ସେ ଗାତ ଭିତରେ ଗଳି ପଡ଼ିଲେ । ହାତର ବନ୍ଧୁକଟା ମଧ୍ୟ ଚାପି ହୋଇଯାଇ ଉପର ମୁହାଁ ହୋଇ ଫୁଟିଗଲା । ସାହେବ ପଙ୍କ ଗୋବରରେ ଛଟପଟ ହେଲାବେଳକୁ ବନ୍ଧୁକ ଆବାଜ ଶୁଣି ପ୍ରଭୁ ଭକ୍ତ କୁକୁର ଦିଇଟା ଆଉ ନ ଆଗେଇ ଲେଉଟି ଆସି ସାହେବ ନିକଟରେ ଏପଟସେପଟ ହେବାକୁ ଲାଗିଲେ । ଏଇ ସୁବିଧାରେ ବାଳକୃଷ୍ଣ ଦଉଡ଼ି ଯାଇ ଗୋଟିଏ କଣ୍ଟା ବାଉଁଶ ବୁଦା ଭିତରେ ଆଶ୍ରୟ ନେଲେ । ଗହଳ ଚହଳ କମି ଆସିବାରୁ ମୁହଁ ସନ୍ଧ୍ୟାବେଳେ, ବଡ଼ ସନ୍ତର୍ପଣରେ ଚାରିଆଡ଼କୁ ଲକ୍ଷ୍ୟ ରଖି ଧୀରେ ଧୀରେ ବାହାରି, ନିଜର କ୍ଷତବିକ୍ଷତ ପୈତୃକ ପ୍ରାଣଟିକୁ ଧରି ମିଶ୍ରଙ୍କ ପାଖରେ ପହଞ୍ଚିଲେ । ମିଶ୍ରେ ଘଟଣାର ଗୁରୁତ୍ୱ ଉପଲବ୍‍ଧି କରି ଭବିଷ୍ୟତ ବିପଦରୁ ଉଦ୍ଧାର ପାଇବା ଆଶାରେ, ଆଉ ବାଳକୃଷ୍ଣଙ୍କର ସେବାର ଆଶା ନରଖି ରାତାରାତି ଗ୍ରାମ ଉଦ୍ଦେଶ୍ୟରେ ରେଳ ଗାଡ଼ିରେ ଚଢ଼ାଇ ଦେଲେ ।

 

ବ୍ୟବସାୟ

 

ବାଳକୃଷ୍ଣଙ୍କର ସାହେବ ଉପରେ ବଡ଼ ରାଗ । ସେ ମନେ ମନେ ଭାବିଲେ ଇଂରେଜ ଜାତି ବ୍ୟବସାୟ କରି ଧନୀ ହୋଇଥିବାରୁ ସେମାନଙ୍କର ଏତେ ଗର୍ବ । ହଉ ଯାହା ହେବାର ହେଲାଣି, ବାଣିଜ୍ୟେ ବସତି ଲକ୍ଷ୍ମୀ । ତାଙ୍କ ହାତରେ କ’ଣ ବ୍ୟବସାୟ ହେବନି ? ସେ ମଧ୍ୟ ବ୍ୟବସାୟ କରି ଧନୀ ହେବେ, ସାହେବ ପରି ଦୁଇଟା ନୌକର ରଖି ରଖିପାରିବେ । ମନଥିଲେ ଉପାୟ ଆପେ ଆପେ ଦେଖାଦିଏ । ସେ ଜଣେ ମଧ୍ୟବିତ୍ତ ପରିବାରର ଚଗଲା ପିଲାଟିକୁ ଶିଖାଇ ବ୍ୟବସାୟରେ ଭାଗୀଦାର କଲେ । ସେ ଧାର ସ୍ୱରୂପରେ ମା ଠାରୁ ଲୁଚାଇ କିଛି ଟଙ୍କା ଆଣିଲା, ବାଳକୃଷ୍ଣ ଚାଇଁବସାରୁ ବିଦାକି ପାଇଥିବା ଟଙ୍କା ସେଥିରେ ମିଶାଇ ସତ୍ୟବାଦୀ ବଜାର ଉପରେ ଗୋଟିଏ ଜଳଖିଆ ଦୋକାନ ଆରମ୍ଭ କଲେ । ରନ୍ଧା ବଢ଼ାରେ ବିଶେଷତଃ ରୁଟି ପରଟା ତିଆରିରେ ସେ ପାରଙ୍ଗମ । ଚନ୍ଦନ ଯାତ୍ରା ସମୟ ଦିନରାତି ଲୋକ ସମାଗମ, ଚନ୍ଦନ ପୋଖରୀ ଉପରେ ଦୋକାନ ରୁଟି ପରଟା, ଆଳୁଦମ, ଡାଲମା ଜୋର୍‍ସୋର୍‍ରେ ତିଆରି ଚାଲିଲା । କାଟତି ବଢ଼ିବା ସଙ୍ଗେ ସଙ୍ଗେ ଗୋଟିଏ ଦୁଇଟି ଚାକର ମଧ୍ୟ ରଖାଗଲା । ଅଳ୍ପ କେଇଟା ଦିନ ଭିତରେ ଦୋକାନଟି ଜୋର୍‍ରେ ପ୍ରସିଦ୍ଧି ଲାଭ କଲା । ବଜାରର ସଉଦା ଦୋକାନୀମାନେ ଧାରଉଧାର ଦେବାକୁ ମଧ୍ୟ ପଶ୍ଚାତ୍ପଦ ହେଲେନାହିଁ, ତେଣୁ ଦୋକାନପାଇଁ ବହୁତ କାଳିବାସି ଅଣାଗଲା । ବିକ୍ରି ପଇସାକୁ ଲାଭବୋଲି ମନେକରି ରାତିରେ ଦୋକାନ ବନ୍ଦ ହେଲାବେଳକୁ ଯାହା ରୁଟି ପରଟା ବଳିଥାଏ ତା’ ସାଙ୍ଗରେ ବଜାରରୁ ଅଣାଯାଇଥିବା ରସଗୋଲା, ମାଂସ ତରକାରୀ ପ୍ରଭୃତି ମିଶାଇ ଦୁଇଜଣଯାକ ପ୍ରାୟ ସବୁ ଶେଷ କରି ଦିଅନ୍ତି, ସେଥିରେ ଚାକରମାନେ ମଧ୍ୟ ଅଳ୍ପ ବହୁତେ ଯୋଗଦାନ କରନ୍ତି । ଯାତ୍ରା ସରିବାରୁ ପୂର୍ବ ହିସାବ ଅନୁସାରେ ରୁଟି ପରଟା ତିଆରି କଲେ ମଧ୍ୟ ଦୋକାନ ବନ୍ଦବେଳକୁ ଦିନକୁ ଦିନ ବେଶି ବେଶି ବଳି ପଡ଼ିବାର ଦେଖାଗଲା । ସେମାନେ ସମସ୍ତେ ପେଟେ ପେଟେ ଖାଇଲେ ମଧ୍ୟ ବଳକା ସବୁ ୟାକୁ, ତାକୁ ଯାଚିକରି ଦେବାକୁ ପଡ଼ିଲା । ପଇସା ନପାଇ ଚାକର ଦୁଇଟି ବାହାରି ଗଲେ । ଘର ଭଡ଼ାବାଲା ଭଡ଼ା ନପାଇ ବ୍ୟସ୍ତ କଲା । ସଉଦା ଦୋକାନୀମାନେ ଧମକ ଚମକ ଦେଖାଇଲେ । ଆର ଯାତ୍ରା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କେହି ରାଜିହେଲେନାହିଁ । ବଜାରରେ ଆଉ ଦୋକାନ କରି ବସି ରହିବା ଅସମ୍ଭବ ହୋଇ ପଡ଼ିଲା । ବେଡ଼ି ଉପରକୁ କୋରଡ଼ା ପରି ସାଥି ଭାଗୀଦାର ମଧ୍ୟ ତା’ର ବାପ, ମାଙ୍କ ତାଗିଦ ସହି ନପାରି ମୂଳଧନ ଫେରାଇ ଦେବାକୁ ଜିଦ୍‍ ଧରିଲା । ଏ ସବୁଥିରେ ବିବ୍ରତ ନହୋଇ ସାଥୀଟିକୁ ବୁଝାଇ ସୁଝାଇ ଏସବୁରୁ ନିସ୍ତାର ପାଇବାପାଇଁ ସେ ଗୋଟିଏ ପନ୍ଥା ସ୍ଥିର କଲେ । ଦିନେ ଦୋକାନ ବନ୍ଦବେଳକୁ ବଳକା ଜିନିଷରୁ ପେଟେ ପେଟେ ଖାଇ ବିକ୍ରି ହୋଇଥିବା ଏକଟଙ୍କା ତେରଅଣା ତିନି ପଇସାକୁ ଅଣ୍ଟାରେ ମାରି ଦୁହେଁ ରେଳ ଷ୍ଟେସନରେ ପହଞ୍ଚି ପୁରୀ ହାବଡ଼ା ଏକ୍‍ସପ୍ରେସରେ ଉଠିଲେ । ବାଳକୃଷ୍ଣଙ୍କର ପୁରୁଣା କର୍ମୀ ହିସାବରେ ବିନା ଟିକଟରେ ରେଳଯାତ୍ରା କରିବାରେ ଖୁବ୍‍ ଦକ୍ଷତା ଥିଲା ତେଣୁ ଦୁହେଁ ବିନା ଟିକଟରେ କଲିକତା ଅଭିମୁଖେ ଯାତ୍ରା କଲେ । କଲିକତା ବଡ଼ ସହର । ସେଠି ପାନ ଦୋକାନଟିଏ କରି ଲୋକେ ଲକ୍ଷପତି ହେଉଛନ୍ତି । ସେଠାରେ ଯେ କୌଣସି ବ୍ୟବସାୟ ଅତି ଅଳ୍ପ ମୂଳଧନରେ ଆରମ୍ଭ କଲେ ଅଳ୍ପଦିନ ଭିତରେ ଦୁହେଁ ଧନୀ ହୋଇଯିବେ ବୋଲି ସେ ତାଙ୍କର ସାଥୀକୁ ଭଲଭାବରେ ବୁଝାଇ ଦେଇଥିଲେ । ସାଥୀଟି ତାଙ୍କ କଥାରେ ସିନା ଚାଲି ଆସିଲା କିନ୍ତୁ ସେ ପୂର୍ବରୁ କେବେ ରେଳରେ ଚଢ଼ିନାହିଁ କି ବାରମାଣ ଗୋରଡ଼ା ମଧ୍ୟ ଡେଇଁନାହିଁ । ମଧ୍ୟବିତ୍ତ ଘରର ଅଲିଅଳି ପିଲା । ଦୁଇ ଚାରିଟି ଷ୍ଟେସନ ଡେଇଁବା ପରେ ଘରକଥା ମନେପଡ଼ି ତା’ର ଆଖି ଛଳଛଳ ହୋଇ ଆସିଲା । ଠିକ୍ ସେଇ ସମୟରେ ଗୋଟିଏ ଟି. ଟି. ଆଇ,..ଆସି ଟିକଟ ମାଗିଲା । ଟିକଟ ନ ପାଇବାରୁ ଧମକ ଚମକ ଆରମ୍ଭ କରିଦେଲା । ସେତିକିରେ ସାଥୀଟିର ଧୈର୍ଯ୍ୟର ବନ୍ଧ ଏକାବେଳକେ ଭୁଷୁଡି ପଡ଼ିଲା । ସେ ଭୋ ଭୋ କାନ୍ଦି ବୋବାଳି ଛାଡ଼ିଲା । ଏ ବିପଦ ଦେଖି ବାଳକୃଷ୍ଣ ଧୀରେ ଧୀରେ ଖସି ପଛପଟ ଦ୍ୱାର ପର୍ଯ୍ୟନ୍ତ ଚାଲିଯାଇ କିଛି ନଜାଣିଲା ପରି ବାହାରକୁ ଚାହିଁ ଠିଆ ହୋଇଥିଲେ । ଏପରି ଗୋଟିଏ ଅପଦାର୍ଥକୁ କାହିଁକି ସାଙ୍ଗ କଲେ ବୋଲି ନିଜକୁ ଧିକ୍କାର କରି, ଗୋଟିଏ ଷ୍ଟେସନରେ ଗାଡ଼ି ଧିମେଇ ଆସିଲାବେଳକୁ କବାଟଟି ଫିଟାଇ ଅନ୍ୟ ଗୋଟିଏ ଡବାକୁ ଚାଲିଗଲେ । ଏପରି ଦୁଇ ଚାରିଟି ଡବା ବଦଳାଇ ଶେଷରେ ଗୋଟିଏ ଡବାର ପାଇଖାନାରେ ପ୍ରବେଶ କରି ନିଃଶ୍ଵାସ ମାଇଲେ । ସାଥୀଟିର କାନ୍ଦ ବୋବାଳିରେ ସହାନୁଭୂତି ଦେଖାଇ, ଟି. ଟି. ଆଇ ଓ ଅନ୍ୟାନ୍ୟ କେତେକ ଯାତ୍ରୀ ତାକୁ ଗୋଟିଏ ଫେରନ୍ତା ଗାଡ଼ିରେ ବସାଇ ତା’ ଗାଁ ଷ୍ଟେସନରେ ଛାଡ଼ି ଦେବାର ବ୍ୟବସ୍ଥା କଲେ ।

 

ବାଳକୃଷ୍ଣ ମେଦିନପୁର ଚନ୍ଦ୍ରକଣା ଷ୍ଟେସନରୁ ଓହ୍ଲାଇ ଭାଇଙ୍କ ପାଖରେ ଦିନାକେତେ ଅବସ୍ଥାନ କରି କିଛିକାଳ ପରେ କେତେକ ଜଗନ୍ନାଥ ଯାତ୍ରୀ ସଙ୍ଗରେ ଧରି ଗାଁରେ ଆସି ପହଞ୍ଚିଲେ-। ଦିନାକେତେ ଯାତ୍ରୀପତ୍ର ବ୍ୟବସାୟ ଖୁବ୍ ଜୋର୍‍ସୋର୍‍ରେ ଚାଲିଲା । କିନ୍ତୁ ସେ ବଣଭାଲୁଙ୍କ ଭଳି ବୋକଡ଼ା ଭକ୍ତଗୁଡ଼ାଙ୍କର ତତ୍ତ୍ୱ ନେବା ବଡ଼ ବିରକ୍ତିକର ମନେହେଲା । ତେଣୁ ସେ ବ୍ୟବସାୟରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଲା । ଯାତ୍ରୀ ବ୍ୟବସାୟ ସିନା ଗଲା କିନ୍ତୁ ସେଇ ଦିନଠାରୁ ଯାତ୍ରୀ ଗୁମାସ୍ତାଙ୍କ ଚିହ୍ନ ବଡ଼ ସିନ୍ଦୂର ଟୋପାଟା ବିଭାବରେ କପାଳ ରହିଗଲା ।

 

ସମାଜ ସଂସ୍କାର

 

ବ୍ୟବସାୟ ପ୍ରତି ବିତୃଷ୍ଣା ଜନ୍ମିବା ପରେ ସେ ସମାଜ ସଂସ୍କାର କାର୍ଯ୍ୟରେ ମନ ବଳାଇଲେ । ପ୍ରଚାରକ ଅନନ୍ତଙ୍କ ସମ୍ପର୍କରେ ଆସି ସେ ସଂସ୍କାର ବିଷୟରେ ବହୁତ ସାରଗର୍ଭକ ବକ୍ତୃତା ଶୁଣିଥିଲେ । ପ୍ରଚାରକ ବହୁ ବାଧା ବିଘ୍ନ ସତ୍ତ୍ଵେ କେତେକ ବିଧବା ବିବାହ କରାଇବା ଓ ପତିତାଙ୍କୁ ଉଦ୍ଧାର କରାଇବା କଥା ସେ ଜାଣିଥିଲେ । ସେ ବିଷୟରେ କି କାର୍ଯ୍ୟ ପନ୍ଥା ସ୍ଥିର କରିବାକୁ ହେବ ତା’ର ପରାମର୍ଶ କରିବାକୁ ଯାଇ, ସେ ଜଣେ ଉଗ୍ରପନ୍ଥୀ କଲେଜ ପଢ଼ୁଆ ବାବୁଙ୍କ ଦୁଆରେ ବସିଥିଲେ ।

 

ଏହି ସମୟରେ ଅଳ୍ପ ଅଳ୍ପ ଛୋଟେଇ ଛୋଟେଇ ଚାଲୁଥିବା ‘ଘୋଡା’ ନାମରେ ଖ୍ୟାତ ଗୋଟିଏ ହୃଦୟହୀନ ଦରିଦ୍ର ସେବାୟତ ବ୍ରାହ୍ମଣ ଆସି ସେ ବାବୁଙ୍କର ମାଙ୍କ ଆଗରେ ତା’ର ଦୁଃଖ ଜଣାଇଲା । ସେ କାନ୍ଦି କାନ୍ଦି କହିଲା “ମା, ଆଜି ମୋର ପାଞ୍ଚ କୋଡ଼ି ଟଙ୍କା ପାଣିରେ ପଡ଼ିଗଲା । ବିଧାତା ଆଉ ଚାରିଟି ଦିନ ହେଲେ ସମ୍ଭାଳିଲାନାହିଁ । ଆରବର୍ଷ ଏଇ ଦିନେ ବଡ଼ ଝିଅଟିକୁ ଚାରି କୋଡ଼ି ଟଙ୍କାରେ ତୁଳା କନିଆ କରି ଦେଇଥିଲି । ଏଇଟି ଚମ୍ପା କଢ଼ି ପରି ଝିଅଟିଏ, ଏହାପାଇଁ ମଧ୍ୟ ସେଇପରି ଦୋଅଡ଼ ପକ୍ଷ ଦେଖି ଭଲ ଜାଗାଟିଏ ଠିକ୍ କରିଥିଲି । ୫ କୋଡ଼ି ଟଙ୍କା ଛିଣ୍ଡି ଥିଲା ଆଉ ଚାରୋଟି ଦିନରେ ଦିଆନିଆ ସବୁ ଛିଡ଼ି ଥାଆନ୍ତା । ଚୁଲିଜ୍ୱର ଆଉ ଚାରିଟି ଦିନ ତତାଇ ପାରିଲାନାହିଁ । କେଉଁଠୁ ଭୂତ ପରି ଆସି କାଲି ରାତିରେ ମୋ ହାତରୁ ଛିଣ୍ଡାଇ ତାକୁ ଧରି ଚାଲିଗଲା-। ବଇଦ ଡକେଇବାକୁ ମଧ୍ୟ ତର ରହିଲାନାହିଁ ।” ଝିଅପାଇଁ ଚିନ୍ତା ନାଇଁ ଟଙ୍କାପାଇଁ ଦୁଃଖ । ଏକଥାରେ କଲେଜ ବାବୁ ସଙ୍ଗେ ସଙ୍ଗେ ତାତି ଉଠି ସେ ଲୋକକୁ ତଣ୍ଟିଆ ଦେଇ ଶୀଘ୍ର ବିଦା କରି ଦେବାକୁ ବାଳକୃଷ୍ଣଙ୍କୁ ନିର୍ଦ୍ଦେଶ ଦେଲେ । ବାଳକୃଷ୍ଣ ସେ କାର୍ଯ୍ୟଟି ଟିକିଏ ବେଶି ଉତ୍ସାହରେ ପୂରଣ କରିବାର ଦେଖି ଅବଶ୍ୟ କଲେଜ ବାବୁଙ୍କର ଦୁଃଖ ହେଲା ଓ ତାଙ୍କ ପାଟିରୁ ଅଲକ୍ଷିତ ଭାବରେ ବାହାରି ପଡ଼ିଲା “ବୁଭୁକ୍ଷିତ କିଂ ନ କରୋତି ପାପ” । ଏ ଘଟଣା ପରେ ତାଙ୍କର କାର୍ଯ୍ୟପନ୍ଥା ଉଜ୍ଜ୍ୱଳ ହୋଇଗଲା । ତାଙ୍କୁ ଆଉ ରାତିରେ ନିଦ ହେଲାନାହିଁ । ପଡ଼ିଶା ଘର ନିଆସି କଥା ଖାଲି ମନରେ ନାଚିଲା । ପଡ଼ିଶା ଘର ବିଧବା ଖୁଡ଼ୀଙ୍କ ଝିଅଟିର ନାଁ ନିଆସି, ପୁଅଟି ନାଁ ବନ୍ଧୁ-। ନିଆସି ବହୁତ ଦିନୁ ବିଭା ହୋଇ ଶାଶୂଘରକୁ ଯାଆନ୍ତାଣି କିନ୍ତୁ ବନ୍ଧୁପାଇଁ ଗୋଟିଏ ବଦଳି କନିଆପାଇଁ କେହି ରାଜି ନ ହେବାରୁ ସେ ବିଭା ହୋଇପାରୁନାହିଁ । ବନ୍ଧୁର ଘର ଡିହ ଖଣ୍ଡି ଛଡ଼ା କିଛି ଅନ୍ୟ ସମ୍ବଳ ନାଇଁ । ସେ ବି କିଛି ପାଠଶାଠ ପଢ଼ିନାହିଁ, ମୂଲ ଲାଗିଲେ ଚଳେ, ତେଣୁ ତାକୁ କନିଆ ମିଳିବ କେଉଁଠୁ ? ବଦଳି କନିଆ ମିଳିବାର ଆଶା ନ ଦେଖି ବନ୍ଧୁର ମା ଗୋଟିଏ ୬୦ ବର୍ଷର ବୁଢ଼ାକୁ ନିଆସିକୁ ତୁଳା କନିଆ କରିଦେଇ ସେଇ ଟଙ୍କାରେ ତୁଳା କନିଆ କରି ବନ୍ଧୁପାଇଁ କନ୍ୟାଟିଏ ଆଣିବାକୁ ସ୍ଥିର କଲେ-। ତିନି କୋଡ଼ି ଟଙ୍କା ଛିଡ଼ିଛି । ବନ୍ଧୁପାଇଁ କନ୍ୟାଟିଏ ଠିକ୍ ହେଲେ କଥା ପକ୍କା ହୋଇଯିବ । ବାଳକୃଷ୍ଣ ଏ ବିପଦରୁ ନିଆସିକୁ ମୁକୁଳେଇବାକୁ ଦୃଢ଼ ପ୍ରତିଜ୍ଞା ହେଲେ । ହେଲେ କ’ଣ ହବ, ତାଙ୍କର ପଡ଼ିଶାଘର ସଙ୍ଗେ ଅପଡ଼, ତଥାପି ସେ ନିରାଶ ହେବାର ପାତ୍ର ନୁହଁନ୍ତି-। ଏଇସବୁ ଭାବନାର ବୋଝ ମୁଣ୍ଡରେ ମୁଣ୍ଡାଇ ପରଦିନ ବଜାରରେ ବୁଲୁ ବୁଲୁ ତାଙ୍କର ଜଣେ ରେଙ୍ଗାମ ଫେରନ୍ତା ବାବୁଙ୍କ ସଙ୍ଗେ ଦେଖାହେଲା । ବାବୁଙ୍କ ଘର ସେଇ ଥାନାରେ, କିନ୍ତୁ ତାଙ୍କ ଗାଁ ଠାରୁ ପ୍ରାୟ ୬ ମାଇଲ ଦୂର-। ବାବୁ ଦେଖିବାକୁ ଖୁବ୍ ହୃଷ୍ଟପୁଷ୍ଟ ବୟସ ୪୦, ୪୫ ହେଲେବି ୨୫, ୩୦ ବର୍ଷର ଟୋକାଟିଏ ପରି ଦିଶୁଛନ୍ତି । କଥାବାର୍ତ୍ତା ଅତି ମଧୁର, ଚେହେରାଟି ଚିକ୍କଣ, ବେଶ୍ ପଇସାବାଲା ପରି ଜଣାଯାଉଛନ୍ତି । ଦୁଇଟି ସନ୍ତାନ ପରେ ପତ୍ନୀ ବିୟୋଗ ଯୋଗୁଁ ଘର ଚଳାଇବା ପାଇଁ ଦ୍ଵିତୀୟ ବିବାହ କରିବାକୁ ସେ ବଡ଼ ଆଗ୍ରହୀ । ବାଳକୃଷ୍ଣ ପ୍ରସ୍ତାବ ପାଇବା ସଙ୍ଗେ ସଙ୍ଗେ ସେ ସେଥିରେ ସମ୍ପୂର୍ଣ୍ଣ ରାଜି ହୋଇଗଲେ ।

 

ବାଳକୃଷ୍ଣଙ୍କ ଆନନ୍ଦ କହିଲେ ନସରେ, ସମାଜ ସଂସ୍କାରପାଇଁ ଏହା ସୁବର୍ଣ୍ଣ ସୁଯୋଗ । ସମାଜ ସେବା ହେବ, ତା’ ସଙ୍ଗେ ସଙ୍ଗେ ମୋଟା ମଧ୍ୟସ୍ଥିବି ମିଳିବ, କନ୍ୟାକର୍ତ୍ତା ଭାବରେ ଯଥୋଚିତ ସମ୍ମାନବି ପାଇବେ, ଏ ମଉକା ଛାଡ଼େ କିଏ ? କେବଳ ଚିନ୍ତା ହେଲା ଏ ଯୋଜନାଟି କିପରି ସୁରୁଖୁରୁରେ କାର୍ଯ୍ୟକାରୀ ହେବ । ପଡ଼ୋଶୀ ତ କେଭେ ଏ ପ୍ରସ୍ତାବରେ ରାଜି ହେବେନାହିଁ, ତେଣୁ ଗୁପ୍ତରେ ସତର୍କତା ସହିତ ଏ କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିବ ।

 

ବହୁତ ଅପେକ୍ଷା ପରେ ବେଳ ଉଣ୍ଡି ନିଆସିର ସଙ୍ଗେ ଏକୁଟିଆ ଦେଖାହେଲା । ଗୋଟିଏ ଛୋଟକାଟର ବକ୍ତୃତା ପରେ ବିବାହ ଉଦ୍ଦେଶ୍ୟରେ ଲୁଚି ପଳାଇ ଆସିବାକୁ ସେ ରାଜି ହୋଇଗଲା । ବରାଦ ଅନୁଯାୟୀ ଦିନେ କାଳି ଅନ୍ଧାରରୁ ବାଡ଼ିବାଟେ ଆସି ନିଆସି ହାଜର ହେଲା-। ନିଆସିକୁ ଧରି ବାଳକୃଷ୍ଣ ବରପାତ୍ରଙ୍କ ଗ୍ରାମ ଅଭିମୁଖରେ ଯାତ୍ରା କଲେ । ପୂର୍ବଯୋଗାଡ଼ ଅନୁସାରେ ପୁରୋହିତ, ବେଦି ଓ ବିବାହ ସାମଗ୍ରୀ ସବୁର ଆୟୋଜନ ସରିଥିଲା । “ଶୁଭସ୍ୟ ଶୀଘ୍ରଂ” ତେଣୁ ସେଇ ଦିନ ବିବାହ କାର୍ଯ୍ୟ ବଢ଼ାଇବାର ସ୍ଥିର ହେଲା ।

 

ଏଣେ ନିଆସି ମା ଝିଅକୁ ନ ପାଇ ତାଙ୍କ ଘରେ କାନ୍ଦ ବୋବାଳି ପଡ଼ିଲା । ଗ୍ରାମବାସୀମାନେ ତାଙ୍କୁ ସହାନୁଭୂତି ଦେଖାଇ ବନ୍ଧୁକୁ ନେଇ ପୁଲିସ ଥାନାରେ ଇତାଲା ଦେଲେ । ପିଲା ଚୋରି ପୁଣି ଝିଅ ପିଲା । ଖାଲି ସେତିକି ନୁହେଁ, ସେ ପୁଣି ବିବାହ ଯୋଗ୍ୟା, ତେଣୁ ପୁଲିସ ସଙ୍ଗେ ସଙ୍ଗେ ତତ୍ପର ହୋଇ ଉଠିଲେ । ଚାରିଆଡ଼େ ଜୋର୍‍ସୋର୍‍ରେ ଖୋଜାଲୋଡ଼ା ଚାଲିଲା । ଶେଷରେ ସମ୍ବାଦ ସଂଗ୍ରହକାରୀ ଦୁଇଟି ନାଲି ପଗଡ଼ିଆ କନେଷ୍ଟବଳ, ଜଣେ ଚଉକିଦାର ଓ କିଛି ହାତକଡ଼ି ଘେନି, ଦାରୋଗା ବାବୁ ବରପାତ୍ରଙ୍କ ଗାଁ ଆଡ଼କୁ ଚାଲିଲେ ।

 

ପୁରୋହିତ “ରାବଣସ୍ୟ ମନ୍ଦୋଦରୀ” ଶ୍ଳୋକ ପଢ଼ି ଠିକ୍ ହାତଗଣ୍ଠି ପକାଇଲାବେଳକୁ ବେଦି ପାଖରେ ଗୋଳମାଳ ଆରମ୍ଭ ହୋଇଗଲା । ଦୂରରୁ ଆସୁଥିବା ନାଲି ପଗଡ଼ିଆଙ୍କୁ ଦେଖି ଦେଇ କେତେଗୁଡ଼ିଏ ପିଲା ଡରରେ ଛାଟିପିଟି ହୋଇ ଏଣେତେଣେ ଧାଇଁ ପଳାଇବାକୁ ଲାଗିଲେ-। ଏ କଥା ଜାଣିପାରି କନ୍ୟାକର୍ତ୍ତାକୁ ହଠାତ୍ ଜୋର୍‍ରେ ପୋଖରୀ ପାଣି ମଡ଼ାଇବାକୁ ସେଇଠି ବିବାହ କାର୍ଯ୍ୟ ସ୍ଥଗିତ ରଖି ସେ ସେଠାରୁ ଉଠି ଖସି ପଳାଇଲେ । ପୁଲିସ ଆସି ପହଞ୍ଚିଲେ । ବର ଓ ପୁରୋହିତଙ୍କ ହାତରେ ହାତକଡ଼ା ପକାଇଲେ । ସେଠାରେ ରୁଣ୍ଡ ହୋଇଥିବା ଜନତା ଭୟଭୀତ ହୋଇ ପରସ୍ପର ମୁହଁକୁ ଖାଲି ଚୁହାଚୁହିଁ ହେଲେ । ପୁଲିସ କନ୍ୟାକର୍ତ୍ତାଙ୍କୁ ଖୋଜିଲେ, କିନ୍ତୁ ତାଙ୍କୁ ସେଠି ପାଖରେ ଆଖରେ କେଉଁଠି ପାଇଲେନାହିଁ । ଶେଷରେ ସେ ଗାଁର କେତେକ ଲୋକଙ୍କ ସାହାଯ୍ୟରେ ସନ୍ଧାନ ପାଇ ପ୍ରାୟ ଅଧମାଇଲ ଦୂର ଗୋଟିଏ ହରଡ଼ କିଆରୀ ଭିତରେ ସେ ଲୁଚି ପେଟଇ କରି ଶୋଇଥିବାର ଆବିଷ୍କାର କଲେ । ସେ ଧରା ପଡ଼ିବା ସଙ୍ଗେ ସଙ୍ଗେ କାନରେ ପଇତା ଦେଇ ପାଣିଢ଼ାଳ ହାତରେ ଧରି ପାଖକୁ ନ ଆସିବାକୁ ଠାରି ଯେତେ ହୁଁ ହୁଁ ହେଲେ ସେଥିପ୍ରତି ଖାତିର ନ କରି, ଧର୍ମହାନୀକୁ ଅପେକ୍ଷା ନ ରଖି ଦାରୋଗା ବାବୁ ତାଙ୍କ ହାତରେ ହାତକଡ଼ି ପକାଇ ଦେଇ ଥାନାକୁ ଚାଳନ କଲେ ।

 

ଏ ଘଟଣାଟି ଚାରିଆଡ଼େ ଚହଳ ପକାଇଥିଲା । କିଏ କେତେ କଥା କହିଲେ । ବାଳକୃଷ୍ଣ ଜାଣିଥିବା ଅନ୍ୟ ସଂସ୍କାରକମାନେ ସେ କଥା ସମ୍ପୂର୍ଣ୍ଣ ବିଶ୍ଵାସ କଲେ ମଧ୍ୟ ତାଙ୍କୁ ପୁଲିସଦ୍ଵାରା ପିଲା ଚୋର ଆଖ୍ୟା ଦାନ କରାଯିବାଟା ସହ୍ୟ କରିପାରିଲେନାହିଁ । ସରକାର ବିରୋଧୀ ଦଳ ଯେପରି ଭଲ ହେଉ ମନ୍ଦ ହେଉ ସରକାରଙ୍କ ସବୁ କାର୍ଯ୍ୟରୁ ଖିଅ ବାହାର କରି ତା’ର ଅନ୍ଧାର ପଟଟା ଆଣି ବାହାରେ ଥୁଅନ୍ତି । ସଂସ୍କାରକମାନେ ସେହିପରି ଏ ଘଟଣାକୁ “ସଂସ୍କାରକ ଉପରେ ପୁଲିସ ଜୁଲମ” ଶିରୋ ନାମାରେ ଖବରକାଗଜରେ ପ୍ରକାଶ କରାଇଲେ । ସେମାନଙ୍କ ଚେଷ୍ଟାରେ କନ୍ୟାର ଡାକ୍ତର ମଇନା କରାଯାଇ ସେ ‘ସାବାଳକ’ ବା ପ୍ରାପ୍ତ ବୟସ୍କା ବୋଲି ପ୍ରମାଣ କରାଇଲେ-। କନ୍ୟାଟି ମଧ୍ୟ ବାଳକୃଷ୍ଣ ବକ୍ତୃତା ପାସୋରି ନଥିଲା, ତା’ର ସ୍ଵଇଚ୍ଛାରେ ସେ ବରପାତ୍ରଟିକୁ ବରଣ କରିଛି ବୋଲି କଚେରିରେ ହାକିମ ସାମନାରେ ସିଧା ସିଧା କହିଗଲା । ବାଳକୃଷ୍ଣ ପ୍ରଭୃତି ଜେଲ୍‍ଖାନାର ହାଜତରୁ ନିର୍ଦ୍ଦୋଷରେ ଖଲାସ ହୋଇ ପୁଲିସ ନାଁରେ ମାନହାନି ମିଥ୍ୟା ମକଦ୍ଦମା ରୁଜୁ କରିଥିବା ଅଭିଯୋଗ କରି ଓଲଟି ମକଦ୍ଦମା ରୁଜୁ କଲେ । ସେ ଯାହାହେଉ ବିବାହ ହାତଗଣ୍ଠି ନ ପଡ଼ିଥିଲେ ମଧ୍ୟ ବର କନ୍ୟା ସ୍ଵାମୀ ସ୍ତ୍ରୀ ଭାବରେ ପୂର୍ଣ୍ଣ ସାବ୍ୟସ୍ତ ହେଲେ ।

 

ସନ୍ନ୍ୟାସୀ ବେଶ

 

ବାଳକୃଷ୍ଣଙ୍କର ଜେଲଖାନାରେ ବୃଦ୍ଧି ପାଇଥିବା ଅଯତ୍ନ ପାଳିତ ଦାଢ଼ିଟି ସିନ୍ଦୂର ଟୋପାସାଙ୍ଗକୁ ତାଙ୍କ ମୁଖ ମଣ୍ଡନ କରି ସବୁ ଦିନପାଇଁ ରହିଗଲା । ଜେଲ୍‍ରୁ ଫେରି ସେ ଗୌରୀକ ବସ୍ତ୍ର ମଧ୍ୟ ଆଶ୍ରୟ ନେଲେ । ନିଜକୁ ଜଣେ ପୀଠ ଅଧିକାରୀ ସିଦ୍ଧ ଯୋଗୀ ବୋଲି ସାବ୍ୟସ୍ତ କରିବାକୁ ସେ ଗୋଟିଏ ନମୁନା ରଖିବାକୁ ଚାହିଁଲେ, କେତେକ ବନ୍ଧୁଙ୍କ ଉଦ୍ୟମରେ ତାଙ୍କ ବେଶ ସହିତ ତାଙ୍କୁ ଜଣକ କୋଠା ଉପରକୁ ନିଆଗଲା ସେ କୋଠା ଉପରେ ସିମେଣ୍ଟ ଜାଲିବାଡ଼ ଦେହରେ ଗୋଟିଏ ଗୋଲାକାର ମଣ୍ଡଳ ଭିତରେ ଦୀପ ସହିତ ଦୀପ ରୁଖାଟିଏ କଟା ହୋଇଥିଲା-। କଅଁଳିଆ ପିଲାଙ୍କଦ୍ଵାରା ବହୁତ ଦିନ ବ୍ୟବହାର ପରେ ପରିତ୍ୟକ୍ତ ହୋଇଥିବା ଛିଣ୍ଡା କନ୍ଥା ଖଣ୍ଡେ ଛାତ ଉପରେ ପଡ଼ି ପଡ଼ି ତା’ ଦେହରେ ଫିମ୍ପି ମାରି କଳା କଳା ଦାଗ ସବୁ ହୋଇଯାଇଥିଲା । ସେ ଖଣ୍ଡିକ ଛାତର ଗୋଟିଏ କଣରୁ ଗୋଟାଇ, ତାହା ବାଘ ଛାଲର କାମ କରିବ ମନେକରି ସିମେଣ୍ଟ ଜାଲିର ସାମନାରେ ଛାତ ଉପରେ ପକାଇ ଦିଆଗଲା । ନୂତନ ବାବା ହାତରେ ପିତଳ ଗୋବଦିଆ ବାଉଁଶ ବାଡ଼ିଟି ଧରି ଆଖିକୁ ତରାଟି ଯୋଗାସନରେ ବସି ପଡ଼ିଲେ । ଫଟୋ ନିଆଗଲା । ଫଟୋଟି ବ୍ୟାଘ୍ରାସନରେ କୌଣସି ପୁରାତନ ପ୍ରସିଦ୍ଧ ପୀଠ ଉପରେ ବସିଥିବା ଜଣେ ସିଦ୍ଧ ଯୋଗୀଙ୍କର ଫଟୋ ପରି ପ୍ରତିଭାତ ହେଲା । ଫଟୋଟି ସାଙ୍ଗରେ ଧରି ବାଳକୃଷ୍ଣ ଗ୍ରାମ ଛାଡ଼ି ଧର୍ମ ପ୍ରଚାରରେ ବାହାରି ପଡ଼ିଲେ । ପରେ, ଦୂରଦୂରାନ୍ତରେ ଦୀକ୍ଷା ନେଇଥିବା ତାଙ୍କର କୌଣସି କୌଣସି ଶିଷ୍ୟ ଶିଷ୍ୟା ସେହି ଫଟୋ ଖଟୁଲିରେ ରଖି ପୂଜା କରୁଥିବାର ଖବର ମିଳିଲା ।

 

ଶିଷ୍ୟ, ଶିଷ୍ୟା ଗହଣରେ ଓ ବାବାଜିମାନଙ୍କ ମେଳରେ କାଳଯାପନ କରି, ବାବାଜିମାନଙ୍କ ପରି ତାଙ୍କୁ ଚିଲମ, ଗଞ୍ଜେଇ ପ୍ରଭୃତିର ସେବନ କରି କଠୋର ତପସ୍ୟା ଶିକ୍ଷା କରିବାକୁ ପଡ଼ିଲା । ବାବାଜି, ମାତାମାନଙ୍କ ସହିତ ଉଲଗ୍ନ ସାଧନା ଯୋଗୁଁ ସେ ଯେଉଁ ବିପଦର ସମ୍ମୁଖୀନ ହୋଇଥିଲେ ସେ କଥା ଆଗରୁ କୁହାଯାଇଛି । ସେ ଘଟଣାରୁ ସେ କିପରି ପ୍ରମାଣ ଅଭାବରୁ ଖସିଲେ ତା’ ହୁଏତ କୌଣସି ତଦନ୍ତକାରୀଙ୍କ ପୋଲିସବାବୁଙ୍କ ପକେଟ କହିପାରିବ; ଆମେ ଅନୁମାନ କରିବା କଷ୍ଟକର ବ୍ୟାପାର । ଅବଶ୍ୟ ସେ ଘଟଣା ପରେ ସେ ଗାଁକୁ ଫେରିଆସିଥିଲେ, କାରଣ ଏପରି ଘଟଣାମାନଙ୍କଦ୍ଵାରା ହଠାତ୍ ନିଃସମ୍ବଳ ହୋଇପଡ଼ିଲେ ସେ ପୈତୃକ ସମ୍ପତ୍ତିରୁ ଯତ୍‍ସାମାନ୍ୟ ସମ୍ବଳ ସଂଗ୍ରହ କରିବାକୁ ଗାଁକୁ ବାହାରି ଆସୁଥିଲେ ।

 

ସନ୍ନ୍ୟାସୀ ଭାବରେ ନାନାସ୍ଥାନ ପର୍ଯ୍ୟଟନଦ୍ଵାରା ସ୍ୱାସ୍ଥ୍ୟହାନି ଘଟିବା ସ୍ଵାଭାବିକ । ଖାଦ୍ୟପେୟର ତ କିଛି ଠିକ୍ ଠିକଣା ନଥାଏ । ସେଥିରେ ପୁଣି ବହୁ ଦୁରାରୋଗ୍ୟ ରୋଗୀମାନେ ଆରୋଗ୍ୟ ଲାଭ ଆଶାରେ ସନ୍ନ୍ୟାସୀଙ୍କ ନିକଟକୁ ଆସନ୍ତି । ଏପରି ରୋଗୀମାନଙ୍କ ସାଙ୍ଗେ ମିଶି ସେ ପୂର୍ବବଙ୍ଗରୁ କାଲାଜ୍ଵର ଜନିତ ବିରାଟ ପ୍ଳୀହା, କଲିକତାର କୁଲି କଲୋନୀରୁ ଯକ୍ଷ୍ମା, ମଫସଲରୁ ଅଙ୍କୁଶ କୃମି, ଶୂଳା ହଗା, ଆମାଶୟ ପ୍ରଭୃତି ସଂଗ୍ରହ କରିପାରିଥିଲେ । ଥରେ ଶୂଳା ହଗା ଓ ଚର୍ମ ରୋଗପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନାର ଚର୍ମରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା-। ସେ ରୋଗର ଉପଶମ ପରେ ତାଙ୍କୁ ଖଟିଆ ଛାଡ଼ିବାକୁ କୁହାଯିବାରୁ ସେ ଥଳିରୁ ତାଙ୍କର ପୂର୍ବୋକ୍ତ ଫଟୋ ଖଣ୍ଡିକ କାଢ଼ି ନର୍ସ ଓ ବେହେରାମାନଙ୍କୁ ଦେଖାଇଲେ । ଏ ବଡ଼ ଡାକ୍ତରଖାନା, ସେଠାରେ ତାଙ୍କର ସମ୍ପୂର୍ଣ୍ଣ ପୂର୍ବ ସ୍ୱାସ୍ଥ୍ୟ ସେ ଫେରିପାଇବା ଉଚିତ, ତେଣୁ ସେ ଫଟୋ ପରି ପୂର୍ବ ସ୍ୱାସ୍ଥ୍ୟ ଫେରି ନ ପାଇଲେ ସେ ଖଟିଆ ଛାଡ଼ିବେନାହିଁ ବୋଲି ଜିଦ୍ ଧରି ବସିଲେ । ଏପରିକି ତାଙ୍କୁ ସେଠାରୁ ଉଠାଇବାକୁ ଚେଷ୍ଟା କଲେ ସେ ଅଭିଶାପ ଦେଇ ଧ୍ଵଂସ କରିଦେବେ ବୋଲି ମଧ୍ୟ ଧମକ ଦେଖାଇଲେ । ଡାକ୍ତରମାନଙ୍କର ବହୁ ବୁଝାସୁଝା ପରେ ଅବଶ୍ୟ କୁଣ୍ଠିତ ଚିତ୍ତରେ ସେ ସେଠୁ ବିଦାୟ ନେଲେ ।

 

ଗୃହାଶ୍ରମ

 

ସେ ଅନ୍ୟ ସ୍ଥାନରେ ବାବା ରୂପରେ ଖ୍ୟାତି ଅର୍ଜନ କରିଥିଲେ ମଧ୍ୟ ଗାଁରେ ନିଜକୁ କାହିଁକି ବାଳୀ ବା “ବାଳୀ ଭାଇନା” ପରିଚୟ ଦିଅନ୍ତି ସେ କଥା ଆଗରୁ କୁହାଯାଇଛି । ସେ ଗାଁରେ ଥିଲାବେଳେ ଠିକ୍ ଗାଉଁଲି ଭାଇ ପରି ଚଳୁଥିଲେ । କୌଣସି ଭୋଜିଭାତ ପଡ଼ିଲେ ସେଠି ଯାଇ ହାଜର ହେଉଥିଲେ ଏବଂ ସମସ୍ତଙ୍କ ସଙ୍ଗେ ମିଶି ନୀରରୁ ଜାତ ଆମିଷ ବା ନିରାମିଷ ସମସ୍ତଙ୍କ ସାଙ୍ଗେ ନିରାଲମ୍ବ ଭାବରେ ବସି ଭକ୍ଷଣ କରୁଥିଲେ ।

 

ତାଙ୍କ ଗାଁ ଘରର ଉପର ମାହାଲାଟି ପୂରା ଭାଙ୍ଗି ଯାଇ ତା’ ସ୍ଥାନରେ ଗୋଟିଏ ବଡ଼ କଣ୍ଟାବାଡ଼ ସୃଷ୍ଟି ହୋଇଥିଲା । ପଛ ମାହାଲା ଘରେ ସେ ବସବାସ କରନ୍ତି । ଘରର ଚାରିପଟେ ଜଙ୍ଗଲ ଭଳି ହୋଇଥିବାରୁ ସେଠାରେ ବିଷଧର ସର୍ପମାନଙ୍କର ରାଜତ୍ଵ ଚାଲିଥାଏ ବୋଲି ଅନେକ ବିଶ୍ଵାସ କରନ୍ତି କିନ୍ତୁ ବାଳକୃଷ୍ଣଙ୍କର ସାପକୁ ଡର ନଥିଲା । ସେ ଅକ୍ଳେଶରେ ନାଗ ସାପ ଧରିପାରୁଥିଲେ । କାହା ଘରେ ନାଗ ସାପ ପଶିଲେ ଗାରୁଡ଼ି ମନ୍ତ୍ରରେ ତାକୁ ଧରି ସେ ୧୦, ୨୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଥିଲେ । ଅବଶ୍ୟ ଏପରି ଗୋଟେ ଘଟଣାରେ କେହି କେହି ଅସହିଷ୍ଣୁ ଲୋକ କୁହନ୍ତି, ବାଳକୃଷ୍ଣ କେଉଁଠି ପୂର୍ବରାତିରୁ ସାପୁଆକେଳା ଠାରୁ ଗୋଟିଏ ଅର୍ଦ୍ଧମୃତ ନାଗ ସାପ ଆଣି କାହା କାହା ଘର ପାଖରେ ଛାଡ଼ି ଦେଇ ପରଦିନ ତାକୁ ଧରି ଦେଇ ଦୁଇ ପଇସା ଆଦାୟ କରନ୍ତି । କିନ୍ତୁ ଅଧିକାଂଶଙ୍କର ବିଶ୍ଵାସ ସେ ନାଗ ମନ୍ତ୍ର ଜାଣିଥିଲେ ଓ ତାଙ୍କ ଘରେ କେତେକ ନାଗ ସାପ ପୋଷି ରହିଥିଲେ । ଏହି କାରଣରୁ କେହି ତାଙ୍କ ଘରେ ପ୍ରବେଶ କରିବାକୁ ସାହସ କରୁ ନଥିଲେ । କେବଳ ଦୂର ଦୂରାନ୍ତରରୁ ଆସିଥିବା ଜଣେଅଧେ ବାବାଜି ବା ମାତା ସେ ଘରୁ ବାହାରୁଥିବାର ବେଳେ ବେଳେ ଦେଖାଯାଉଥିଲା ।

 

ସେ ଗୁଣି ଗାରେଡ଼ି ଝଡ଼ାଝଡ଼ି ମନ୍ତ୍ର ବହୁତ କିଛି ଜାଣିଥିଲେ । ସେ ନିଜେ ବହୁତ ପ୍ରକାର ରୋଗର ଖଣି ହୋଇଥିଲେ ମଧ୍ୟ କେତେକ ମଳିମୁଣ୍ଡିଆ ଓ ହରିଜନ ଶ୍ରେଣୀର ନିରୀହ ଗରିବ ଲୋକ ରୋଗମୁକ୍ତ ହେବାପାଇଁ ତାଙ୍କ ଠାରୁ ହୁକୁମ, ଡେଉଁରିଆ ଓ ଔଷଧ ପ୍ରଭୃତି ନେବାର ଦେଖାଯାଉଥିଲା । କେତେକ ସନ୍ତାନହୀନ ଦମ୍ପତି ତାଙ୍କ ହୁକୁମରେ ପୁତ୍ର ଲାଭ କରିବାର ମଧ୍ୟ ଶୁଣାଅଛି । ଔଷଧ ଯେ ସେ ମନକୁ ମନ ଦେଇଦଉଥିଲେ ତାହା ନୁହେଁ, ସେ କେତେକ ପୁରୁଣା କବିରାଜ ସଂସ୍କୃତ ଗ୍ରନ୍ଥ ଦେଖି ସେଥିରୁ ନିଦାନ ଠିକ୍ କରି ସେ ଔଷଧ ପ୍ରଦାନ କରନ୍ତି । ସେ ପାଠରେ ଦ୍ଵିତୀୟ ଶ୍ରେଣୀ ଡେଇଁ ନଥିଲେ ମଧ୍ୟ ମହିମା ଫଳରେ କିପରି ବିରାଟ ବିରାଟ କବିରାଜି ସଂସ୍କୃତ ବହି ପଢ଼ି ଔଷଧ ଠିକ୍ କରୁଛନ୍ତି ବୋଲି କୌତୁହଳ ହେବାରୁ ଜଣେ ଗ୍ରାମବାସୀ ସେ ବହି ଆଡ଼କୁ ନଜର ପକାଇ, ସେଇଟି ‘କାଳି ଦାସ’ଙ୍କ ରଘୁବଂଶ କାବ୍ୟର ଗୋଟିଏ ପୁରୁଣା ଛିଣ୍ଡା ସଂସ୍କରଣ ବୋଲି ଉପଲବ୍‍ଧି କରିପାରିଥିଲେ । ସେ ଯାହାହେଉ ଆମ ଗାଁ ଗଣ୍ଡାର ଯେ ଅବସ୍ଥା ଲୋକଙ୍କର ଯେଉଁଠି ପାନେ ହୋମିଓପାଥି ଔଷଧ କିଣି ଖାଇବାର ଜୋରନାହିଁ ସେଠି ତାଙ୍କର ଔଷଧ ଅନ୍ତତ ରୋଗମୁକ୍ତ ହେବାପାଇଁ ଯେ ମନ ବଳ ଯୋଗାଇ ଦେଉ ନଥିଲା ତା’ ନୁହେଁ-। ରୋଗ ଜୀବାଣୁ ହେଉ, ଗାଈ ହେଉ ବା ମଇଁଷି ହେଉ ସମସ୍ତଙ୍କର ଜୀବନ କାଳ ସୀମିତ ତେଣୁ ଅନେକ ରୋଗ ଆପେ ଆପେ ଭଲ ହୋଇଯିବା ସମ୍ଭବ କିନ୍ତୁ ସେ ରୋଗ ଜୀବାଣୁର ଜୀବନକାଳତକ ତାକୁ ସମ୍ଭାଳିବା ପାଇଁ ମନବଳ ଓ ସ୍ୱାସ୍ଥ୍ୟ ବଳ ଦରକାର । ଗାଁରେ କଲେରା, ବସନ୍ତ ହେଲେ ଅନେକ ମରନ୍ତି କିନ୍ତୁ ବିନା ଚିକିତ୍ସାରେ ମଧ୍ୟ ଅନେକ ଝାଡ଼ିଝୁଡ଼ି ହୋଇ ବସନ୍ତି । ଏଇ ସମ୍ଭାଳି ନବା ସାହସ ଦେବାରେ ସାଧୁସନ୍ଥ ଓ ସମାଜସେବୀମାନଙ୍କର ଅବଦାନ କମ୍ ନୁହେଁ । ତେଣୁ ରଘୁବଂଶ ବହି ଦେଖିଲେ ମଧ୍ୟ ସେ ଲୋକଙ୍କର କିଛି କିଛି ଉପକାର କରୁଛନ୍ତି ବୋଲି ଜାଣି ଗ୍ରାମବାସୀମାନେ ବାଳକୃଷ୍ଣକୁ ବାଧିଲା ପରି କିଛି କହୁ ନଥିଲେ । ବାଳକୃଷ୍ଣ ତାଙ୍କ ଘରର ଜୀର୍ଣ୍ଣ ସଂସ୍କାର କରି ଗ୍ରାମାରେ ରହିବାପାଇଁ ମନସ୍ଥ କରିଥିବାର ସମସ୍ତଙ୍କୁ କହୁଥିଲେ । କେତେକ ଇଟା, ବାଉଁଶ କାଠ ଆଣି ଜମା କରିଥିଲେ କିନ୍ତୁ ତାଙ୍କ ବୁଲାମନ କ’ଣ ବିଚାରିଲା କେଜାଣି ପୁଣି ସେ କୁଆଡ଼େ ଚାଲିଗଲେ । ବହୁତ ଦିନ ପର୍ଯ୍ୟନ୍ତ ଆଉ ଗାଁକୁ ଫେରିଲେନାହିଁ । ସେ ଦେହ ତ୍ୟାଗ କରିଥିବା କଥା ମଧ୍ୟ ସ୍ଥାନେ ସ୍ଥାନେ ପ୍ରଚାର ହୋଇଗଲା ।

 

ଚେନାମି ବାବା

 

୧୯୬୭ ମସିହା କାର୍ତ୍ତିକ ମାସ । ଗ୍ରାମର ଜଣେ ସୁନାମ ଧନ୍ୟ ବ୍ୟକ୍ତିଙ୍କ ତିରୋଧାନରେ, ବିଗତ ଆତ୍ମାର ଗୁଣଗାନ ଓ ମୁକ୍ତି କାମନା କରି ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ । ସନ୍ଧ୍ୟାବେଳେ ପଂକ୍ତି ଭୋଜନରେ ବସି ଗ୍ରାମ ଦାଣ୍ଡରେ ଧାଡ଼ି ଧାଡ଼ି ଲୋକ ମହାପ୍ରସାଦ ସେବନ କରୁଥାଆନ୍ତି । ସେମାନଙ୍କ ମଧ୍ୟରେ ଜଣେ ଦୀର୍ଘ ଶ୍ମଶ୍ରୁଳ, ସିନ୍ଦୂରିତ କପାଳ ଗୌରୀକ ବସ୍ତ୍ର ପରିହିତ ବାବାଙ୍କୁ ଦେଖିବାକୁ ମିଳିଲା । ତାଙ୍କୁ ଦେଖି ‘ବାଳୀ ଭାଇନା କେବେ ଗାଁକୁ ଆସିଲ ବୋଲି ପଚାରିବାରେ ବାବା ଉତ୍ତର ଦେଲେ ଆଜ୍ଞା ମୁଁ ବାଳୀ ଭାଇନା’ ନୁହ ମୁଁ ବାଳୀଙ୍କର ଭାଇନା; ମେଦିନପୁରରୁ ଆସିଛି । ବାଳକୃଷ୍ଣ ଆଉ ମିଳୁ ନାହାନ୍ତି ବୋଲି ଲୋକ ମୁଖରୁ ଶୁଣି ମୁଁ ତାଙ୍କର ବହୁତ ଖୋଜଖବର ନେଲି । ବାବାଜିମାନେ ତାଙ୍କର କୌଣସି ସନ୍ଧାନ ଦେଲେନାହିଁ, ଏପରିକି ମୋତେ ପାଖରେ ପୂରାଇ ଦେଲେନାହିଁ, ତେଣୁ ତାଙ୍କରି ପରି ବାବାଜି ବେଶ ପରିଧାନ କଲେ ବାବାଜିମାନଙ୍କ ମଠ ଭିତରକୁ ଅବାଧରେ ପ୍ରବେଶ କରି ତାଙ୍କର ସମ୍ବାଦ ସଂଗ୍ରହ କରିପାରିବି ଭାବି ମୁଁ ବେଶ ବଦଳାଇ ଦେଇଛି । ଏସବୁ ସତ୍ତ୍ଵେ ତାଙ୍କର କୌଣସି ସମ୍ବାଦ ନ ପାଇ ସେ ପରଲୋକ ଗମନ କରିଛନ୍ତି ବୋଲି ଧରିନେଇ ତାଙ୍କର ସମ୍ପତ୍ତିର ରକ୍ଷଣାବେକ୍ଷଣ ଓ କୁଳରକ୍ଷା ପାଇଁ ଗ୍ରାମବାସୀଙ୍କର ପରାମର୍ଶ କରିବା ନିମିତ୍ତ ଦୁଇଦିନ ହେଲା ଆସି ଗ୍ରାମରେ ଉପସ୍ଥିତ ହୋଇଅଛି । ଏଠାରେ ଆସି ଯାହା ଦେଖୁଛି ଓ ବୁଝୁଛି, ସେଥିରୁ ଜଣାପଡ଼ୁଛି, ଆଖପାଖ ଲୋକ ଇଟା, ବାଉଁଶ ପ୍ରଭୃତି ଅଧିକାଂଶ ଘେନି ଗଲେଣି । ଆଉ ଜିନିଷପାଇଁ ଯେଉଁମାନେ ବହିନା ନେଇଥିଲେ ସେମାନେବି ମାନିବାକୁ ନାରାଜ । ରଇତମାନେ ଆଦାୟ ଦେବାକୁ ମଧ୍ୟ ଧରାଛୁଆଁ ଦେଉନାହାନ୍ତି । ତାଙ୍କର ହିସାବପତ୍ର କାଗଜପତ୍ର ଦେଖିଲେ ବା ମୁଁ ଯାହା କିଛି ଆଦାୟ କରନ୍ତି କିନ୍ତୁ କାଗଜ ଖୋଜିବାକୁ ତାଙ୍କ ଘର ଭିତରକୁ ଯିବାକୁ ମୋ ଛାତି ପତଉନାହିଁ । ଘର ପାଖ ପର୍ଯ୍ୟନ୍ତ ଗଲି କିନ୍ତୁ ସେ ପୋଷିଥିବା ମହାତ୍ମାମାନଙ୍କର ସୁ’ ସୁ’ ଶବ୍ଦ ଶୁଣି ଦଉଡ଼ି ପଳାଇ ଆସିଲି, ସେଇ ମହାତ୍ମାମାନେ ତାଙ୍କର ସମସ୍ତ ଧନରତ୍ନ ଜଗି ରହିଛନ୍ତି । ଏପରି ଅବସ୍ଥାରେ କ’ଣ କରିବାକୁ ହେବ ମୁଁ ସ୍ଥିର କରିପାରୁନାହିଁ ।

 

ଠିକ୍ ବର୍ଷକ ପରେ ସେଇ ଶ୍ରାଦ୍ଧ ସଭାର ଭୋଜି । ଦାଣ୍ଡ ମଝିରେ ଧାଡ଼ି ଧାଡ଼ି ଲୋକ ବସିଛନ୍ତି । ପତ୍ର ଲାଗୁ ଲାଗୁ କୁଣ୍ଡା ଝଡ଼ିଲା ପରି ବର୍ଷା ଆରମ୍ଭ ହୋଇଗଲା । ଲୋକମାନେ ଉଠୁ, ଉଠୁ ହେଲେ, କିନ୍ତୁ ହଠାତ୍ ଜଣେ ସନ୍ନ୍ୟାସୀ ବଜ୍ର ଗମ୍ଭୀର ସ୍ଵରରେ ‘ବର୍ଷା କଦାପି ହେବନାହିଁ ଆପଣମାନେ ବସନ୍ତୁ” ବୋଲି ହାତ ଟେକି ମେଘ ଉଦ୍ଦେଶ୍ୟରେ କ’ଣ ମନ୍ତ୍ର ଉଚ୍ଚାରଣ କଲେ । ସତକୁ ସତ ବର୍ଷା ବନ୍ଦ ହୋଇଗଲା । ସେ ନିଜେ ଗୋଟିଏ ପତ୍ର ଆବୋରି ବସି ପଡ଼ିଲେ । ତାଙ୍କର କଣ୍ଠସ୍ଵର ସମସ୍ତଙ୍କର ଅତି ପରିଚିତ । ତାହା ବାଳକୃଷ୍ଣ ସ୍ଵରଠାରୁ ଆଦୌ ଭିନ୍ନ ନୁହ । ସଭାରେ ବସିଥିବା ପାଖାପାଖି ଲୋକ ତାଙ୍କ ଶ୍ମଶ୍ରୁଳ ବଦନକୁ ଚାହିଁ ଆଖି ଠରାଠରି ଓ ଟୁପଟାପ ହେଲେ । ଜଣେ ସମ୍ଭାଳି ନ ପାରି ତାଙ୍କୁ ପଚାରିଲେ “ତୁମେ କିଏ ‘ବାଳୀ ନାଁ ତାଙ୍କ ଭାଇ’ । ବାବା ଉତ୍ତର ଦେଲେ ମଉସା ତମକୁବି ମୋତେ ନୂଆ କରି ଚିହ୍ନା ଦବାକୁ ପଡ଼ିବ, ତମ ବାଳୀକୁ ତମେ ଚିହ୍ନି ପାରୁନାହଁ । ଆଉଜଣେ ଭରସି କରି ପଚାରିଲେ “ବାଳୀ ଭାଇନା ତମ ଭାଇତ କହିଲେ ତମେ ମରିଚ ଲୋକେତ କହିଲେ ତମେ ମରିଗଲ, ସତ କହ, ଏତ କିଛି କିମିଆ ନୁହ, ତୁମେ ପ୍ରକୃତରେ ବାଳୀ ଭାଇନା କି ତାଙ୍କ ଭୂତ” । ବାଳକୃଷ୍ଣ ଏଥିରେ ରାଗି ନିଆଁବାଣ ହୋଇଗଲେ । ସେ ରାଗି କରି କହିଲେ ‘କିହୋ ଏ ଗାଁରେ କ’ଣ ମୋତେ କେଳେଇ କୁଟି ଖାଇଲେ ତୁମର ଶାନ୍ତି ହେବ, ମୋତେ ଭଲରେ ପୁଞ୍ଜିଏ ଖୁଆଇ ଦବନି, କିଏ ଗୋଟେ ନକଲି ଭାଇ ଆସି ମୋ ଭାଗ ଖାଇବାକୁ କ’ଣ ପ୍ରଚାର କରିଛି ତୁମେସବୁ ସେକଥା ବିଶ୍ଵାସ କରି ଶେଷରେ କହିଲଣି ମୁଁ ମୋ ଭୂତ । ମୁଁ ଶପଥ କରି କହୁଛି ଏହା ତ୍ରିବାର ସତ୍ୟ, ମୁଁ ସ୍ଵୟଂ ବାଳକୃଷ୍ଣ । ମୁଁ ବଞ୍ଚିଛି, ବଞ୍ଚିଛି, ବଞ୍ଚିଛି । ସ୍ଵଦେହରେ ଏଠି ବସିଛି ଓ ଖାଉଛି ।

 

ଅନ୍ତର୍ଦ୍ଧ୍ୟାନ

 

ସେ ଭୋଜି ଦିନ ବଞ୍ଚିଥିଲେ, ଏକଥା ସତ୍ୟ, କିନ୍ତୁ ଏପରି ରୋଗାକ୍ରାନ୍ତ ହୋଇ ପଡ଼ିଥିଲେ ଯେ ସେ ରୁଗ୍‍ଣ ଶରୀର ଧରି ତାଙ୍କର ବଞ୍ଚିଥିବା ଦାବିକୁ ପୂର୍ଣ୍ଣ ସାବସ୍ତ୍ୟ କରିବାକୁ ହୁଏତ ତାଙ୍କୁ ବେଶିଦିନ ସମୟ ମିଳି ନଥିଲା । ଏକାକୀ ଲଗାମଛଡ଼ା ଜୀବନ ଧରି ବୋଧହୁଏ ଦିନାକେତେ ସେ ଘର କଣରେ ପଡ଼ି ରହିଲେ, ବାହାରକୁ ବେଶି ଯିବା ଆସିବା କରିବା ମଧ୍ୟ ଦେଖାଗଲାନାହିଁ । ସେ ଅଛନ୍ତି କି ନାହିଁ ଅବଶ୍ୟ କେହି ବୁଝିଲେନାହିଁ । ଭଲଥିଲାବେଳେ ସେ ହେଉଥିଲା ସବୁଥିକି ଲୋଡ଼ା, କିନ୍ତୁ “ମଦଘଡ଼ା କାମ ସରିଲେ ଗଡ଼ଗଡ଼ା” ଅକର୍ମଣ୍ୟ ଅବସ୍ଥାରେ ଆଉ ପଚାରୁଚି କିଏ ? କେହି କିଛି ନା କିଛି ଲାଭ ଆଶାରେ ତାଙ୍କ ଘରକୁ ଅବା ଯାଆନ୍ତେ କିନ୍ତୁ ଭରସି କରି ସର୍ପ ପୁରୀକୁ ବା ଯିବ କିଏ ?

 

ଦିନେ ଦୁଇ ତିନି ମାଇଲ ଦୂର ଗୋଟିଏ ଡାକ୍ତରଖାନାରୁ ଗୋଟିଏ ଲୋକ ଆସି ଖବର ଦେଲା ବାଳକୃଷ୍ଣ ବାବା ନାମରେ ବାବାଜି ଚାରିଦିନତଳେ ଭୋରରୁ ଘୁଷୁରି ଘୁଷୁରି ଆସି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା । ଗ୍ରାମ, ଏହି ଗ୍ରାମ ବୋଲି ଲେଖାଇ ଥିଲା ଆଜି ସକାଳେ ସେ ଇହଧାମ ତ୍ୟାଗକରି ଚାଲିଗଲା, ତା’ର ଶବ ପଡ଼ି ରହିଛି । ଏହା ଶୁଣି କୌତୁହଳ ବଶତଃ ଗ୍ରାମର କେତେକ ଯୁବକ ଡାକ୍ତରଖାନାରେ ପହଞ୍ଚି ସେ ଶବଟିକୁ ଦେଖିଲେ, କଙ୍କାଳସାର ହେଲେ ମଧ୍ୟ ସେ ଅନେକତ ବାଳକୃଷ୍ଣ ଶରୀର ପରି ଦିଶୁଥିଲା । ଡାକ୍ତରବାବୁଙ୍କ ସାମନାରେ ତାଙ୍କର ପକେଟମୟ ଜାମାଖଣ୍ଡି ଝଡ଼ାହୋଇ ଚଉଦ ଟଙ୍କା ୧୩ ପଇସା ବାହାରିଲା । ଗ୍ରାମବାସୀ ଶବଟିକୁ ଓ ଟଙ୍କାତକ ଧରି ଗାଁକୁ ଆସି ଶବ ସତ୍କାର ପ୍ରଭୃତି ସମାପନ କଲେ ।

 

କେହି କେହି ଗୋପନରେ ସାପୁଆ କେଳା ନେଇ ତାଙ୍କୁ ବା ତାଙ୍କର ଧନରତ୍ନ ଖୋଜିବାକୁ ତାଙ୍କ ଘରକୁ ଯାଇ କିଛି ନ ପାଇ ନିରାଶରେ ଫେରିଆସିବାର ମଧ୍ୟ ଶୁଣା ଅଛି । ତଥାପି ଅନ୍ଧାରରେ ବା ଏକୁଟିଆରେ ତାଙ୍କ ଘର କାନ୍ଥ ବାଟେ ଗଲାବେଳେ ତାଙ୍କର ବଂଶୀସ୍ଵନ ଓ କଣ୍ଠସ୍ଵର ନିକଟରୁ ନିକଟକୁ ଭାସି ଆସେ । ଅନେକ ବିଶ୍ଵାସ କରନ୍ତି, ସେ ଏବେବି ଅଛନ୍ତି । ସେ ସ୍ଵଦେହରେ ଥାଆନ୍ତୁ ସେ ଜଣେ ସମ୍ପୂର୍ଣ୍ଣ ସ୍ଵାଧୀନ ମାନବ, ଏକ ରହସ୍ୟମୟ “ଅଦ୍ଭୁତ ବାବା” ।

Image